୫ ମାସର ଗର୍ଭବତୀଙ୍କ କରୁଣ କାହାଣୀ: ବିବାହର ୭୦ ଦିନ ପରେ ସ୍ବାମୀ ଧରାଛୁଆଁ ଦେଉନାହାନ୍ତି

Advertisment
୫ ମାସର ଗର୍ଭବତୀଙ୍କ କରୁଣ କାହାଣୀ: ବିବାହର ୭୦ ଦିନ ପରେ ସ୍ବାମୀ ଧରାଛୁଆଁ ଦେଉନାହାନ୍ତି

ରାଉରକେଲା: ବିବାହପରେ ମାତ୍ର ୭୦ ଦିନ ସ୍ବାମୀ ସହ ରହିଲେ। ତେବେ ଏହା ଭିତରେ ମାନସିକ, ଶାରୀରିକ ନିର୍ଯାତନାର ଶିକାର ହେଲେ। ଏମିତିକି ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ରେ କାର୍ଯ୍ୟରତଥିବା ସ୍ବାମୀ ଡ୍ୟୁଟିକୁ ଗଲେ ବାହାରୁ ତାଲା ପକାଇ ରଖୁଥିଲେ। ଏବେ ପୀଡ଼ିତା ୫ ମାସର ଗର୍ଭବତୀ। ଭ୍ରୂଣହତ୍ୟା, ଯୌତୁକ ପାଇଁ ସ୍ବାମୀ ବାଧ୍ୟ କରୁଛି; କିନ୍ତୁ ପୀଡ଼ିତା ମନା କରିଦବୋରୁ ସ୍ବାମୀ ଆଉ ଧରାଛୁଆଁ ଦେଉନି। ପୂର୍ବରୁ ପୀଡ଼ିତା ନ୍ୟାୟ ଭିକ୍ଷା ପାଇଁ ମହିଳା ଥାନା, ସେକ୍ଟର-୭ ଥାନାକୁ ବି ଯାଇଥିଲେ; କିନ୍ତୁ ସେମାନେ ଏତଲା ରଖିବାକୁ ବି ମନା କରିଦେଲେ। ଅବଶ୍ୟ, ରାଉରକେଲା ଏସ୍‌ପି କାର୍ଯ୍ୟାଳୟରୁ ତାଗିଦ୍‌ ପରେ ସୋମବାର ସେକ୍ଟର-୭ ଥାନା ପୁଲିସ ମାମଲା ରୁଜୁ କରିଛି। ଏହି ଘଟଣା ଘଟିଛି ଇସ୍ପାତସହରର ସେକ୍ଟର-୬ ଅଞ୍ଚଳରେ।

୨୦୨୨ ନଭେମ୍ବର ୨୯ ତାରିଖ। ବ୍ରହ୍ମପୁର ସଦର ଥାନା ମସିହାଖାଲିର ସ୍ନେହଲତା ମହାରଣା(୨୫) ଓ ଆସ୍କା ପୋଲସରା ଥାନା ମନ୍ଦାର ଗ୍ରାମର ମହେଶ ମହରାଣା(୩୧)ଙ୍କ ବୈଦିକ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା। ଉଭୟେ ଉଚ୍ଚ ଶିକ୍ଷତ। ସ୍ବାମୀ ମହେଶ ଆର୍‌ଏସ୍‌ପିରେ କ୍ରେନ୍‌ ମେଣ୍ଟେନାନ୍‌ସ ବିଭାଗରେ କାର୍ଯ୍ୟରତ ଥିବାବେଳେ ସ୍ନେହଲତା ବାଣିଜ୍ୟରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଛନ୍ତି। ବିବାହପରେ ମାସେ ପର୍ଯ୍ୟନ୍ତ ସ୍ନେହଲତା ଶାଶୂଘରେ ରହିଥିବାବେଳେ ଜାନୁଆରି ମାସରେ ସ୍ବାମୀ ସହ ରାଉରକେଲାକୁ ଆସି ଆର୍‌ଏସ୍‌ପି ପକ୍ଷରୁ ମିଳିଥିବା ସେକ୍ଟର-୬, କ୍ବାର୍ଟର ନଂ ଏଚ୍‌-୨୫୫ରେ ରହିଥିଲେ। ସେଠାରେ ପାଖାପାଖି ୧ ମାସ ୧୦ ଦିନ ରହିଥିଲେ। ଏହି ସମୟରେ ସ୍ନେହଲତା ଗର୍ଭବତୀ ହୋଇଥିଲେ। ଏହି ଖବର ଶୁଣି ଅଭିଯୁକ୍ତ ସ୍ବାମୀ ମହେଶ ନିର୍ଯାତନା ଆରମ୍ଭ କରିଦେଇଥିଲେ। ଭ୍ରୁଣ ହତ୍ୟା କରିବାକୁ ବାଧ୍ୟ କରିବା ସହ ୧୦ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ। ତେବେ ସ୍ନେହଲତା ମନା କରିବାରୁ ମାଡ଼ପିଟ କରିବାସହ ଘର ବାହାରୁ ତାଲା ପକାଇ ଡ୍ୟୁଟିକୁ ଯାଉଥିଲେ।

କିଛି ଦିନ ପରେ ପୀଡ଼ିତାଙ୍କ ଶାଶୂ-ଶ୍ବଶୁର ରାଉରକେଲାରେ ପହଞ୍ଚିଥିଲେ। ୨୦୨୩ ଫେବ୍ରୁଆରି ୫ ତାରିଖରେ ଘରକୁ ଯିବାକୁ କହି ଶାଶୂ-ଶ୍ବଶୂର ସ୍ନେହଲତାକୁ ନେଇ ଆସ୍କାରେ ଛାଡ଼ିଦେଇ ନିଜ ଘରକୁ ପଳାଇଥିଲେ। ସେଠାରେ ପୀଡ଼ିତା ଏକୁଟିଆ ଘରକୁ ଯାଇଥିଲେ। ପୀଡ଼ିତା ନିଜ ଘରେ ଥିବା ସମୟରେ ଫେବ୍ରୁଆରି ୭ ତାରିଖରେ ସ୍ବାମୀ ଘରେ ପହଞ୍ଚି ଭ୍ରୂଣହତ୍ୟା କରିବାକୁ ପୁନର୍ବାର ଚାପ ପକାଇଥିଲେ। କିନ୍ତୁ ମନା କରିବାରୁ ସ୍ବାମୀ ଗାଳିଗୁଲଜ, ମାଡ଼ପିଟ କରି ଫେରିଆସିଥିଲେ। ଫେବ୍ରୁଆରି ୧୨ ତାରିଖରେ ସ୍ନେହଲତା ପିତା-ମାତାଙ୍କ ସହ ଶ୍ବଶୁର ଘରେ ପହଞ୍ଚି ଆପଣେଇ ନେବାକୁ କାକୁତିମିନତି କରିବାରୁ କୁଆଡ଼େ ସ୍ବାମୀ, ଶାଶୂ, ଶ୍ବଶୁର, ନଣନ୍ଦ, ନଣନ୍ଦ ଜ୍ବାଇଁ ସମସ୍ତେ ସଂଘବଦ୍ଧଭ‌ାବେ ମାଡ଼ପିଟ କରିଥିଲେ। ପରେ ନିରାଶହୋଇ ସେମାନେ ଫେରିଆସି ବ୍ରହ୍ମପୁର ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ।

ଭ୍ରୂଣହତ୍ୟା, ଯୌତୁକ ଦାବିରେ ମାଡ଼ପିଟ

ପୂର୍ବରୁ ଫେରାଇଦେଇଥିଲେ, ପୁଲିସ ମୁଖ୍ୟାଳୟରୁ ନିର୍ଦ୍ଦେଶପରେ ମାମଲା ରୁଜୁ

ଫେବ୍ରୁଆରି ୧୯ ତାରିଖରେ ମହିଳା ଥାନା ପୁଲିସ ସ୍ନେହଲତା ଓ ତାଙ୍କ ସ୍ବାମୀଙ୍କୁ ଥାନାକୁ ଡାକି କାଉନସିଲିଂ କରିଥିଲେ। ଏହାପରେ ମାର୍ଚ୍ଚ ୩୦ ତାରିଖରେ ମହିଳା ଥାନାରେ ଦ୍ବିତୀୟଥର ପାଇଁ କାଉନସିଲିଂ କରାଯାଇଥିଲା; କିନ୍ତୁ କୌଣସି ସୁଫଳ ମିଳିନଥିଲା। ମେ’ ୨୦ ତାରିଖରେ ସ୍ନେହଲତା ଶଶ୍ବୂର ଘର ଯାଇଥିଲେ; କିନ୍ତୁ ସେଠାରେ ସ୍ବାମୀ ଅନୁପସ୍ଥିତ ଥିବାରୁ ପରିବାର ଲୋକ ଘରୁ ବାହାର କରିଦେଇଥିଲେ। ଏଣୁ ସ୍ବାମୀ ରାଉରକେଲାସ୍ଥ ନିଜ କ୍ବାର୍ଟରରେ ଥିବା ଭାବି ସ୍ନେହଲତା ଗତ ମେ’ ୨୩ ତାରିଖରେ ରାଉରକେଲାରେ ପହଞ୍ଚିଥିଲେ।

ଦିନସାରା ସ୍ବାମୀ ରହୁଥିବା କ୍ବାର୍ଟର ସମ୍ମୁଖରେ ଛିଡ଼ା ରହିଥିଲେ ମଧ୍ୟ ତାଙ୍କର ଦେଖାଦର୍ଶନ ମିଳିପାରିନଥିଲା। ଫୋନ୍‌ ମାଧ୍ୟମରେ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ ସେ ଫୋନ୍‌ ଉଠାଇନଥିଲେ। ଏଣୁ ସେ କାଂଶବାହାଲ ଅଞ୍ଚଳରେ ନିଜ ସଂପର୍କୀୟଙ୍କ ଘରେ ରହିଥିଲେ। ନ୍ୟାୟ ଭିକ୍ଷା ପାଇଁ ପୀଡ଼ିତା ମେ’ ୨୫ ତାରିଖରେ ମହିଳା ଥାନା ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ବ୍ରହ୍ମପୁର ଥାନାରେ ଏତଲା ଦେବାକୁ ପରାମର୍ଶ ଦିଆଯାଇଥିଲା। ତା’ ପରଦିନ, ଅର୍ଥାତ୍‌ ମେ’ ୨୬ ତାରିଖରେ ସେ ସେକ୍ଟର-୭ ଥାନାରେ ପହଞ୍ଚିଥିଲେ; ସେଠାରେ ମଧ୍ୟ ତାଙ୍କୁ ସମାନ ନିର୍ଦ୍ଦେଶ ଦିଆଯାଇଥିଲା। ସ୍ବାମୀ ଦ୍ବାରା ନିର୍ଯାତିତ ହେବାପରେ ନ୍ୟାୟ ପାଇଁ ପୁଲିସ୍‌ ପାଖରେ ପହଞ୍ଚିଥିଲେ ମଧ୍ୟ ନ୍ୟାୟରୁ ବଞ୍ଚିତ ହୋଇଥିଲେ। ବିଡ଼ମ୍ବନା ଏହା ଯେ, ୫ ମାସର ଗର୍ଭବତୀ ପୀଡ଼ିତାଙ୍କ ଏତଲା ରଖିବାକୁ ବି ମନା କରିଦେଇଥିଲେ। ଶେଷରେ ଅନନ୍ୟୋପାୟ ହୋଇ ପିଡ଼ିତା ସୋମବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ। ସେଠାରୁ ନିର୍ଦ୍ଦେଶପରେ ସେକ୍ଟର-୭ ପୁଲିସ ଶେଷରେ ମାମଲା ରୁଜୁ କରିଛି। ୫ ମାସର ଗର୍ଭବତୀ ପୀଡ଼ିତା ଏବେ ନ୍ୟାୟ ପାଇଁ ଅପେକ୍ଷାରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe