ଥାନାଧିକାରୀଙ୍କ ସ୍ବାମୀଙ୍କ କାରନାମା: ଅବସରପ୍ରାପ୍ତ ମହିଳା ବ୍ୟାଙ୍କ ଅଧିକାରୀଙ୍କ ଠାରୁ ୯୫ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ

Advertisment
ଥାନାଧିକାରୀଙ୍କ ସ୍ବାମୀଙ୍କ କାରନାମା: ଅବସରପ୍ରାପ୍ତ ମହିଳା ବ୍ୟାଙ୍କ ଅଧିକାରୀଙ୍କ ଠାରୁ ୯୫ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ

Moneycontrol

ସମ୍ବଲପୁର: ଥାନାଧିକାରୀଙ୍କ ଠିକାଦାର ସ୍ବାମୀ ଜଣେ ଅବସରପ୍ରାପ୍ତ ମହିଳା ବ୍ୟାଙ୍କ ଅଧିକାରୀଙ୍କ ଠାରୁ ୯୫ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଟଙ୍କା ଫେରାଇବାକୁ କହିବାରୁ ଠିକାଦାର ଜଣକ ଚତୁରତାର ସହ ଚେକ୍‌ ଦେଉଥିଲେ। କିନ୍ତୁ ଚେକ୍‌ଗୁଡ଼ିକ ବାଉନ୍ସ ହୋଇଯାଉଥିଲା। ପରେ ବ୍ୟାଙ୍କ ଅଧିକାରୀ ଟଙ୍କା ଫେରାଇବା ପାଇଁ ଅଡ଼ି ବସିବାରୁ ଏବେ ତାଙ୍କୁ ଠିକାଦାରଜଣକ ଧମକଚମକ ଦେଉଛନ୍ତି। ପୁଲିସ ପାଵାର୍‌ ମଧ୍ୟ ଦେଖାଉଛନ୍ତି। ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବରଗଡ଼ର ଗୀତା ମେହେରଙ୍କ ଠାରୁ ହୀରାକୁଦର ଠିକାଦାର ବିଭୂତି ରାଉତ ବିଭିନ୍ନ ବାହାନା କରି ଏହି ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଗୀତା ୨୦୦୫ ମସିହାରେ ହୀରାକୁଦ ୟୁକୋ ବ୍ୟାଙ୍କର ମ୍ୟାନେଜର୍‌ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଝାରସୁଗୁଡ଼ା ଥାନାଧିକାରୀ ସାବିତ୍ରୀ ବଳଙ୍କ ସ୍ବାମୀ ବିଭୂତି ରାଉତଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଗୀତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟପଟେ ବିଭୂତି ଓ ଗୀତାଙ୍କ ମଧ୍ୟରେ ଭଲ ସମ୍ପର୍କ ବଢ଼ିବାରେ ଲାଗିଲା। ତାପରେ ଗୀତାଙ୍କର ଝାରସୁଗୁଡ଼ା ବଦଳି ହୋଇଥିଲା। ସେଠାରେ ଉଭୟଙ୍କର ସମ୍ପର୍କ ବଢ଼ିଥିଲା। ବିଭୂତି ତାଙ୍କ ଘରକୁ ଯାଆସ ମଧ୍ୟ କରୁଥିଲେ। ଧୀରେ ଧୀରେ ଗୀତାଙ୍କ ସରଳତାର ଫାଇଦା ଉଠାଇବାରେ ଲାଗିଥିଲେ ବିଭୂତି। ଜମି ବ୍ୟବସାୟ ଆରମ୍ଭ କରିବା ନାଁରେ ଗୀତାଙ୍କୁ ସେ ଟଙ୍କା ଦେବାକୁ ଅନୁରୋଧ କରିଥିଲେ।

ଗୀତା ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ପାଇଥିବା ଟଙ୍କାରୁ ତାଙ୍କୁ ବ୍ୟବସାୟ ପାଇଁ ୨୦୨୦-୨୧ରେ ୮୦ ଲକ୍ଷ ଟଙ୍କା ଦେଇଥିଲେ। ଯାହାର ପ୍ରମାଣ ଗୀତା ପୁଲିସ ପାଖରେ ମଧ୍ୟ ପ୍ରଦାନ କରିଛନ୍ତି। ପରେ ବିଭୂତି ଆହୁରି ଟଙ୍କା ମାଗିବାରୁ ସୁନା ଋଣ ନେଇ ୧୪ ଲକ୍ଷ ଟଙ୍କା ଏବଂ ନଗଦ ୧ ଲକ୍ଷ ଟଙ୍କା ଦେଇଥିଲେ। ଏଭଳି ଭାବେ ୯୫ ଲକ୍ଷ ଟଙ୍କା ନେଇ ସାରିବା ପରେ ଜମି ବିକ୍ରି କରି ସବୁ ଟଙ୍କା ଫେରାଇ ଦେବେ ବୋଲି ବିଭୂତି କହିଥିଲେ। କିନ୍ତୁ ଆଉ ଫେରାଇ ନଥିଲେ। ଗୀତା ଟଙ୍କା ପାଇଁ ବାଧ୍ୟ କରିବାରୁ ଗୋଟିଏ ପରେ ଗୋଟିଏ ଚେକ୍‌ ଦେଇଥିଲେ। କିନ୍ତୁ ସବୁ ଚେକ୍‌ ବାଉନ୍ସ ହୋଇଯାଇଥିଲା। ସେ ବିଭିନ୍ନ ସମୟରେ ମୋଟ୍‌ ଉପରେ ୧୦ଟି ଚେକ୍‌ ଦେଇଥିବା ବେଳେ ସମସ୍ତ ଚେକ୍‌ ବାଉନ୍ସ ହୋଇଥିଲା। ଏହାପରେ ଟଙ୍କା ମାଗିବାରୁ ସେ ଗୀତାଙ୍କୁ ଧମକଚମକ ଦେବା ଆରମ୍ଭ କରିଦେଲେ। ପୁଲିସର ପାଵାର୍‌ ମଧ୍ୟ ଦେଖାଇଥିଲେ। ଶେଷରେ କୌଣସି ଉପାୟ ନପାଇ ଗୀତା ରବିବାର ହୀରାକୁଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ମାମଲା (କେସ୍‌ ନଂ ୧୮୩/୨୦୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe