ଟଳିଲା ବଡ଼ ବିପଦ: ଭୁଶୁଡ଼ିଲା ବ୍ୟାଙ୍କ ଛାତ, ଛୁଟିଦିନ କାରଣରୁ ବର୍ତ୍ତିଗଲେ କର୍ମଚାରୀ ଓ ଗ୍ରାହକ

Advertisment
ଟଳିଲା ବଡ଼ ବିପଦ: ଭୁଶୁଡ଼ିଲା ବ୍ୟାଙ୍କ ଛାତ, ଛୁଟିଦିନ କାରଣରୁ ବର୍ତ୍ତିଗଲେ କର୍ମଚାରୀ ଓ ଗ୍ରାହକ

ସମ୍ବଲପୁର: ଯାହା ପୂର୍ବାନୁମାନ କରାଯାଉ ଥିଲା ତାହା ହିଁ ହୋଇଛି। ସ୍ଥାନୀୟ କୁଞ୍ଜେଲପଡ଼ା ଛକସ୍ଥିତ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ସିଟି ବ୍ରାଞ୍ଚର ଛାତ ଭୁଶୁଡ଼ି ପଡ଼ିଛି। ଭଡ଼ା ସୂତ୍ରରେ ଚାଲିଥିବା ବ୍ୟାଙ୍କର ସମ୍ମୁଖ ଭାଗ ଛାତ ରବିବାର ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟ ବଶତଃ ରବିବାର ବ୍ୟାଙ୍କ ବନ୍ଦ ଥିବାରୁ ଏଠାରେ କାର୍ଯ୍ୟରତ କର୍ମଚାରୀ ଓ ଆସୁଥିବା ଗ୍ରାହକ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୋଠାଟି ପୁରୁଣା ହୋଇଯାଇଥିଲା। ଗତ ଶୁକ୍ରବାର ଠାରୁ ଲଗାଣ ବର୍ଷା ହେବା ଫଳରେ ଏହାର ଛାତରୁ ପାଣି ଗଳୁଥିବା ବେଳେ କାନ୍ଥଗୁଡ଼ିକ ମଧ୍ୟ ଦୁର୍ବଳ ହୋଇଯାଇଛି। ଏହି କାରଣରୁ ଛାତ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଛାତ ଭୁଶୁଡ଼ି ପଡ଼ିଥିବା ଖବର ପାଇବା ପରେ ବ୍ୟାଙ୍କର କର୍ମଚାରୀମାନେ ଆସି ପହଞ୍ଚିଥିଲେ।

ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ(ଏସ୍‌ଡିସିସି ବ୍ୟାଙ୍କ), ସମ୍ବଲପୁର ସିଟି ଶାଖା ବର୍ଷା ହେଲେ ବ୍ୟାଙ୍କ କାଉଣ୍ଟର ବନ୍ଦ ହୋଇଯାଏ। କାରଣ ବହୁ ପୁରୁଣା କୋଠାରେ ବ୍ୟାଙ୍କର ଏହି ଶାଖା ପରିଚାଳିତ ହେଉଛି। ଆଗରୁ ଏହା ମହିଳା ଶାଖା ନାମରେ ପରିଚିତ ଥିଲା। କେବଳ ମହିଳା କର୍ମଚାରୀ ଏଠାରେ କାର୍ଯ୍ୟ କରୁଥିଲେ। କିଛି ବର୍ଷ ତଳେ ଏହାର ନାମକରଣ ସମ୍ବଲପୁର ସିଟି ଶାଖା ରଖାଯାଇଛି। ପୁରୁଣା କୋଠା ହୋଇଥିବାରୁ କାଠ ବିମ୍‌ଗୁଡ଼ିକ ଦବି ଗଲାଣି। ବର୍ଷା ହେବା ମାତ୍ରେ, ଟଙ୍କା ଜମା ଓ ଉଠାଇବା ପାଇଁ ଥିବା କାଉଣ୍ଟରଗୁଡ଼ିକ ଉପରେ ପାଣି ପଡ଼ୁଛି। କମ୍ପ୍ୟୁଟର ଓ ଅନ୍ୟାନ୍ୟ କାଗଜପତ୍ର ପଲିଥିନରେ ଘୋଡ଼ାଇ ଦିଆଯାଉଛି।

publive-image

ବର୍ଷା ପାଣି ବ୍ୟାଙ୍କ ଭିତରେ ପଡ଼ୁଥିବା ବେଳେ କର୍ମଚାରୀମାନେ ବି ଭିଜି ଯାଉଛନ୍ତି। ଆଉ ସେହି ଅଧାଭିଜା ଅବସ୍ଥାରେ କାମ କରୁଛନ୍ତି। ବ୍ୟାଙ୍କରେ ଏବେ ୭ ଜଣ କର୍ମଚାରୀ ଅଛନ୍ତି। ବ୍ୟାଙ୍କର ସବୁବେଳେ ଭିଡ଼ ଲାଗି ରହିଥାଏ। ହେଲେ, ବଡ଼ ଦୟନୀୟ ଅବସ୍ଥାରେ ସେମାନଙ୍କୁ କାମ କରିବାକୁ ପଡ଼ୁଛି। ଗ୍ରାହକମାନେ ବ୍ୟାଙ୍କ କୋଠାର ଅବସ୍ଥା ସଂପର୍କରେ ଅବଗତ ହୋଇଗଲେଣି। ତେଣୁ, ବର୍ଷା ସମୟରେ ବ୍ୟାଙ୍କ ଯିବା କମେଇ ଦେଲେଣି। କୋଠାର ଅବସ୍ଥା ଯାହା କେତେବେଳେ ବି ଭାଂଗିଯିବ। ଏ ସଂକ୍ରାନ୍ତରେ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଲେ, ବ୍ୟାଙ୍କ ମୁଖ୍ୟାଳୟକୁ ଏହି ସମସ୍ୟା ସଂକ୍ରାନ୍ତରେ ଅବଗତ କରାଯାଇଛି।6 ଯେହେତୁ, ବ୍ୟାଙ୍କର ଗ୍ରାହକମାନେ ପ୍ରାୟତଃ ଆଖାପାଖ ଅଂଚଳର, ତେଣୁ ସଂପୃକ୍ତ ଅଂଚଳରେ ଘରଭଡ଼ା ଖୋଜା ଚାଲିଛି। ନୂଆ ଭଡ଼ାଘର ମିଳିବା ପରେ ବ୍ୟାଙ୍କ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି। ତେବେ, ବର୍ଷା ହେଲେ କାଉଣ୍ଟର ବନ୍ଦ ଥିଲେ ବି ଭିତର ପଟୁ ଗ୍ରାହକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe