Sambad
ଜଗତସିଂହପୁର: ଜାତୀୟ ରାଜପଥର ସୃଷ୍ଟି ହୋଇଥିବା ଖାଲଖମା ମରାମତି କାମ ଆରମ୍ଭ ହୋଇଛି। ବିଶ୍ବକର୍ମା ପୂଜାରେ ଖାଲଖମାର ମରାମତି ପାଇଁ ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଥିଲା। ସେତେବେଳେ ମଧ୍ୟ ଏହାକୁ ସେତେଟା ଗୁରୁତ୍ବ ପ୍ରଦାନ କରାଗଲା ନାହିଁ। ସ୍ଥିତି ସାଂଘାତିକ ହେଉଥିବା ଦେଖିବା ପରେ ଜାତୀୟ ରାଜପଥରେ ତାଳି ପକା କାମ ଆରମ୍ଭ ହୋଇଛି। ଯେଉଁଠି ବଡ଼ବଡ଼ ଗାଡ଼ ସୃଷ୍ଟି ହୋଇଛି, ସେଠାରେ ଖାଲି ବଜୁରି ପକାଯାଇ ଏହାକୁ ପୂର୍ଣ୍ଣ କରାଯାଉଛି। ତେବେ ଦିନେ ଦୁଇ ଦିନ ନ ଯାଉଣୁ ପୁଣି ଯେମିତିକୁ ସେମିତି ସ୍ଥିତି ସୃଷ୍ଟି ହେଉଛି। ଯାହାଫଳରେ ଦୁର୍ଘଟଣା ଘଟୁଛି। ଅନ୍ୟପଟେ ରାସ୍ତାଘାଟର ଏପରି ଦୃଶ୍ୟ ଦେଖି ଶିଳ୍ପସଂସ୍ଥାକୁ ଆସୁଥିବା ଲୋକ ଓ ପର୍ଯ୍ୟଟକ ନାକ ଟେକୁଛନ୍ତି। ପାରାଦୀପ ଦୋଛକିରୁ ଅଠରବାଙ୍କୀ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଏବେ ଏମିତି ଅବସ୍ଥା। ଏହି ରାସ୍ତାର ଅବସ୍ଥା ଏମିତି ହେଲାଣି ଯେ, କାରବାର କରିବା ଏବେଠାରୁ ମୁସ୍କିଲ ହେଲାଣି। ବର୍ତ୍ତମାନ ବର୍ଷା ହେଉଥିବାରୁ ରାସ୍ତାର ଅବସ୍ଥା ଆହୁରି ସାଂଘାତିକ ହୋଇଯାଇଛି। ଦୋଛକି ଓ ପାରାଦୀପ ଟ୍ରକ୍ ମାଲିକ ସଂଘ ନିକଟରେ ଏତେ ବଡ଼ବଡ଼ ଖାଲ ହୋଇଛି ଯେ, ଟିକିଏ ଭୁଲ ହେଲେ ବଡ଼ ଧରଣର ଦୁର୍ଘଟଣା ଘଟୁଛି। ଗତ ସପ୍ତାହରେ ଏହି ରାସ୍ତାରେ ୫ ଜଣଙ୍କ ଜୀବନ ଯାଇଛି। ଦେଶର ଏକ ନମ୍ବର ବନ୍ଦର ଆଡ଼କୁ ଅଗ୍ରସର ହେଉଛି ପାରାଦୀପ ବନ୍ଦର। ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ସହ ଏକାଧିକ ସମ୍ମାନର ଅଧିକାରୀ ହେଉଛି ପାରାଦୀପ ପୌରପାଳିକା। ମାତ୍ର ପାରାଦୀପ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ ବା ଏକାଧିକ ଶିଳ୍ପ ସଂସ୍ଥାକୁ ନିଜ କାମ ପାଇଁ ଆସୁଥିବା ଲୋକମାନେ ଏଠାରେ ପହଞ୍ଚୁ ପହଞ୍ଚୁ ସେମାନଙ୍କ ଚିନ୍ତାଧାରା ବଦଳିବାରେ ଲାଗୁଛି।
ରାସ୍ତା ସାରା ଖାଲ ସାଙ୍ଗକୁ ଧୂଳି ଧୂଆଁ ପରିବେଶ ଦେଖି ସେମାନେ ନାକ ଟେକିବାକୁ ପଛଉ ନାହାନ୍ତି। ଅଠରବାଙ୍କୀ-ଦୋଛକି ବର୍ଷ ତମାମ ରାସ୍ତାର ତାଳିପକା କାମ ଚାଲୁଛି। ମାସେ ଦୁଇ ମାସ ରହୁଛି କି ନାହିଁ ପୁଣି ସେହି ରାସ୍ତାରେ ଖାଲ ସୃଷ୍ଟି ହେଉଛି। ଫଳରେ ଏହି ଗାତ ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଣୁ ଅସ୍ଥାୟୀ ଭାବେ ମରାମତି କରାଯିବା ଅପେକ୍ଷା ଏହାର କୌଣସି ବିକଳ୍ପ ବ୍ୟବସ୍ଥା କରାଯିବା ଆବଶ୍ୟକତା ରହିଛି। ନଚେତ ଏମିତି ସ୍ଥିତି ସୃଷ୍ଟି ହେବ। ପାରାଦୀପରେ ଥିବା ତିନି ଟ୍ରକ୍ ମାଲିକ ସଂଘ ଅଧୀନରେ ୮ ହଜାର ଟ୍ରକ୍ ରହିଛି। ଏହାକୁ ବାଦ୍ ଦେଲେ ଆଇଓସିଏଲ୍ ଓ ପିଆଇସିଟି ପରି କମ୍ପାନିକୁ ବହୁ ପରିମାଣରେ ଟ୍ୟାଙ୍କଲର, ଟ୍ରେଲର୍ ପରି ବଡ଼ବଡ଼ ଗାଡ଼ି ପଶୁଛି। ଯାହାକି ଅଧିକାଂଶ ସମୟରେ ରାସ୍ତାକୁ ଜାମ୍ କରି ରଖୁଛି। ସେପଟେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରାଜ୍ୟ ପୁଲିସର ମଧ୍ୟ ଆବଶ୍ୟକୀୟ ପରିମାଣର କର୍ମଚାରୀ ନାହାନ୍ତି। ହୋମଗାର୍ଡ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର ଯୁବକମାନଙ୍କ ଦ୍ବାରା ଟ୍ରାଫିକ୍ ନିୟନ୍ତ୍ରଣ କରାଯାଉଛି। ଯେଉଁମାନେ କି ସେତେଟା ଅଭିଜ୍ଞ ନୁହନ୍ତି। ଏଣୁ ସହରକୁ ସରସ ସୁନ୍ଦର କରିବା ପାଇଁ ପ୍ରଶାସନ ଦୃଢ ପଦକ୍ଷେପ ନେଉ ବୋଲି ସାଧାରଣରେ ମତ ପ୍ରକାଶପାଇଛି।
Follow Us