ଫିଟୁଛି ପୁନ୍ଦାଳ ସବ୍‌ଡିଭିଜନ୍‌ର ଦୁର୍ନୀତି ପେଡ଼ି: ରାସ୍ତା, ପଥର ପ୍ୟାକିଂରେ କୋଟିଏ ସ୍ବାହା!

Advertisment

ଖରାପ କାମ ପାଇଁ ଠିକାଦାର ନୁହେଁ, ମାଟି ଦାୟୀ: ଯନ୍ତ୍ରୀ

ଖରାପ କାମ ପାଇଁ ଠିକାଦାର ନୁହେଁ, ମାଟି ଦାୟୀ: ଯନ୍ତ୍ରୀ

ଫିଟୁଛି ପୁନ୍ଦାଳ ସବ୍‌ଡିଭିଜନ୍‌ର ଦୁର୍ନୀତି ପେଡ଼ି: ରାସ୍ତା, ପଥର ପ୍ୟାକିଂରେ କୋଟିଏ ସ୍ବାହା!

Sambad

କେନ୍ଦ୍ରାପଡା: ଜଳସଂପଦ ବିଭାଗ ପୁନ୍ଦାଳ ସବଡିଭିଜନ୍‌ରେ ବିଭିନ୍ନ ଉନ୍ନୟନମୂଳକ କାମ ନାଁରେ କିଭଳି କୋଟି କୋଟି ଟଙ୍କା ହରିଲୁଟ୍‌ କରାଯାଇଛି, ତାର ଗୋଟିଏ ‌ପରେ ଗୋଟିଏ ଚାକ୍ଷୁସ ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି। କେଉଠି ନିର୍ମାଣର ଛଅ ମାସ ନ ଯାଉଣୁ ରାସ୍ତାରୁ ପିଚୁ ଉଠି ୭୧ଲକ୍ଷ ଟଙ୍କା ବରବାଦ୍ ହେଉଛି ତ କେଉଁଠି କାମ ସରିବାର ଚାରି ମାସ ଭିତରେ ୩୪ଲକ୍ଷ ଟଙ୍କାର ପଥର ପ୍ୟାକିଂ ଓ ଡମ୍ପିଂ ଦବି ଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଦାୟିତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀ ଏ କଥା ସ୍ବୀକାର କରୁଛନ୍ତି ା ହେଲେ ଦୋଷ ଠିକାଦାରଙ୍କର ନୁହେଁ, ବରଂ ମାଟିର ବୋଲି ଅଜବ ଯୁକ୍ତି ବାଢ଼ି ଉତ୍ତରଦାୟିତ୍ବ ଖସାଇଦେବାକୁ ଉଦ୍ୟମ କରୁଛନ୍ତି। ଯନ୍ତ୍ରୀଙ୍କ ଏପ୍ରକାର ଦୋଷଖସା ଯୁକ୍ତି ସୂଚାଇ ଦେଉଛି ଯେ ବିଭିନ୍ନ ପ୍ରକଳ୍ପ ନାଁରେ କିଭଳି କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଠିକାଦାର ପୋଷିବାରେ ସାର ହେଉଛି? ୧କୋଟିରୁ ଅଧିକ ବ୍ୟୟରେ ହୋଇଥିବା ନରସିଂହପୁର-ନାରାୟଣପୁର ରାସ୍ତା ଏବଂ ରାଘବପୁରରେ ପଥର ପ୍ୟାକିଂ ଓ ଡମ୍ପିଂ ପ୍ରକଳ୍ପର ଶୋଚନୀୟ ଅବସ୍ଥା ଏହାର ଜ୍ବଳନ୍ତ ପ୍ରମାଣ ଦେଉଛି ା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦-୨୦୨୧ ଆର୍ଥିକ ବର୍ଷରେ ଜଗତପୁରସ୍ଥିତ ଜଳସମ୍ପଦ ବିଭାଗ ନର୍ଥ(ଉତ୍ତର) ଡିଭିଜନ ପକ୍ଷରୁ ନରସିଂହପୁରରୁ-ନାରାୟଣପୁର ରାସ୍ତା ଉନ୍ନତିକରଣ ପାଇଁ ଯୋଜନା ହୋଇଥିଲା। ମୋଟ ୭୧ ଲକ୍ଷ ୩୬ ହଜାର ଟଙ୍କା ବ୍ୟୟରେ ହୋଇଥିବା ଏହି ରାସ୍ତା କାମ ଗତ ବର୍ଷ ଅଗଷ୍ଟରେ ଶେଷ ହୋଇଥିଲା। ମାତ୍ର କାମ ଏତେ ନିମ୍ନମାନର ହୋଇଥିଲା ଯେ ଛଅ ମାସ ଭିତରେ ରାସ୍ତାରୁ ପିଚୁ ଉଠିଯିବା ସହିତ ବିରାଟ ବିରାଟ ଖାଲ ଏବଂ ଦବି ଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ ଏବେ ସେହି ରାସ୍ତାରେ ଯିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ କଥା ନୁହେଁ, ଯେବେ‌ କାମ ଆରମ୍ଭ ହୋଇଥିଲା, ସ୍ଥାନୀୟ ଲୋକ ଅଭିଯୋଗ କରିନଥିଲେ। ନିମ୍ନମାନର କାମକୁ ନେଇ ଲୋକମାନେ ଏକାଧିକବାର ଅଭିଯୋଗ କରିଥିଲେ। ପ୍ରଥମ ସ୍ତର ଗ୍ରେଡ୍–୨ ମେଟାଲିଂ କରାଯିବାକୁ ଥିବା ବେଳେ ତାହା କରାଯାଇ ନ ଥିବା ଏବଂ ରାସ୍ତାରେ ଥିବା ବଡ଼ ବଡ଼ ଗାତରେ ନୂଆ ମେଣ୍ଟାଲ ପଡ଼ିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ହେଲେ ବିଭାଗ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ଠିକାଦାର ଅତି ବେପରୁଆ ଢଙ୍ଗରେ ବର୍ଷା ଦିନେ ପିଚୁ କାର୍ଯ୍ୟ କରିଥିଲା। ଫଳରେ ଗୋଟିଏ ମାସେ ନ ଯାଉଣୁ ଏହି ୪ କିମି ରାସ୍ତାରୁ ପିଚୁ ଉଠି ଯାଇଥିଲା।

ସେହିପରି ରାଘବପୁର ଠାରେ ପଥର ଡମ୍ପିଂ ଓ ପ୍ୟାକିଂ କାମରେ ବି ଅନୁରୂପ ଦୁର୍ନୀତି ଦେଖିବାକୁ ମିଳିଛି। ୨୦୨୧–୨୨ ଆର୍ଥିକ ବର୍ଷରେ ୩୩.୫୦ ଲକ୍ଷ ଟଙ୍କା  ବ୍ୟୟରେ ହୋଇଥିବା ଏହି ପ୍ରକଳ୍ପ ୨୦୨୧, ନଭେମ୍ବରରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ବ୍ୟୟ ଅଟକଳ ମୁତାବକ, ବଡ ବଡ ପଥର ପରିବର୍ତ୍ତେ ଅତି ଛୋଟ ଛୋଟ ପଥରରେ ଡମ୍ପିଂ କରାଯିବାରୁ ୪ ମାସ ଭିତରେ ତାହା ଦବି ଯାଇଥିବା ଦେଖିବାକୁ ମିଳିଥିଲା। ହେଲେ ଠିକାଦାର ଏ ବାବଦରେ ୧୬.୭୩ ଲକ୍ଷ ଟଙ୍କାର ବିଲ୍ ହାତେଇଥିବା ଆର୍‌ଟିଆଇ ତଥ୍ୟରୁ ସାମ୍ନାକୁ ଆସିଛି। ତେବେ ଆରମ୍ଭରୁ ପ୍ରକଳ୍ପ କାମ ଅତି ଶୋଚନୀୟ ହେଇଥିବା ଜଳଜଳ ଦିଶୁଥିବା ସତ୍ତ୍ବେ ବ୍ୟୟ ଅଟକଳର ଅଧା ବିଲ୍‌ କରିଦିଆଯିବା ଘଟଣା ବିଭାଗୀୟ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତିକୁ ଧରାପକାଇ ଦେଉଛି ା ହେଲେ ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ଅଶୋକ କୁମାର ସାହୁ ପ୍ରକଳ୍ପ ଶୋଚନୀୟ ଅବସ୍ଥା ପାଇଁ ଠିକାଦାର ନୁହେଁ, ମାଟି ଦାୟୀ ବୋଲି କହିଛନ୍ତି ା ସେ କହିଛନ୍ତି ଯେ ରାସ୍ତା ଖରାପ ପାଇଁ ଠିକାଦାରଙ୍କୁ ତାଗିଦ୍ କରାଯାଇଛି ା ଆଉ ୧୨ଲକ୍ଷ ବିଲ୍‌ ଦିଆଯାଇନାହିଁ। ପୁଣି ଥରେ କାମ କଲେ ଦିଆଯିବ। ସେହିପରି ପଥର ପ୍ୟାକିଂ ଓ ଡମ୍ପିଂ କାମରେ ସବୁ ସମସ୍ତ ଅର୍ଥ ଠିକାଦାରଙ୍କୁ ଦିଆଯାଇନାହିଁ। ହେଲେ ପ୍ରଶ୍ନ ଉଠୁଛି ଯେ ନିମ୍ନମାନର କାମ ପାଇଁ ଠିକାଦାର ନୁହେଁ, ଯଦି ମାଟି ଦାୟୀ, ତାହେଲେ କାମ ଆଗକୁ ବଢ଼ାଯାଉଥିଲା କାହିଁକି? ଯେଉଁଠି ମାଟି ଦୋଷ ବାହାରିଲା, ସେଠି କାମ ବନ୍ଦ କରାଯାଇ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କିଏ ମନା କରିଥିଲା? ଠିକାଦାରଙ୍କୁ ସୁନାପୁଅ ଦର୍ଶାଇବାକୁ ଯାଇ ବିଭାଗୀୟ ଯନ୍ତ୍ରୀ ଏହି ଦୁଇ ପ୍ରକଳ୍ପର ଶୋଚନୀୟ ଅବସ୍ଥା ପାଇଁ ମାଟି ଦାୟୀ ବୋଲି ଯେତେ କହିଲେ ବି ତାହା ଯେ କେବଳ ଉତ୍ତରଦାୟିତ୍ବ ଖସାଇଦେବା ପାଇଁ ବାହାନା, ତାହା ଆଉ ବୁଝିବାକୁ ବାକି ନାହିଁ।  ଏଭଳି ସ୍ଥିତିରେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଉଥିବା କଥା କହୁଥିବା ରାଜ୍ୟ ସରକାର ପୁନ୍ଦାଳ ସବ୍‌ ଡିଭିଜନ୍‌ରେ ହୋଇଥିବା ଆଖିବୁଜା ଦୁର୍ନୀତି ଉପରେ କିପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଏବେ ଦେଖିବାର ବିଷୟ ହୋଇଛି ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe