ପୁଣି ବାରିପଦାରେ ନମ୍ବର ବିହୀନ କଳା ପଲସର ଆତଙ୍କ, ଦିନ ଦ୍ୱିପ୍ରହରରେ ଝାମ୍ପି ନେଲେ ୭ ଲକ୍ଷର ଅଳଙ୍କାର

ଝାରସୁଗୁଡ଼ା: ଜାତୀୟ ରାଜପଥରେ ପୁଣି ଲୁଟ୍‌ ଅଭିଯୋଗ

Sambad

ବାରିପଦା : କିଛି ଦିନର ନୀରବତା ପରେ ବାରିପଦାରେ ପୁଣି ଥରେ ଲୁଟେରାମାନେ ସକ୍ରିୟ ହୋଇ ଉଠିଛନ୍ତି । ଆଜି ଦିନ ଦ୍ୱିପ୍ରହରରେ ଏକ କଳା ରଙ୍ଗର ନମ୍ବର ବିହୀନ ପଲ୍‌ସରରେ ଦୁଇ ଜଣ ଯୁବକ ଆସି ଏକ ଗହଣା ଦୋକାନ ସମ୍ମୁଖରୁ ଜଣେ ଗହଣା ବ୍ୟବସାୟୀ ହାତରେ ଧରିଥିବା ନଗଦ ୭୬ ହଜାର ଟଙ୍କା ଓ ପ୍ରାୟ ୭ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଝାମ୍ପି ନେଇଛନ୍ତି। ଏନେଇ ଲୁଟ୍‌ର ଶିକାର ହୋଇଥିବା ଗହଣା ବ୍ୟବସାୟୀ ଅରୁପ କୁମାର ପରିଡ଼ା(୩୧) ବାରିପଦା ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବଡ଼ସାହି ଅଞ୍ଚଳର ବ୍ୟବସାୟୀ ଶ୍ରୀ ପରିଡ଼ାଙ୍କର ବଡ଼ସାହି ତହସିଲ ସମ୍ମୁଖରେ ନିଉ ପରିଡ଼ା ଜୁଏଲାରୀ ଗହଣା ଦୋକାନ ରହିଛି। ଆଜି ସେ ଏବଂ ତାଙ୍କ ପିତା ସୁସେନ ଚନ୍ଦ୍ର ପରିଡ଼ା ଏକ ବାଇକରେ ବାରିପଦା ଆସି ଲାଲବଜାରସ୍ଥିତ ସାହୁ ଜୁଏଲାରୀରୁ କି୩.୭୦୦ଗ୍ରାମ ଓଜନର ରୁପା ଗହଣା, ୭୦ ଗ୍ରାମ ଓଜନର କାନଫୁଲ, ମଙ୍ଗଳସୂତ୍ର ଓ ମୁଦି ଆଦି ସୁନା ଅଳଙ୍କାର କିଣି ଏକ ହ୍ୟାଣ୍ଡ ବ୍ୟାଗରେ ରଖିଥିଲେ। ଏଥିରେ ତାଙ୍କ ପାଖରେ ଥିବା ନଗଦ ୭୬ ହଜାର ଟଙ୍କା ମଧ୍ୟ ରଖିଥିଲେ ।

ଏହାପରେ ସେମାନେ ବାଘଡ଼ାରୋଡସ୍ଥିତ ତାଙ୍କ ମାମୁଁଙ୍କ ଗହଣା ଦୋକାନକୁ ଯାଇଥିଲେ । କଥାବାର୍ତ୍ତା ଶେଷ କରି ସମୟ ପ୍ରାୟ ୧୧.୪୫ରୁ ୧୨ ମଧ୍ୟରେ ବାହାରକୁ ବାହାରି ସମୟରେ ଏକ କଳା ରଙ୍ଗର ନମ୍ବର ବିହୀନ ପଲସରରେ ଦୁଇ ଜଣ ଯୁବକ ଆସିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଯୁବକ ଅରୁପ ହାତରେ ଧରିଥିବା ଟଙ୍କା ଓ ସୁନାରୁପା ଗହଣା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ଦ୍ରୁତ ଗତିରେ ପଳାଇଯାଇଥିଲା। ଏହି ଲୁଟ୍‌କୁ ନିକଟରେ ଥିବା ଦୋକାନୀମାନେ ମଧ୍ୟ ଦେଖିଥିବା ଜଣାପଡ଼ିଛି। ‌ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe