Sambad
ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍ଡ଼ିପିଓଙ୍କ କାର୍ଯ୍ୟାଳୟ ନିକଟ ଶ୍ରୀରାମ ନଗର ରାସ୍ତାର ସନ୍ତୋଷୀ ଲେନ୍-ଚକ୍ଷୁ ଚିକିତ୍ସାଳୟ ଛକ। ୫-୬ଟି ଗାଈ, ଷଣ୍ଢ ରାସ୍ତାକଡ଼ରେ ପଡ଼ିଥିବା ଆବର୍ଜନାରେ ଚରୁଥିଲେ। ଏହି ସମୟରେ ହଠାତ୍ ଏକ ୫-୬ଫୁଟ୍ ଉଚ୍ଚର ଷଣ୍ଢଟି ସେହି ଆବର୍ଜନା ମଧ୍ୟରେ ଗଳିପଡ଼ିଲା। ଏହା ଦେଖି ଆଖପାଖର କେତେକ ଯୁବକ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ଷଣ୍ଢଟିକୁ ଉଦ୍ଧାର କରିଥିଲେ। ଆଜିର ଏହି ଦୁର୍ଘଟଣାରେ ଏକ ଷଣ୍ଢର ଜୀବନ ଯାଉ ଯାଉ ରହିଗଲା, କିନ୍ତୁ ପୌର ପରିଷଦର ଅବହେଳାରୁ କେତେବେଳେ ଭୁବନେଶ୍ୱରର ଜ୍ୟୋତି ପ୍ରକାଶ ଭଳି ଘଟଣା ଘଟିବ କେହି କହିପାରିବେ ନାହିଁ। ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ୫-୬ଟି ଗାଈ ଓ ଷଣ୍ଢ ଚରୁଥିବା ସମୟରେ ହଠାତ୍ ଏକ ଷଣ୍ଢଟି ସନ୍ତୋଷୀ ଲେନ୍ ରାସ୍ତା କଡ଼ରେ ଥିବା ଆବର୍ଜନା ଖାତରେ ଗଳି ପଡ଼ିଥିଲା। ସେଠାରେ ଥିବା କେତେକ ଯୁବକ ଷଣ୍ଢଟିକୁ ଉପରକୁ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଉଠାଇନପାରି ଦମକଳ ବାହିନୀକୁ ଖବର ଦେଇଥିଲେ। ଖୋର୍ଦ୍ଧା ଦମକଳ ବାହିନୀ ୧୧ଟା ରେ ଆସି ପହଂଚିଥିଲେ ପରେ ଦୀର୍ଘ ୪୫ ମିନିଟ୍ ପରିଶ୍ରମ ପରେ ଷଣ୍ଢଟିକୁ ଉଦ୍ଧାର କରାଯାଇଥିଲା। ଏନେଇ ସ୍ଥାନୀୟ ବାସିନ୍ଦା ସ୍ୱରାଜ ମିଶ୍ର କହିଛନ୍ତି ଯେ, ଏଠାରେ ପୂର୍ବେ ବେଆଇନ ମାଙ୍କଡ଼ାପଥର ଖଣିଟିଏ ଥିଲା। ବନ୍ଦ ହୋଇଯିବା ପରେ ପୌର ପରିଷଦ ନିଜର ଆବର୍ଜନା ଆଣି ଜମା କରୁଥିଲା। ବର୍ଷା ହେବା ଫଳରେ ଆବର୍ଜନା ଗୁଡ଼ିକ ଉପରକୁ ଉଠି ଆସିଲା।
Sambadଏଠାରେ ଆବର୍ଜନା ନ ପକାଇବାକୁ ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଶ୍ରୀରାମ ନଗର ବାସିନ୍ଦାଙ୍କ ପକ୍ଷରୁ ଅନେକ ଥର ଲିଖିତ ଅନୁରୋଧ କରାଯାଇଥିଲେ ମଧ୍ୟ ପୌର ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ। ସେହିଭଳି ଅଂଚଳର କୃପାସିନ୍ଧୁ ସାହୁ, ରଘୁ ଓ ଭାଟି ସାହୁ କହିଛନ୍ତି ଯେ ରାସ୍ତାର ଠିକ୍ କଡ଼ରେ ଗୋଟିଏ ପଟ ୧୨-୧୫ ଫୁଟ୍ ଗଭୀର ଖାତ। ଏହି ଖାତରେ ପୌର ପରିଷଦର ଆବର୍ଜନା ପକାଯାଉଛି। ଏନେଇ ସେମାନେ ବିରୋଧ କରିଛନ୍ତି, କିନ୍ତୁ ପୌର ପ୍ରଶାସନ ଶୁଣୁନାହିଁ। ବର୍ଷା ହେଲେ ରାସ୍ତାରେ ୨-୩ଫୁଟ ପାଣି ଜମୁଛି। ଦୁଇଦିନ ପୂର୍ବେ ଭୁବନେଶ୍ୱରରେ ଜଣେ ସ୍କୁଲ ଛାତ୍ର ଖୋଲା ନାଳରେ ଭାସିଗଲେ, ଏଠାରେ ତ ଟିକିଏ ଅସାବଧାନ ହେଲେ ସଂପୂର୍ଣ୍ଣ ଭାବେ ଆବର୍ଜନା ଖାତରେ ଡୁବିଯିବେ। ଏଣୁ ପୌର ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ନକଲେ ସ୍ଥାନୀୟ ବାସିନ୍ଦା ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସେମାନେ କହିଛନ୍ତି।
Follow Us