ଅଇଁଠାପାଲି ଥାନା ହାଜତ ମୃତ୍ୟୁ: ‘ରୁଜୁ ହେଉ ହତ୍ୟା ମାମଲା, ତଦନ୍ତ କରନ୍ତୁ ହାଇକୋର୍ଟ ବିଚାରପତି’

ସରଜମିନ ତଦନ୍ତ କଲେ ପ୍ରଦେଶ କଂଗ୍ରେସ କମିଟି ପ୍ରତିନିଧି

ଅଇଁଠାପାଲି ଥାନା ହାଜତ ମୃତ୍ୟୁ: ‘ରୁଜୁ ହେଉ ହତ୍ୟା ମାମଲା, ତଦନ୍ତ କରନ୍ତୁ ହାଇକୋର୍ଟ ବିଚାରପତି’

ସମ୍ବଲପୁର: ଅଇଁଠାପାଲି ଥାନା ହାଜତରେ ଅବିନାଶ ମୁଣ୍ଡାଙ୍କ ମୃତ୍ୟୁକୁ ହତ୍ୟା ମାମଲା ଭାବରେ ରୁଜ୍ଜୁ ପାଇଁ ଦାବି କରିଛି ପ୍ରଦେଶ କଂଗ୍ରେସ କମିଟି। ଉଚ୍ଚ ନ୍ୟାୟାଳୟ ବିଚାରପତି ଦ୍ୱାରା ଏହି ମାମଲାର ତଦନ୍ତ କରାଯିବା, ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ହାଜତ ପୋଡ଼ି ଘଟଣାରେ ଗାଁର କୌଣସି ବ୍ୟକ୍ତିଙ୍କ ନାଁରେ ମିଥ୍ୟା ମାମଲା ରୁଜ୍ଜୁ ନକରିବା ପାଇଁ ଦାବି କରିଛି କଂଗ୍ରେସ। ଶୁକ୍ରବାର ଅଇଁଠାପାଲି ଥାନା ହାଜତରେ ଭାଲୁପାଲିର ରଙ୍ଗମିସ୍ତ୍ରି ଅବିନାଶ ମୁଣ୍ଡାଙ୍କ ମୃତ୍ୟୁ ରାଜ୍ୟ ରାଜନୀତିକୁ ସରଗରମ କରିଛି। କୋରାପୁଟ ଜିଲ୍ଲା କୁନ୍ଦୁଲିର ଦୁଷ୍କର୍ମ ପୀଡ଼ିତା ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟାର ଗୋଟିଏ ମାସ ପରେ ପୁନର୍ବାର ଜଣେ ଆଦିବାସୀ ଯୁବକଙ୍କ ହାଜତ ମୃତ୍ୟୁ ଅଭିଯୋଗ ଯୋଗୁଁ ରାଜ୍ୟ କଂଗ୍ରେସର ଅନୁସୂଚିତ ଜାତି-ଜନଜାତି ସେଲକୁ ଚଳଚଞ୍ଚଳ କରିଛି। କୁନ୍ଦୁଲି ଠାରୁ ଅବିନାଶ ପର୍ଯ୍ୟନ୍ତ ଆଦିବାସୀ-ଦଳିତ ସୁରକ୍ଷା ସମ୍ପର୍କିତ ସମସ୍ତ ମାମଲାକୁ ନେଇ ଦିଲ୍ଲୀରେ ସ୍ୱର ଉତ୍ତୋଳନ କରି ଯନ୍ତରମନ୍ତରରେ ଆନ୍ଦୋଳନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଥିବା କହିଛି।

ଏହା ସହିତ ବରଗଡ଼ ବିଜେପୁର ଉପନିର୍ବାଚନ ଯୋଗୁଁ ରାଜ୍ୟ ସରକାରଙ୍କ ବିରୋଧରେ ଗୋଟିଏ ନୂଆ ଅସ୍ତ୍ର ମଧ୍ୟ ଦଳକୁ ମିଳିଛି। ଅବିନାଶ ମୁଣ୍ଡା ହାଜତ ମୃତ୍ୟୁ ଘଟଣାର ନିରୀକ୍ଷଣ ପାଇଁ ମଙ୍ଗଳବାର ରାଜ୍ୟ କଂଗ୍ରେସର ପୂର୍ବତନ ପିସିସି ଅଧ୍ୟକ୍ଷ ଜୟଦେବ ଜେନା, ପିସିସି ଏସଟି ସେଲ ଅଧ୍ୟକ୍ଷ ପ୍ରଦୀପ ମାଝି, ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ, ପିସିସି ଏସସି ସେଲ ଅଧ୍ୟକ୍ଷ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆ ସମ୍ବଲପୁର ପହଞ୍ଚିଥିଲା। ଏହି ଅବସରରେ ସର୍ବପ୍ରଥମେ ସେମାନେ ଭାଲୁପାଲି ସ୍ଥିତ ଅବିନାଶଙ୍କ ଘରକୁ ଯାଇ ତାଙ୍କ ମା ଏସରାନି ଏବଂ କାକା ଆନନ୍ଦ ମୁଣ୍ଡାଙ୍କ ସହିତ ଆଲୋଚନା କରିଥିଲେ। ମା ଏସରାନିଙ୍କ ଅନୁସାରେ, ପୁଅକୁ ଭେଟିବା ପାଇଁ ପ୍ରଥମେ ସେମାନେ ଥାନା ହାଜତକୁ ଯାଇଥିବାବେଳେ ପୁଲିସ ତାଙ୍କୁ ଭେଟିବା ପାଇଁ ଦେଇନଥିଲା। ମାତ୍ର କିଛି ଘଣ୍ଟା ପରେ ଡାକ୍ତରଖାନାରେ ନିଜ ପୁଅର ମରଶରୀର ଦେଖିଥିଲେ।

କାକା ଆନନ୍ଦ ମୁଣ୍ଡା, ତାଙ୍କ ସମ୍ମୁଖରେ ତାଙ୍କ ପୁତୁରାକୁ ମାଡ଼ ଦିଆଯାଇ ଥିବା କହିଥିଲେ। କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଏସଟି ସେଲ ଅଧ୍ୟକ୍ଷ ପ୍ରଦୀପ ମାଝି କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ଆଦିବାସୀ, ଦଳିତ ଏବଂ ଅଳ୍ପସଂଖ୍ୟକ ଅସୁରକ୍ଷିତ ଅଛନ୍ତି। ଝାରସୁଗୁଡ଼ା ବିଧାୟକ ନବ ଦାସ କହିଛନ୍ତି, ଥାନା ପୋଡ଼ି ମାମଲାରେ କୌଣସି ନିରୀହ ବ୍ୟକ୍ତିଙ୍କୁ ଗିରଫ କରାଗଲେ କଂଗ୍ରେସ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବ। ରାଜ୍ୟ କଂଗ୍ରେସ ଟିମର ଏହି ପ୍ରତିନିଧି ଦଳଙ୍କ ସହିତ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ୍ୱର ମିଶ୍ର, ପୂର୍ବତନ ସଭାପତି ରାଜ କିଶୋର ଦାସ, ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ, ଦୁର୍ଯ୍ୟୋଧନ ଗର୍ଡିଆ, ଜିଲ୍ଲା ଏସସି ସେଲ ଅଧ୍ୟକ୍ଷ ମୋତିଲାଲ ତନ୍ତୀ, ନିରଂଜନ ତ୍ରିପାଠୀ, ସୁତପା ମିତ୍ର, ସୁରେଖା ସାହୁ, ସୁରଂଜିନୀ ବାରିକ ପ୍ରମୁଖଙ୍କ ସହିତ କଂଗ୍ରେସ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଅଇଁଠାପାଲି ଥାନା ହାଜତ ମୃତ୍ୟୁ ଘଟଣାର ସ୍ଥିତି ଅନୁଧ୍ୟାନ କରିବ ଆନ୍ତର୍ଜାତୀୟ ମାନବାଧିକାର କାଉନସିଲ। କାଉନସିଲର ସସ୍ମିତା ଦାସଙ୍କ ନେତୃତ୍ୱରେ ୫ ଜଣିଆ ଦଳ ଗୁରୁବାର ଭାଲୁପାଲି ଯିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe