Sun sets behind a power tower near a building in New Delhi February 4, 2006. REUTERS/Kamal Kishore/Files
ସମ୍ବଲପୁର: ବିଜୁଳି ତାର ସଂସ୍ପର୍ଶରେ ଦେଦରନୂଆପାଲି ନାଥପଡ଼ାର ଚାଷୀ ଜଗଦୀଶ ନାଥଙ୍କ ମୃତ୍ୟୁକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ମୃତକଙ୍କୁ କାହିଁକି ୨୦ ଲକ୍ଷ ଟଙ୍କା ଦିଆଯିବ ନାହିଁ ସେ ନେଇ ଜାତୀୟ ମାନବାଧିକାର କମିସନ ଏହି ନୋଟିସ ଜାରି କରିଛନ୍ତି। ୨୦୧୭ ମସିହା ଜୁନ ୨୩ ତାରିଖ 'ସମ୍ବାଦ'ରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ଜାତୀୟ ମାନବାଧିକାର କର୍ମୀ ଦିଲ୍ଲୀପ ଦାସ ପୀଡ଼ିତଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆବେଦନ କରିଥିଲେ। ଗତବର୍ଷ ଜୁନ ୨୨ ତାରିଖରେ ଏହି ଘଟଣା ଘଟିଥିଲା।
ଏହାର ପୂର୍ବଦିନ ଜଗଦୀଶଙ୍କ ଚାଷ ଜମିରେ ବିଜୁଳି ତାର ଛିଣ୍ଡି ତଳେ ପଡ଼ି ଯାଇଥିଲା। ଏହି ତାର ଉଠାଇବାକୁ ସ୍ଥାନୀୟ ଅଧିବାସୀ ଧନୁପାଲି ବିଜୁଳି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କହିଥିଲେ। ମାତ୍ର ବିଜୁଳି ବିଭାଗର କୌଣସି କର୍ମଚାରୀ ତାର ଉଠାଇବାକୁ ଆସିନଥିଲେ। ଏପରିକି ବିଜୁଳି ଯୋଗାଣ ସମୟରେ ମଧ୍ୟ ଏହାକୁ ଦୃଷ୍ଟି ଦିଆଯାଇ ନଥିଲା। ଅନ୍ୟଦିଗରେ ଗୁରୁବାର ସକାଳୁ, ଜଗଦୀଶ ଚାଷ କାମ ପାଇଁ କ୍ଷେତକୁ ଆସିଥିଲେ। କାମ କରୁଥିବାବେଳେ ଅଚାନକ ଜଗଦୀଶଙ୍କୁ କରେଣ୍ଟ ମାରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ନିଆଯାଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜଗଦୀଶଙ୍କ ଛାତିରେ କରେଣ୍ଟ ଚିହ୍ନ ରହିଥିଲା। ଜଗଦୀଶଙ୍କ ସ୍ତ୍ରୀ, ବିବାହିତା ଝିଅ, ଅବିବାହିତ ପୁଅ ଅଛନ୍ତି। ଏହି ପରିବାରକୁ କ୍ଷତିପୂରଣର ଆବଶ୍ୟକତା ରହିଥିବା କୁହାଯାଇ ଥିଲା।
Follow Us