ତମାଖୁ ସେବନ ଅପରାଧ ସୂଚନାକୁ ମାନୁଛି କିଏ ? ଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଅଳିଆ ଗଦା, ପାନଛେପ

Advertisment
ତମାଖୁ ସେବନ ଅପରାଧ ସୂଚନାକୁ ମାନୁଛି କିଏ ? ଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଅଳିଆ ଗଦା, ପାନଛେପ

Sambad

ଜଗତସିଂହପୁର ଟାଉନ୍: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକାଧିକ ସ୍ଥାନରେ ନର୍ଦ୍ଦମା, ଅଳିଆ ଗଦା। ଯୁଆଡ଼େ ଦେଖିବ ସିଆଡ଼େ ପାନଛେପ। ଏମିତିକି କେତେକ ସ୍ଥାନରେ ପାନ ଓ ଗୁଟ୍‌ଖା ଛେପର ପୂରା ମୋଟା ସ୍ତର ବସି ଗଲାଣି। ଶିଢ଼ିରେ ଲାଗିଥିବା ଟାଇଲରେ ମଧ୍ୟ ଛେପ ପକାଉଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତମାଖୁ ସେବନ ଏକ ଦଣ୍ଡନୀୟ ଅପରାଧ ବୋଲି କାନ୍ଥରେ ପୋଷ୍ଟର ଲାଗିଛି। କିନ୍ତୁ କେହି ମାନୁ ନାହାନ୍ତି। ଏପରିକି କାହାକୁ ଦଣ୍ଡିତ ମଧ୍ୟ କରା ଯାଉ ନଥିବାରୁ କାହାର ସେଥିପ୍ରତି ଖାତିର ନାହିଁ। ତତ୍‌କାଳନୀ ଜିଲ୍ଲାପାଳ ଅରବିନ୍ଦ ପାଢ଼ୀ, ପ୍ରଦୀପ୍ତ ମହାପାତ୍ରଙ୍କ ଅମଳରେ ଜିଲ୍ଲାପାଳଙ୍କ ଅଫିସ୍‌ରେ ପାନ ଛେପକୁ ନେଇ ଫତୁଆ ଜାରି ହୋଇଥିଲା। ଅଫିସ୍‌ କର୍ମଚାରୀ ଓ ଅଫିସ୍‌କୁ ଆସୁଥିବା ଲୋକମାନେ ତାହା କିଛି ଦିନ ମାନିଲେ। କିନ୍ତୁ ଜିଲ୍ଲାପାଳ ବଦଳି ଯିବା ପରେ ଏହି ନିଷ୍ପତ୍ତିକୁ ଅଣଦେଖା କରାଗଲା। ବର୍ତମାନର ଜିଲ୍ଲାପାଳ ପାରୁଲ ପଟ୍ଟୱାରି ସରକାରୀ କାନ୍ଥରେ ଅଶୋଭନୀୟ ପ୍ରଦର୍ଶନ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବୁଦ୍ଧୀଜୀବୀ ମହଲରେ ଦାବି ହେଉଛି।

ଜିଲ୍ଲାପାଳଙ୍କ ଅଫିସ ପ୍ରକୋଷ୍ଠରୁ ସଦ୍‌ଭାବନା ସଭାଗୃହକୁ ଆସିଲେ ବାମ ପାର୍ଶ୍ବ ଖାଲି ସ୍ଥାନରେ ପ୍ରବଳ ମାତ୍ରାରେ ପାନ ଓ ଗୁଟ୍‌ଖା ଛେପ ଗଦା ହୋଇଛି। ଛାତ ଓହଳାରେ ପରସ୍ତ ପରେ ପରସ୍ତ ଛେପ ବସିଯାଇଛି। ସେଠାରେ ଗୁଟଖା ଜରି ମଧ୍ୟ ପଡ଼ିଛି। ତଳେ ପାଣି ଓ ଅଳିଆ ଜମି ନର୍ଦ୍ଦମା ପାଲଟି ଯାଇଛି। ସେହି ପାଣି ଦୀର୍ଘ ଦିନ ଧରି ଜମି ରହିବାରୁ ପଚି ଦୁର୍ଗନ୍ଧ ହେଉଛି। ଡ୍ରେନ୍ ଠିକ୍ ଭାବେ କାମ କରୁ ନ ଥିବାରୁ ପାଣି ଜମି ରହୁଛି। ସେହିପରି ସମ୍ମୁଖ ଭାଗର ଦ୍ବିତୀୟ ମହଲା ଶିଢ଼ିର କାନ୍ଥରେ ପାନ ଛେପ ଗଦା ହୋଇଛି। କାନ୍ଥରେ ପଡ଼ିଥିବା ଏହି ଟାଇଲ୍ ଉପରେ ପାନଛେପ ପଡ଼ିଛି। ଗୋଟିଏ ସ୍ଥାନରେ ଚା କପ୍, ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଗ୍ଲାସ୍, ଗୁଟଖା ଖୋଳ, ଜରି ଓ ଅନ୍ୟ ଯାବତୀୟ ଜିନିଷ ପଡ଼ି ଅଳିଆ ଗଦା ପାଲଟି ଯାଇଛି। କାର୍ଯ୍ୟାଳୟ ପରିସରର ଏପରି ପରିବେଶ ହୋଇଥିବାରୁ ଜିଲ୍ଲାପାଳ କଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe