ଚେରୁଆପଡ଼ା ଗୁଳିମାଡ଼ ଘଟଣା:୨ ଗିରଫ, ୨ ଫେରାର

Advertisment

ବନ୍ଧୁକ, ୨ ଗୁଳି ଜବତ

ବନ୍ଧୁକ, ୨ ଗୁଳି ଜବତ

ଚେରୁଆପଡ଼ା ଗୁଳିମାଡ଼ ଘଟଣା:୨ ଗିରଫ, ୨ ଫେରାର

ସମ୍ବଲପୁର : କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡ଼ାର ରୂପକ ସ୍ବାଇଁଙ୍କୁ ଗୁଳିମାଡ଼ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟ ୨ ଜଣ ବର୍ତ୍ତମାନବି ଫେରାର ଅଛନ୍ତି। ଗିରଫ ଦୁଇ ଜଣ ଟାଉନ ଥାନା ଅନ୍ତର୍ଗତ ମୁଦିପଡ଼ା ଛକର ରୋଶନ ମେହେର(୨୮) ଏବଂ କ୍ଷେତରାଜପୁର ଥାନା ଅନ୍ତର୍ଗତ ଷ୍ଟେସନ ପଡ଼ାର ଝସକେତନ ଜାଲ(୩୦) ବୋଲି ଅତିରିକ୍ତ ଏସପି ପ୍ରଦୀପ ମହାପାତ୍ର କହିଛନ୍ତି। ସେମାନଙ୍କ ଠାରୁ ସେମି ଅଟୋମେଟିକ ଇଟାଲିଆନ ମାଉଜର, ୨ଟି ଜୀବନ୍ତ ଗୁଳି, ପଞ୍ଜୀକରଣ ହୋଇନଥିବା ଗାଡ଼ି ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି ୩୪୧, ୨୯୪, ୩୫୪, ୩୦୭, ୩୨୬ ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନ୍ତର୍ଗତରେ ମାମଲା ରୁଜ୍ଜୁ କରାଯାଇଛି। ଏହି ମାମଲାରେ ଆଉ ୨ ଅଭିଯୁକ୍ତ ବର୍ତ୍ତମାନ ମଧ୍ୟ ଫେରାର ଅଛନ୍ତି। ଅଭିଯୁକ୍ତ ରୋଶନ ମେହେର ବିରୋଧରେ ପୂର୍ବରୁ ଟାଉନ ଥାନା, ଜିଆରପି ଥାନା ଏବଂ ଅଇଁଠାପାଲି ଥାନାରେ ବିଭିନ୍ନ ପ୍ରକାର ମାମଲା ରହିଛି। ରୋଶନକୁ ଜାତୀୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ କରାଯିବା ନେଇ ତର୍ଜମା କରାଯାଉଥିବା ଅତିରିକ୍ତ ଏସପି କହିଛନ୍ତି। କ୍ଷେତରାଜପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଏସପି କହିଛନ୍ତି, ୨୭ ତାରିଖ ସଂଧ୍ୟା ୭.୧୦ ମିନିଟରେ ଫାର୍ମରୋଡ଼ ଚେରୁଆପଡ଼ାର ଟିକୁ ସ୍ବାଇଁ (୨୯) , ଓ ତାଙ୍କ ସ୍ତ୍ରୀ ଏବଂ ପୁତୁରା ସହିତ ଗୋଲବଜାର ଯିବାକୁ ବାହାରିଥିଲେ। ଏହି ସମୟରେ ଷ୍ଟେସନ ପଡ଼ାର ଝସକେତନ ଜାଲ ଅନ୍ୟ ୩ ଜଣ ଯୁବକ ସହିତ ସେମାନଙ୍କୁ ଅଟକାଇବା ସହିତ ତାଙ୍କ ସ୍ତ୍ରୀଙ୍କ ସହିତ ଅସଦାଚରଣ କରିଥିଲେ। ଭାଉଜ ସହିତ ଅସଦବ୍ୟବହାର କରୁଥିବା ଦେଖି କିଛି ଦୂରରେ ଠିଆ ହୋଇଥିବା ରୂପକ ସ୍ବାଇଁ ଦୌଡ଼ି ଆସିଥିଲେ। ଘଟଣାର ପ୍ରତିବାଦ କରିଥିଲେ। ଏ ନେଇ ଉତ୍ୟକ୍ତ ହୋଇ ଜଣେ ଅଭିଯୁକ୍ତ ରୂପକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସର୍ବସାଧାରଣ ସ୍ଥାନରେ ସେମାନଙ୍କୁ ଧମକ ମଧ୍ୟ ଦେଇଥିଲେ। ଗୁଳିମାଡ଼ର ଶିକାର ରୂପକଙ୍କୁ ପ୍ରଥମେ ସଦର ଚିକିତ୍ସାଳୟ ଏବଂ ପରେ ବୁର୍ଲା ମେଡିକାଲକୁ ଭର୍ତ୍ତି କରାଯାଇ ଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହି ମାମଲାର ତଦନ୍ତ ପାଇଁ ଏସପିଙ୍କ ନିର୍ଦେଶରେ କ୍ଷେତରାଜପୁର ଥାନା ଅଧିକାରୀ ଯୋଗେଶ ପଣ୍ଡାଙ୍କ ନେତୃତ୍ବରେ ଗଠିତ ଟିମ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟଦିଗରେ ଅଭିଯୁକ୍ତମାନଙ୍କ ସହିତ ଷ୍ଟେସନ ପାର୍କିଂକୁ ନେଇ କୌଣସି ପୂର୍ବ ବିବାଦ ନଥିବା ଅଭିଯୋଗକାରୀ କହିଛନ୍ତି।

ଜବତ ବନ୍ଧୁକ ଝାଡ଼ଖଣ୍ଡରୁ ଆସିଥିବା ସନ୍ଦେହ
ଅଭିଯୁକ୍ତମାନଙ୍କ ଠାରୁ ଜବତ ବନ୍ଧୁକ ଝାଡ଼ଖଣ୍ଡରୁ ସମ୍ବଲପୁରକୁ ଆସିଥିବା ପୁଲିସ କହିଛି। ସ୍ଥାନୀୟ ବ୍ୟକ୍ତିଙ୍କ ଜରିଆରେ ଏହି ବନ୍ଧୁକ ମିଳିଛି। ଏହା କେବଳ ଉଦାହରଣ ମାତ୍ର ଏଭଳି ବନ୍ଧୁକ ସମ୍ବଲପୁରରେ ଅନେକ ଅସମାଜିକ ବ୍ୟକ୍ତିଙ୍କ ପାଖରେ ଘୂରିବୁଲୁଛି। ଏଥିଯୋଗୁଁ ସେମାନେ କଥା କଥାକେ ଗୁଳି ଫୁଟାଉଛନ୍ତି। ଏଭଳି ସ୍ଥିତିରେ ମହିଳାମାନେ ସର୍ବାଧିକ ଅସୁରକ୍ଷିତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe