୮ରୁ ସମ୍ବଲପୁର ମହୋତ୍ସବ ଆରମ୍ଭ

୮ରୁ ସମ୍ବଲପୁର ମହୋତ୍ସବ ଆରମ୍ଭ

ସମ୍ବଲପୁର: ଆସନ୍ତା ୮ ଫେବୃୟାରୀଠାରୁ ଅଇଁଠାପାଲି ବୀର୍‌ସା ମୁଣ୍ଡା ମଇଦାନ(ପିଏଚ୍‌ଡ଼ି ପଡ଼ିଆ) ସମ୍ବଲପୁର ମହୋତ୍ସବ ଆରମ୍ଭ ହେବ। ୮ ତାରିଖ ଦିନ ସକାଳେ ସମଲେଇ ମନ୍ଦିରରୁ ଆଜ୍ଞାମାଳ ବୀର୍‌ସା ମୁଣ୍ଡା ମଇଦାନକୁ ଅଣାଯିବ। ଦିନ ୧୦ ଟାରେ ଫାଟକ, ବୁଢ଼ାରଜା ଠାରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ମହୋତ୍ସବ ସ୍ଥଳ ପର୍ଯ୍ୟନ୍ତ ଆସିବା ପରେ ଝୋଟି, ରଂଗୋଲି ପ୍ରତିଯୋଗିତା ସହିତ ଷ୍ଟଲ୍‌, ମନ୍‌ହରି ହାଟ, ମୀନା ବଜାର ଓ ‘ସୁଆଦ୍‌ ସମ୍ବଲ୍‌ପୁରୀ’ ଖାଦ୍ୟ ମେଳା ଉଦ୍‌ଘାଟିତ ହେବ। ସନ୍ଧ୍ୟା ସାଢ଼େ ୬ଟାରେ କବି ବିନୋଦ ପଶାୟତ ମହୋତ୍ସବର ଉଦ୍‌ଘାଟନ କରିବେ ବୋଲି ଆୟୋଜକ ସଂଗଠନ ସମ୍ବଲପୁର ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ସପନ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ଯେ, ସମ୍ବଲପୁରୀ ଫେଶନ୍‌ ରାମ୍ପ୍‌ ୱାକ୍‌, ସମ୍ବଲପୁରୀ ଲୋକ ନୃତ୍ୟ, ପାରଂପାରିକ ନୃତ୍ୟ, ସାଂପ୍ରତିକ ନୃତ୍ୟ ପ୍ରଦର୍ଶିତ ହେବ। ଆଂଚଳିକ, ରାଜ୍ୟସ୍ତରୀୟ ଆଦିବାସୀ ଓ ଜନଜାତୀୟ ଅବଲୁପ୍ତମୂଖୀ ନୃତ୍ୟ ଦଳ ପ୍ରଦର୍ଶନ କରିବେ। ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ମାଷ୍ଟର ପ୍ରେମ୍‌ଙ୍କ ନିର୍ଦ୍ଦେଶନାରେ ଗାୟତ୍ରୀ କଲେଜର କଳାକାରମାନେ ଶ୍ରୀରାମଙ୍କ ଗାଥା ନୃତ୍ୟ ପରିବେଷଣ କରିବେ। ପରେ ବିହୁ ଓ ଲାବଣୀ ନୃତ୍ୟ ପରିବେଷଣ କରାଯିବ। ସମଲେଇ ପ୍ରକଳ୍ପ ଲୋକାର୍ପଣ ହୋଇଥିବାରୁ କିଂବଦନ୍ତୀ ଆଧାରରେ ଏକ କାର୍ଯ୍ୟକ୍ରମ ‘ସାତ୍‌ବହନୀ’ ପରିବେଷଣ କରାଯିବ। ସାତଦିନ ଧରି ବିଭିନ୍ନ ଜନଜାତିର ନୃତ୍ୟ ସହିତ ବିକଶିତ ଗୀତନୃତ୍ୟ ପ୍ରତ୍ୟହ ପରିବେଶିତ ହେବ। ମହୋତ୍ସବର ଦ୍ବିତୀୟ ଓ ତୃତୀୟ ଦିବସରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ଜାମସେଦପୁରରୁ ଓମ୍‌ନିଶ ଦାସ୍ ଓ ଦଳ ପ୍ରସ୍ତୁତ କରିବେ ‘ସମଲେଇ ଗୁଡ଼ି ତିଆରିର କିଂବଦନ୍ତୀ କଥା’। ଫଟୋଚିତ୍ର, ଚିତ୍ରକଳା, ହସ୍ତକଳା ଓ ଲଳିତ କଳା ପ୍ରଦର୍ଶନୀ ମଧ୍ୟ ଏହି ମହୋତ୍ସବରେ ସ୍ଥାନ ପାଇବ। ବିଭିନ୍ନ ବିଶ୍ବବିଦ୍ୟାଳୟର ୬ ଜଣ କୁଳପତିଙ୍କ ସମେତ ବିଭିନ୍ନ ନେନୃମଣ୍ଡଳୀ ଓ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଅତିଥି ଓ ବକ୍ତା ଭାବରେ ମଂଚ ମଣ୍ଡନ କରିବେ। ମହୋତ୍ସବରେ ୭୦୦ରୁ ଅଧିକ କଳାକାର ସାମିଲ ହେବା କାର୍ଯ୍ୟକ୍ରମ ରହିଛି। ମହୋତ୍ସବ ନିମନ୍ତେ ପ୍ରାୟ ୪୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ପାର୍ବତୀ ସେଠ, ଦୁର୍ଗା ଦାଶ, ସଦାନନ୍ଦ ପଣ୍ଡା ଓ ସଂଯୁକ୍ତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe