ସମ୍ବଲପୁର: ସମ୍ବଲପୁରୀ ବହିହାଟର ଉଦ୍ଯାପନୀ ଦିବସରେ ପୁସ୍ତକପ୍ରେମୀ ଏବଂ ସାହିତ୍ୟ ପ୍ରେମୀଙ୍କର ବେଶି ଭିଡ଼ ଜମିଥିଲା। ପୁସ୍ତକ ବିକ୍ରୟ, ପ୍ରଦର୍ଶନ ସମେତ ‘କଲମ ପରିବାର’ ପକ୍ଷରୁ ଆଲୋଚନାଚକ୍ର ଓ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରକାଶକ, ଲେଖକ ନିଜ ନିଜର ପୁସ୍ତକ ବିକ୍ରିୟ ଓ ପ୍ରଦର୍ଶନ କରିଥିବା ବେଳେ ଭାଷା ପ୍ରେମୀମାନେ ସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ‘ସମ୍ବଲପୁରୀ ଭାଷା ସାହିତ୍ୟର ସ୍ଥିତି ଓ ସମ୍ଭାବନା’ ଶୀର୍ଷକ ଆଲୋଚନାଚକ୍ରରେ ଡ. ଗୌରୀଦାସ ପ୍ରଧାନ ସମ୍ବଲୁପୁରୀ ସାହିତ୍ୟର ବିକାଶ ଧାରାକୁ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ଉଭୟ ଲେଖକ ଓ ପାଠକ ସଚେତନ ହୋଇପାରିଲେ ସମ୍ବଲପୁରୀ ଭାଷା ଶୀର୍ଷକୁ ଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଗବେଷକ ମୋହନ ସାହୁ କହିଲେ, ଶୈଳୀ ଆଧୁନିକ ନହେଲେ ବିଚାର ଓ ଭାବ ଆଧୁନିକ ହୋଇପାରିବ ନାହିଁ। ପୁସ୍ତକ ପ୍ରକାଶନ ପୂର୍ବରୁ ଲେଖକମାନେ ନିଜ ଲେଖାକୁ ବାରଂବାର ପଢ଼ି ତାର ଗୁଣାତ୍ମକ ବିକାଶ ପାଇଁ ଚେଷ୍ଟା କଲେ ସଫଳ ସାହିତ୍ୟ ସୃଷ୍ଟି ହୋଇପାରିବ। ଅନ୍ୟତମ ଆଲୋଚକ ଉତ୍ପନ ଭୋଇ କହିଲେ, ଆମ କବିତାରେ ବିପ୍ଲବର ଧୂନ, ତେଜ ଓ ଚମକ ଅଛି। ଆମ ସାହିତ୍ୟର ପ୍ରକାଶନ ଦିଗରେ କାର୍ଯ୍ୟ କରିବା ପାଇଁ ଅଣ୍ଟା ଭିଡ଼ିବା। ବହିହାଟର ଶେଷ ଅଧିବେଶନରେ କବିତା ପାଠ ହୋଇଥିଲା। କବି ବିନୋଦ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତାପାଠ କାର୍ଯ୍ୟକ୍ରମରେ ଅନେକ କବି ନିଜ ନିଜର କବିତାପାଠ କରିଥିଲେ। ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରୁ ୫୦ରୁ ବେଶୀ କବି ଯୋଗ ଦେଇଥିଲେ। ଶେଷରେ ଡ.ସତ୍ୟ ନାରାୟଣ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଡ.ପରେଶ ଚନ୍ଦ୍ର ଦାନୀ ଓ ଭକ୍ତ ପ୍ରସାଦ ନନ୍ଦ କାର୍ଯ୍ୟକ୍ରମର ସଫଳତା ପାଇଁ ଆୟୋଜକ ‘କଲମ ପରିବାର’କୁ ଧନ୍ୟବାଦ ଦେଇଥିଲେ।
Follow Us