Shutterstock
ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଜାରିଙ୍ଗ ଆଇଆର୍ବି କ୍ୟାମ୍ପ ନିକଟରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ କଲେଇ ଗାଁ ପଞ୍ଚାୟତ ସ୍ଥିତ କୁଲିହାରି ଗାଁର ପୃଥ୍ବିରାଜ ପ୍ରଧାନୀ (୩୫) ବୋଲି ଜରାଯାଇଛି। ତେବେ କ୍ଷତିପୂରଣ ଦାବିରେ ପରିବାର ଲୋକ ଶବ ରଖି ରାସ୍ତା ଅବ​ରୋଧ କରିଥିଲେ।
ପ୍ରକାଶ ଯେ, ରବିବାର ଅପରାହ୍ଣ ୪ ଟାରେ ଜାରିଙ୍ଗ ମେଡିକାଲ କଲେଜ ସମ୍ମୁଖରେ ହାଇୱା ଧକ୍କାରେ ବାଇକ ଆରୋହୀ ପୃଥ୍ବିରାଜ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଆଇଆର୍ବି ବାଟାଲିଅନ ଅଧିକାରୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ବିଶାଖାପାଟଣା ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇ ଯାଇଥିଲା। ସୋମବାର ଜୁନାଗଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହୋଇଥିଲା। ପରେ ମୃତଦେହକୁ ଧରି ପରିବାର ଓ ସମ୍ପର୍କୀୟମାନେ କ୍ଷତିପୂରଣ ଦାବିରେ ଜୁନାଗଡ଼ ଥାନା ସମ୍ମୁଖ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ। ଏହା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା। ଖବର ପାଇ ଧର୍ମଗଡ଼ ଏସ୍ଡିପିଓ ଧିରଜ ଚୋପଦାର, ଜୁନାଗଡ଼ ଆଇଆଇଆସି ଶେଷଦେବ ବେହେରା, ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।
  
 Follow Us