ସହିଦ ସ୍ମୃତି ଭବନ ପୁନରୁଦ୍ଧାର ବାଟ ଫିଟିଲା, ଆସନ୍ତା ମାସରେ ହେବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

Advertisment
ସହିଦ ସ୍ମୃତି ଭବନ ପୁନରୁଦ୍ଧାର ବାଟ ଫିଟିଲା, ଆସନ୍ତା ମାସରେ ହେବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

ବାରିପଦା : କଳା ଓ ସଂସ୍କୃତିର ସହର ବାରିପଦାରେ ଥିବା ସହିଦ ସ୍ମୃତି ଭବନର ପୁନରୁଦ୍ଧାର ଓ ଆଧିୁନିକୀକରଣ କାର୍ଯ୍ୟ ପାଇଁ ପଥ ପରିଷ୍କାର ହୋଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ପ୍ରମୁଖ ମାଧ୍ୟମ ସାଜିଥିବା ଏହି ସହିଦ ଭବନ କିନ୍ତୁ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଲାଇଟ୍‌, ସାଉଣ୍ଡ୍‌ରୁ ଆରମ୍ଭ କରି ବସିବା ସ୍ଥାନ ବିଭିନ୍ନ କ୍ଷେତ୍ରରେ ଏହି ଅଡିଟୋରିୟମ୍‌ର ପୁନରୁଦ୍ଧାର ଓ ଆଧିନିକୀକରଣ ଆବଶ୍ୟକତା ରହିଛି। ତେଣୁ ଏନେଇ ବାରିପଦା କଳାକାର ପରିବାର ପକ୍ଷରୁ ଚଳିତ ବର୍ଷ ଜାନୁୟାରୀ ମାସରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବି ସମ୍ପର୍କରେ ବିଚାର କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଅଜିତ ଦାସ, ବିଜୟ ମହାନ୍ତିଙ୍କ ଭଳି ପ୍ରମୁଖ କଳାକାର ପ୍ରଦର୍ଶନ କରିଥିବା ଏହି ଭବନର ପୁନରୁଦ୍ଧାର ନେଇ କିନ୍ତୁ ପଥ ପରିଷ୍କାର ହୋଇଛି। ଆସନ୍ତା ମାସରେ ‌ବାରିପଦା ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହିଦ ସ୍ମୃତି ଭବନରେ ହେବାର କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଛି। ଆଜି ଏନେଇ ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଏହି ସ୍ଥାନ ପରିଦର୍ଶନ କରିଥିଲେ। ଏହାର ପୁନରୁଦ୍ଧାର ନେଇ ତୁରନ୍ତ ଯୋଜନା ପ୍ରସ୍ତୁତ କରିବା ସହିତ ଏହାର ତ୍ବରିତ କାର୍ଯ୍ୟାନ୍ବୟନ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ଏହି ଅଡିଟୋରିୟମ୍‌ର ପୁନରୁଦ୍ଧାର ନେଇ ସ୍ବତନ୍ତ୍ର ବ୍ୟୟ ଅଟକଳ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଜିଲ୍ଲା ସଦର ମହକୁମାର ବାରିପଦାରେ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ସହିଦ ସ୍ମୃତି ଭବନ ଏକ ପ୍ରମୁଖ ବ୍ୟବସ୍ଥା। ମାତ୍ର ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କାରଣରୁ ଏହା କ୍ରମଶଃ ଶ୍ରୀହୀନ ହୋଇପଡ଼ିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କାରଣରୁ ଏହି ଅଡିଟୋରିୟମ୍‌ର ପୁନରୁଦ୍ଧାର ବାଟ ଫିଟିଛି। ପ୍ରଶାସନିକ ଅବହେଳା କାରଣରୁ ଏହାର ପୁନରୁଦ୍ଧାର ବିଳମ୍ବିତ ହେଉଥିଲା। ସହିଦ ସ୍ମୃତି ଭବନର ପୁନରୁଦ୍ଧାର ଏବଂ ଆଧିୁନିକୀକରଣ କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ବାରିପଦା କଳାକାର ପରିବାର ସମ୍ପାଦକ ମନୋଜ ଦଳବେହେରା। ଏହି ଅଡି‌ଟୋରିୟମ୍‌ର ପୁନରୁଦ୍ଧାର କରାନଗଲେ କଳା ସଂସ୍କୃତି ତଥା ନାଟକ କ୍ଷେତ୍ରରେ ଜିଲ୍ଲାର ଯେଉଁ ନାମ ଅଛି ତାହା ଅଚିରେ ଲୋପ ପାଇଯିବ। ବର୍ତ୍ତମାନ ସମୟକୁ ଖାପ ଖୁଆଇ ନାଟକ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ଏକମାତ୍ର ମାଧ୍ୟମ ଏହି ମଞ୍ଚର ଆଧୁନିକୀକରଣ ନିହାତି ଆବଶ୍ୟକ ବୋଲି ଶ୍ରୀ ଦଳବେହେରା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ବରିଷ୍ଠ ନିର୍ଦ୍ଦେଶକ ଧୀର ବସା, ଅସିତ ପତି ପ୍ରମୁଖ ଏହାର ପୁନରୁଦ୍ଧାର ନେଇ ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe