ରାୟଗଡ଼ାର ସୀମାନ୍ତ ଗ୍ରାମକୁ ନାହିଁ ପକ୍କା ରାସ୍ତା; ଆନ୍ଧ୍ରପ୍ରଦେଶ ଦେଇ ୨୫ କିମି ସଦର ପଞ୍ଚାୟତକୁ ଆସୁଛନ୍ତି ଲୋକେ

Advertisment
ରାୟଗଡ଼ାର ସୀମାନ୍ତ ଗ୍ରାମକୁ ନାହିଁ ପକ୍କା ରାସ୍ତା; ଆନ୍ଧ୍ରପ୍ରଦେଶ ଦେଇ ୨୫ କିମି ସଦର ପଞ୍ଚାୟତକୁ ଆସୁଛନ୍ତି ଲୋକେ

ରାୟଗଡା: ରାୟଗଡା ଜିଲ୍ଲାର ବହୁ ଗ୍ରାମକୁ ଆଜି ବି ପକ୍କା ରାସ୍ତା ନାହିଁ। ଯାହାଫଳରେ ଲୋକେ ରୋଗୀ ହେଉ ବା ଗର୍ଭବତୀଙ୍କୁ ପାଦରେ ଚଲାଇ କିମ୍ବା କାଉଡିରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବାକୁ ପଡେ। ଏଭଳି ଏକ ଗ୍ରାମ ହେଉଛି ସଦର ବ୍ଲକର ଜେମାଦେଇପେଣ୍ଠ ପଞ୍ଚାୟତର ଆନ୍ଧ୍ରକୁ ସୀମାରେ ଥିବା ମାଉଡିଗୁଡା। ପଞ୍ଚାୟତ ସଦର ମହକୁମାରୁ ଏହି ଗ୍ରାମକୁ ଯିବାକୁ ହେଲେ ୬ କିଲୋମିଟର ଜଙ୍ଗଲିଆ ରାସ୍ତା ଦେଇ ଯିବାକୁ ପଡେ। ତେବେ ଏହି ଜଙ୍ଗଲିଆ ରାସ୍ତା ମଝିରେ ଡଙ୍ଗାଲାଡି ଗ୍ରାମ ପଡେ। ଏହି ଗ୍ରାମ ଠାରୁ ମାଉଡିଗୁଡା ପର୍ଯ୍ୟନ୍ତ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି।

ଜଙ୍ଗଲିଆ ରାସ୍ତା ପଡୁଥିବାରୁ ବନ ବିଭାଗ ପକ୍ଷରୁ ଏଠାରା ରାସ୍ତା ନିର୍ମାଣ କରିବାକୁ ଦିଆଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଲୋକେ ପାଦରେ ଚାଲି ଚାଲି ଏହି ରାସ୍ତାରେ ଆସୁଥିବା ବେଳେ ରାସ୍ତା ଖରାପ ହେଲେ ବାଧ୍ୟ ହୋଇ ଏମାନେ ଆନ୍ଧ୍ରପ୍ରଦେଶର ବିରିଡିପାଡୁ ଗ୍ରାମ ଦେଇ ପ୍ରାୟ ୨୫ କିଲୋମିଟର ବାଟ ଦେଇ ଗ୍ରାମପଞ୍ଚାୟତକୁ ଯିବାକୁ ପଡେ ବୋଲି ଗ୍ରାମବାସୀ କହନ୍ତି। ବର୍ଷାଦିନ ହେଲେ ଏହି ରାସ୍ତାରେ ଯିବା ଅସମ୍ଭବ ବୋଲି ଲୋକେ କହନ୍ତି। ସଦର ପଞ୍ଚାୟତକୁ କୌଣସି କାମ କିମ୍ବା ପିଡିଏସ ଚାଉଳ ଅଥବା ଭତ୍ତା ପାଇଁ ଆସିଲେ ପ୍ରାୟ ଗୋଟିଏ ଦିନ ଚାଲିଯାଏ ବୋଲି କହନ୍ତି। ଏହି ଗ୍ରାମର ଲୋକେ ପ୍ରାୟତଃ ଆନ୍ଧ୍ର ଉପରେ ହିଁ ନିର୍ଭର କରିଥାନ୍ତି। ମାଉଡିଗୁଡା ଗ୍ରାମରେ ପ୍ରାୟ ୨୫ ପରିବାର ବସବାସ କରନ୍ତି। ଗ୍ରାମକୁ ରାସ୍ତା ପାଇଁ ପଞ୍ଚାୟତ ତରଫରୁ ମନରେଗାରେ କାମ ଆରମ୍ଭ ହୋଇଥିଲା। କିନ୍ତୁ ଏହା ସମ୍ପୂର୍ଣ୍ଣ ହୋଇ ପାରିନଥିବା କୁହାଯାଇଛି।

ଆଜି ବି ଏହି ଗ୍ରାମରେ ମୌଳିକ ସୁବିଧା ପହଞ୍ଚିପାରି ନାହିଁ। ଲୋକେ ଆବାସ ଯୋଜନାରେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନୟାନ୍ତ ହେଉଥିବା କହିଛନ୍ତି। ପଞ୍ଚାୟତ ସଦର ମହକୁମାରୁ ଗ୍ରାମକୁ ପକ୍କା ରାସ୍ତା ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲୋକେ ପ୍ରକାଶ କରିଛନ୍ତି। ତେବେ ଆଗାମୀ ଦିନରେ ସାଧାରଣ ନିର୍ବାଚନ ରହିଥିବା ବେଳେ ଗାଁକୁ ଆସୁଥିବା ରାଜନେତାମାନଙ୍କୁ ଗାଁରେ ଭର୍ତ୍ତି କରିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ସଫା ସଫା କହିଛନ୍ତି। ଗାଁରେ ସମସ୍ୟାର ପାହାଡ ରହିଥିଲେ ମଧ୍ୟ କୌଣସି ସରକାରୀ ବାବୁ  କିମ୍ବା ନେତାମାନେ ଏହାର ସମାଧାନ କରିବାକୁ ଚେଷ୍ଟା କରୁ ନାହାଁନ୍ତି।ଲୋକେ ଆନ୍ଧ୍ର ଉପରେ ବିଶେଷ ଭାବେ ନିର୍ଭର କରୁଥିବାରୁ ଆନ୍ଧ୍ର ମଧ୍ୟ ଏହି ଗ୍ରାମଗୁଡିକ ଉପରେ ନିଜର ନଜର ରଖିଛି। ଆନ୍ଧ୍ର ଏହି  ଅଞ୍ଚଳକୁ ସ୍ବାସ୍ଥ୍ୟ ସେବା ମଧ୍ୟ ପହଞ୍ଚାଉଥିବା କୁହାଯାଇଛି। ତେବେ ଲୋକଙ୍କୁ ଓଡିଶା ତରଫରୁ ସହଯୋଗ ନମିଳିଲେ ଆଗକୁ ଏମାନେ ଆନ୍ଧ୍ର ଉପରେ ନିର୍ଭର କରିବେ ଏଥିରେ ସନ୍ଦେହ ନାହିଁ। ପ୍ରଶାସନ ତରଫରୁ ସୀମାନ୍ତରେ ରହିଥିବା ଗ୍ରାମ ଗୁଡିକରେ ରହିଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe