‘ସମ୍ବାଦ’ର ପ୍ରଭାବ; ନାଗୁପଡ଼ା-ଛଞ୍ଚାଣଗାଢ଼ ଉପରେ ନିର୍ମାଣ ହେବ ସେତୁ

Advertisment
‘ସମ୍ବାଦ’ର ପ୍ରଭାବ; ନାଗୁପଡ଼ା-ଛଞ୍ଚାଣଗାଢ଼ ଉପରେ ନିର୍ମାଣ ହେବ ସେତୁ

ଜୟପାଟଣା: ଗତ ଗୁରୁବାର ‘ସମ୍ବାଦ’ରେ ଇନ୍ଦ୍ରାବତୀ ପାରିପାର୍ଶ୍ଵିକ ଅନୁଦାନ ପାଣ୍ଠିର ସ୍ବପ୍ନ ଦେଖୁଥିବା ଗାଁ-ନାଗୁପଡ଼ା ଶୀର୍ଷକ ଖବର ପ୍ରକାଶିତ ହେବାପରେ ପାଠକ ମହଲରେ ବ୍ୟାପକ ଆଲୋଚନା ହୋଇଥିଲା। ସୋସିଆଲ୍‌ ମିଡିଆରେ ମଧ୍ୟ ଏହି ଖବର ଲୋକଙ୍କ ପ୍ରତିକ୍ରିୟା ବଢ଼ାଇ ଥିଲା। କଳାହାଣ୍ଡି ଜିଲ୍ଲାପାଳଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ଜୟପାଟଣା ବିଡିଓଙ୍କୁ ନାଗୁପଡ଼ା ଉପରେ ତଥ୍ୟ ମାଗିଛନ୍ତି। ଏହା ସହିତ ସେତୁ ନିର୍ମାଣ ସମ୍ପର୍କିତ ତଥ୍ୟ ଏବଂ ଆବଶ୍ୟକ ଅର୍ଥ ଉପରେ ସବିଶେଷ ବିବରଣୀ ମାଗିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଗୁରୁବାର ଦିନ ଚିଠି ପହଞ୍ଚିବା ପରେ ଜୟପାଟଣା ବିଡିଓଙ୍କ ଏକ ସ୍ୱତନ୍ତ୍ର ଟିମ୍‌ ନାଗୁପଡ଼ା ଗ୍ରାମକୁ ଯାଇ ଲୋକଙ୍କ ସହିତ ଆଲୋଚନା କରିଥିଲେ।

ବର୍ଷକୁ ୬ମାସ ଧରି ପ୍ରତିବନ୍ଧକ ସାଜୁଥିବା ଖରସ୍ରୋତା ଛଞ୍ଚାଣଗାଢ଼ ଉପରେ ୬୦ ମିଟର ଲମ୍ବ, ୬ ମିଟର ଉଚ୍ଚତା, ୬ ମିଟର ଚଉଡ଼ାରେ ଏକ ସେତୁ ନିର୍ମାଣ ପାଇଁ ରିପୋର୍ଟ ପ୍ରଦାନ କରି ତାର ଅନୁମୋଦନ ପାଇଁ ପଠାଯାଇଛି। ଏହି ସେତୁ ନିର୍ମାଣ ପାଇଁ ଆନୁମାନିକ ମୂଲ୍ୟ ୧.୮ କୋଟି ରଖାଯାଇଥିବା ଜଣାପଡ଼ିଛି। ବର୍ଷବର୍ଷ ଧରି ରାଜନେତା ଓ ପ୍ରାଶାସନିକ ତାଡ଼ନାର ଶିକାର ହୋଇ ଆସିଥିଲେ ନାଗୁପଡ଼ା ଗ୍ରାମବାସୀ। ଏମାନଙ୍କ ଭୋଟ୍‌ ହାତେଇବା ପାଇଁ ରାଜନେତା ମାନେ ବାରମ୍ବାର ଆପଣେଇ ଥିବା ଅଭିନୟକୁ ଲୋକେ ବୁଝିଥିଲେ। ଗତ ପଞ୍ଚାୟତ ଓ ବିଧାନସଭା ନିର୍ବାଚନକୁ ସମ୍ପୂର୍ଣ ବର୍ଜନ କରିଥିଲେ। ଗାଁ ମାଟି ପାଇଁ ଏକ ଶାନ୍ତିପୂର୍ଣ୍ଣ ଲଢ଼େଇର ସୂତ୍ରପାତ କରିଥିଲେ।

ରାଜନେତାଙ୍କ ଠାରୁ ସମ୍ପୂର୍ଣ ନିରାଶ ହେବାପରେ ଏବେ ପ୍ରାଶାସନିକ ପଦକ୍ଷେପ ଆରମ୍ଭ ହୋଇଥିବାରୁ ଗାଁ ଲୋକେ କଳାହାଣ୍ଡି ଜିଲ୍ଲାପାଳ ଡ଼ଃ ଗାଭାଲି ପରାଗ ହର୍ଷଦଙ୍କୁ ସାଧୁବାଦ ଜଣାଇଛନ୍ତି। ଦେଖାଯାଉ ଗାଁ ପାଇଁ ସଂଯୋଗ ବ୍ୟବସ୍ଥା ଓ ଛଞ୍ଚାଣଗାଢ଼ ଉପରେ ଏକ ପୋଲ ପାଇଁ ସ୍ବପ୍ନ ଦେଖି ଆସିଥିବା ଲୋକଙ୍କୁ ବାସ୍ତବତା କେବେ ସ୍ପର୍ଶ କରୁଛି। ତାହା ଏବେ ଦେଖିବାର ବେଳ ଆସିଛି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe