ଜମନକିରା: ସମ୍ବଲପୁରଜିଲ୍ଲାଜମନକିରା ବ୍ଲକ ବଡ଼ରମା ପଂଚାୟତ ଅଞ୍ଚଳ କୁତବ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷକ ଅଭାବ ରହିଛି। ଶିକ୍ଷକ ନିଯୁକ୍ତି ନେଇ କୁତବ, ରେଙ୍ଗୁମୁଣ୍ଡା, ଚେପଟିକାନି ଓ ସାନ ବାଦିବାହାଲ୍ ଏହି ୪ ଗାଁର ମହିଳା ପୁରୁଷ ଆଜି ପୂର୍ବାହ୍ନ ୧୦ଟାରୁ ସ୍କୁଲ୍ ସଭାନେତ୍ରୀ ମୀନା ସିଂ ଏବଂ ଗାଁର ଶ୍ରୀକର ପଧାନ, ଜୟରାମ ସିଂ, ମନୋଜ୍ ସାହୁ, ନିତ୍ୟାନନ୍ଦ ପଧାନ ପ୍ରଭୃତି ଗାଁ ଲୋକଙ୍କ ନେତୃତ୍ୱରେ ଶିକ୍ଷକ ଦାବିରେ ପ୍ରାଥମିକ ସ୍କୁଲ ସମ୍ମୁଖ ଗେଟ୍‌ରେ ତାଲା ପକାଇ ଦେଇଥିଲେ।

Advertisment

ଧାରଣାରେ ବସିଲେ ଲୋକେ

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ବୁଡ଼ା, ଅଙ୍ଗନୱାଡ଼ି କର୍ମୀ ରୀନା ଡଗରା, ଛାତ୍ରଛାତ୍ରୀ, ଶିଶୁବାଟିକା ଶିଶୁମାନଙ୍କୁ ସ୍କୁଲରୁ ବାହାରି ଯିବାକୁ କହିଥିଲେ। ଏଥିସହ ପ୍ରାଥମିକ ସ୍କୁଲ୍ ଗେଟ୍ ସମ୍ମୁଖରେ ୪ ଗାଁର ମହିଳା ପୁରୁଷ ଶିକ୍ଷକ ଦାବି ଜଣାଇ ଧାରଣା ଦେଇଥିଲେ। ପରେ ଖବର ପାଇ ଏବିଇଓ ଦେବକୀ ନାଏକ, ସିଆରସିସି, ଏକାଉଣ୍ଟାଣ୍ଟ ନିରଞ୍ଜନ ସେଠ୍ ପ୍ରମୁଖ ପହଂଚି ବୁଝାସୁଝା କରିଥିଲେ। ଉତ୍ତ୍ୟକ୍ତ ୪ ଗାଁ ଲୋକେ ସେହି ସ୍କୁଲ୍ରୁ ଶିକ୍ଷକ ଗୌରାଙ୍ଗ ବାଘଙ୍କୁ ସ୍ଥାନାନ୍ତର (ଡେପୁଟେଶନ) କରିଥିବାରୁ ତାଙ୍କୁ ଫେରାଇ ଦେବାକୁ ଦାବି କରିଥିଲେ। 

ବିଦ୍ୟାଳୟରେ ୨ଜଣ ଶିକ୍ଷକ

ପୂର୍ବରୁ ଉକ୍ତ ସ୍କୁଲ୍‌ରେ ୪ ଜଣ ଶିକ୍ଷକ ରହିଥିଲେ। ଏଥିମଧ୍ୟରୁ ବିଦ୍ୟାଧର କୂମୁରାଙ୍କ ଦେହାନ୍ତ ଘଟି ଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ଗୌରାଙ୍ଗ ବାଘଙ୍କୁ ରେଙ୍ଗୁମୁଣ୍ଡା ପ୍ରାଥମିକ ସ୍କୁଲ୍ କୁ ସ୍ଥାନାନ୍ତର କରାଯାଇ ଥିଲା। ବର୍ତ୍ତମାନ୍ ପରିସ୍ଥିତିରେ କୁତବ ପ୍ରାଥମିକ ସ୍କୁଲରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୪୩ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ଏଠାରେ ୨ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଫଳରେ ସ୍କୁଲ୍ ରେ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ବହୁତ ଅସୁବିଧାର ସମ୍ବୁଖିନ ହେଉଛନ୍ତି। 

ଆହୁରି ପଢ଼ନ୍ତୁ: Kota student death : କୋଟାରେ ଓଡ଼ିଆ ଛାତ୍ରଙ୍କ ସଂଦେହଜନକ ମୃତ୍ୟୁ

ଶିକ୍ଷା ବିଭାଗର ଅବହେଳା!

ଏନେଇ କୁତବ ଗାଁ ଲୋକେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଓ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବାରମ୍ବାର ଦାବି ଜଣାଇ ଥିବା ବେଳେ ଜମନକିରାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ମଧ୍ଯ ଅଭିଯୋଗ କରିଥିଲେ। ହେଲେ ଏଦିଗରେ ପ୍ରଶାସନିକ ଅବହେଳାରୁ ଦୀର୍ଘ ମାସ ପରେ ବି ଶିକ୍ଷକ ନିଯୁକ୍ତି ହୋଇପାରିନାହିଁ। ଏନେଇ ବିଇଓ ରୁକ୍ମଣ ପ୍ରଧାନଙ୍କୁ ପୁଣିଥରେ ଲିଖିତ ଦାବିପତ୍ର ଦେବା ସହିତ ଏକ ସପ୍ତାହ ସମୟ ଦିଆଯାଇଥିଲା। କିନ୍ତୁ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ କୁତବ ଗାଁ ସମେତ ୪ ଗାଁ ଲୋକେ ବାଧ୍ୟ ହୋଇ ଶନିବାର ୯ ଟା ରୁ ଉକ୍ତ ପ୍ରାଥମିକ ସ୍କୁଲ୍ ସମ୍ମୁଖରେ ୪ ଗାଁର ମହିଳା ପୁରୁଷ, ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ଖବର ପାଇ ଜମନକିରା ଏବିଓ ଦେବକୀ ନାଏକ ଧାରଣା ସ୍ଥଳକୁ ପହଞ୍ଚି ସ୍ଥାନାନ୍ତର ହୋଇଥିବା ଶିକ୍ଷକ ଗୌରାଙ୍ଗ ବାଘଙ୍କ ଡେପୁଟେଶନ ରଦ୍ଦ କରିବା ସହ ତାଙ୍କୁ ତୁରନ୍ତ କୁତବ ପ୍ରାଥମିକ ସ୍କୁଲକୁ ଫେରାଇ ଦିଆଯାଇ ଥିଲା। ଖୁବ ଶୀଘ୍ର ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ଏବିଇଓ ଲିଖିତ ପ୍ରତିଶ୍ରୁତି ଦେବାପରେ ଗାଁ ଲୋକେ ତାଲା ଖୋଲିବା ସହିତ ଧାରଣାରୁ ଉଠି ଯାଇଥିଲେ।

ଆହୁରି ପଢ଼ନ୍ତୁ: Investment In Projects: ୩୩ଟି ପ୍ରକଳ୍ପରେ ନିବେଶ ହେବ ୧.୪୬ ଲକ୍ଷ କୋଟି ଟଙ୍କା