Catch News
ରାଉରକେଲା: ଅନ୍-ଲାଇନରେ ଜିନିଷ ଡେଲିଭରି କରିବା ନାଁରେ ଜଣେ ଯୁବତୀଙ୍କ ଠାରୁ ୫୦ ହଜାର ଟଙ୍କା ଠକି ନିଆ ଯାଇଛି। ବିଶ୍ରା ଅଞ୍ଚଳର ଗରିମା ଅଗ୍ରୱାଲ ଏମିତି ଅନ୍-ଲାଇନ ଠକାମିର ଶିକାର ହୋଇଛନ୍ତି। ସେ ଶନିବାର ଏ ସଂକ୍ରାନ୍ତରେ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଥାନାରେ ଲିଖିତ ଏତଲା ଦେଇଛନ୍ତି। ଯୁବତୀଙ୍କ ଲିଖିତ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।
ଗରିମାଙ୍କ କହିବା ମୁତାବକ, ତାଙ୍କର ଜଣେ ସାଙ୍ଗ ଅନ୍-ଲାଇନରେ ଏକ ଜିନିଷ ଘରକୁ ମଗାଇଥିଲେ କିନ୍ତୁ ଜିନିଷ ଠିକ୍ ସମୟରେ ଘରେ ପହଞ୍ଚି ନ ଥିଲା। ତା’ପରେ ସେ ଗୁଗଲ୍ରୁ ଡେଲିଭରି ଦାୟିତ୍ୱରେ ଥିବା କୋରିୟର କମ୍ପାନିର ନମ୍ବର ବାହାର କରି ଏଜେଣ୍ଟ ସହ ଯୋଗାଯୋଗ କରିଥିଲେ। କଲ୍ ରିସିଭ୍ କରିଥିବା କୋରିୟର ଏଜେଣ୍ଟ ତାଙ୍କୁ ୧୦ ଟଙ୍କା ପେମେଣ୍ଟ କରିବାକୁ କହିଥିଲା। ଏଜେଣ୍ଟ କହିବା ମୁତାବକ ସେ କମ୍ପାନି ଦ୍ଵାରା ଦିଆଯାଇଥିବା ପେଟିଏମ୍ ଆପ୍ ବାର୍ କୋଡରେ କ୍ଲିକ୍ କରି ପେମେଣ୍ଟ କରିଥିଲେ। କିଛି ସମୟ ପରେ ହଠାତ୍ ତାଙ୍କ ଆକାଉଣ୍ଟରୁ ତିନିଥରରେ ମୋଟ୍ ୫୦ ହଜାର ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଥିଲା। ସାଙ୍ଗେ ସାଙ୍ଗେ ସେ ପୂର୍ବରୁ କଥା ହୋଇଥିବା ମୋବାଇଲ ନମ୍ବରରେ କୋରିୟର ଏଜେଣ୍ଟ ସହ ଯୋଗାଯୋଗ କରିଥିଲେ କିନ୍ତୁ ଏଜେଣ୍ଟ ଜଣକ ତାଙ୍କର କଲ୍ ଆଦୌ ରିସିଭ୍ କରି ନ ଥିଲା। ସେ ଠକାମିରେ ପଡିଥିବା ଜାଣିବା ପରେ ବିଶ୍ରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।
ଉଲ୍ଲେଖଯୋଗ୍ୟ, ରାଉରକେଲା ସହରରେ ପୂର୍ବରୁ ଅନେକ ଅବସରପ୍ରାପ୍ତ କର୍ମଚାରୀ ଓ ବେକାର ଯୁବକ ଯୁବତୀ ଏମିତି ଅନ୍-ଲାଇନ ଠକାମିର ଶିକାର ହୋଇଛନ୍ତି। ଆକାଉଣ୍ଟରୁ ୬୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଠକି ନିଆ ଯାଇଥିବାର ସାଇବର ପୁଲିସ ଓ ସମେତ ସହରର ଅନେକ ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାଉରକେଲା ସହର ପାଖରେ ଥିବା ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଅସଂଖ୍ୟ ସାଇବର ଠକ ସକ୍ରିୟ ଅଛନ୍ତି। ଏସବୁ ମୁଖ୍ୟତଃ ସେହିମାନଙ୍କର କାଣ୍ଡ ବୋଲି ଅନୁମାନ କରାଯାଏ।
Follow Us