ଇସ୍ପାତ ସହର ବସ୍ତିର ହେବ ନବକଳେବର

ଇସ୍ପାତ ସହର ବସ୍ତିର ହେବ ନବକଳେବର

ରାଉରକେଲା: ପୂର୍ବରୁ ବସ୍ତିକୁ ଭଲ ରାସ୍ତାଟିଏ ନ ଥିଲା। ଯେଉଁ ରାସ୍ତା ଥିଲା ତାହା କାଦୁଅ ପଚପଚ। ଏମିତିକି ବସ୍ତି ଅଞ୍ଚଳରେ ଶୌଚାଳୟ ବି ନ ଥିଲା। ବିଦ୍ୟୁତ ସଂଯୋଗ, ଡ୍ରେନ୍‌ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଆଦି ସାତ ସପନ ପାଲଟିଥିଲା। ଏବେ କିନ୍ତୁ ଏଥିରେ ସୁଧାର ଆସିଛି। ସଂପ୍ରତି ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ବସ୍ତି ଅଞ୍ଚଳର ନବ କଳେବର କରାଯାଉଛି। ଏବେସୁଦ୍ଧା ୬ଟି ବସ୍ତିରେ ଏସବୁ ସୁବିଧା ପହଞ୍ଚିସାରିଛି। ଆଗାମୀ ଦିନରେ ଅବଶିଷ୍ଟ ବସ୍ତିଗୁଡ଼ିକର ସାମଗ୍ରିକ ବିକାଶ ହେବ। ବସ୍ତିଗୁଡ଼ିକରେ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ଆର୍‌ଏମ୍‌ସି ପଦକ୍ଷେପ ଆରମ୍ଭ କରିଦେଇଛି।

publive-image

ଆର୍‌ଏମ୍‌ସି ଅଞ୍ଚଳରେ ପ୍ରାୟ ୧୨୯ଟି ବସ୍ତି ରହିଛି। ଏଥିମଧ୍ୟରୁ କେତେକ ଜଙ୍ଗଲ ଜମି, ରେଳବାଇ ଜମି ଓ କେତେକ ସରକାରୀ ଜମିରେ ଗଢ଼ି ଉଠିଛି। ତେବେ ଜଙ୍ଗଲ ଓ ରେଳବାଇ ଜମିରେ ଗଢ଼ିଉଠିଥିବା ବସ୍ତିର ଜମି ସମସ୍ୟା ରହିଛି। ଏଣୁ ଏହାକୁ ବାଦ୍‌ ଦେଇ ସରକାରୀ ଜମିରେ ଥିବା ବସ୍ତିଗୁଡ଼ିକର ବିକାଶ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଏଭଳି ୪୦ଟି ବସ୍ତିରେ ରୂପରେଖ ବଦଳାଇବାକୁ ଆର୍‌ଏମ୍‌ସି ପଦକ୍ଷେପ ଆରମ୍ଭ କରିଦେଇଛି। ଏଯାଏଁ ୬ଟି ବସ୍ତିରେ ବିକାଶ ପହଞ୍ଚିସାରିଲାଣି।

ଏହି ବସ୍ତିଗୁଡ଼ିକ ହେଲା, କିଶାନ ଟୋଲା(ଛେଣ୍ଡ୍‌), ଗାଢ଼ାଟୋଲା(ଏସ୍‌ଟିଆଇ), ଟୁଙ୍ଗୁରୀଟୋଲା(ପାନପୋଷ), ମାନଟୋଲା(ସିଭିଲ ଟାଉନସିପ୍‌), ଚମ୍ପାଟୋଲି(ଶକ୍ତିନଗର) ଓ ପାନପୋଷ ବସ୍ତି। ଏହି ବସ୍ତିରେ ପ୍ରାଥମିକତାର ସହ ରାସ୍ତା ନିର୍ମାଣ କରାଯାଇଛି। ଏହାସହ ଡ୍ରେନ୍‌ ନିର୍ମାଣ, ବିଦ୍ୟୁତ ବ୍ୟବସ୍ଥା, ଷ୍ଟ୍ରିଟ୍‌ ଲାଇଟ୍‌, ପାନୀୟ ଜଳ ଯୋଗାଣ କରାଯାଇଛି।

publive-image

ଏହାସହ ବସ୍ତିଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯାଉଛି। ବିଶେଷକରି ବସ୍ତିରେ ଥିବା ଘରଗୁଡ଼ିକରେ ‘ୱାଲ୍‌ପେଣ୍ଟିଂ’ କରାଯାଇଛି; ଯାହାକି ବସ୍ତିକୁ ନୂଆ ରୂପ ଦେଇଛି। ବସ୍ତିରେ ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ବସ୍ତିବାସୀ ପ୍ରାୟତଃ ଖୋଲାରେ ଶୌଚ କରୁଥିଲେ। ଏବେ ଗୋଷ୍ଠି ଶୌଚାଳୟ ନିର୍ମାଣ କରାଯାଇଛି, ଯଦ୍ବାରା ଖୋଲା ମୁକ୍ତ ଶୌଚରେ ବହୁମାତ୍ରାରେ ଅଙ୍କୁଶ ଲାଗିପାରିଛି। ପ୍ରଥମ ପର୍ଯ୍ୟାୟରେ ୪୦ଟି ବସ୍ତିର ବିକାଶ ପାଇଁ ଯୋଜନା ରହିଛି। ତେବେ ଆଗାମୀ ଦିନରେ ସବୁ ବସ୍ତିର ବିକାଶ କରାଯିବ। ଜମି ସମସ୍ୟା ଦୂର କରି ସଂପୃକ୍ତ ବସ୍ତିର ବି ପୂର୍ଣ୍ଣାଙ୍ଗ ବିକାଶ କରାଯିବବୋଲି ଆର୍‌ଏମ୍‌ସି କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe