ଯୁଯୁମୁରା : ସାନ ଭାଇକୁ ବୀଭତ୍ସ ହତ୍ୟା, ଅଭିଯୁକ୍ତ ଗ୍ରାମରକ୍ଷୀ ଅଟକ

Advertisment
ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଯୁଯୁମୁରା : ଯୁଯୁମୁରା ଥାନା ଅନ୍ତର୍ଗତ ନୂଆଅଢ଼ାପଡ଼ା ଗାଁରେ ମଙ୍ଗଳବାର ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇର ଆକ୍ରମଣରେ ସାନଭାଇର ମୃତ୍ୟୁ ହୋଇଛି। ଘଟଣାରେ ଅଭିଯୁକ୍ତ ବଡ଼ଭାଇ ତଥା ଗ୍ରାମରକ୍ଷୀ ଘାସିରାମ ବୀରଗଂଠିଆ (୫୦)କୁ ପୁଲିସ ଅଟକ ରଖିଛି। ବୁଧବାର ସକାଳ ୮ଟା ୩୦ରେ ଉକ୍ତ ଗାଁର ରସାନନ୍ଦ ବୀରଗଂଠିଆ (୩୯)ଙ୍କ ମୃତଦେହ ତାଙ୍କ ବଡ଼ ଭାଇ ଘାସିରାମଙ୍କ ଘର ନିକଟରେ ପଡ଼ିଥିବା ଲୋକେ ଦେଖିଥିଲେ। ଖବର ପାଇ ଯୁଯୁମୁରା ଥାନା ଅଧିକାରୀ ତାରାବତୀ ପ୍ରଧାନ ସଦଳବଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଘାସିରାମ ଓ ରସାନନ୍ଦଙ୍କ ମଝିଆଁ ଭାଇ ରସିଆ ବୀରଗଂଠିଆ ପୁଲିସକୁ ଦେଇଥିବା ସୂଚନା ମୁତାବକ ତାଙ୍କ ସାନଭାଇ ରସାନନ୍ଦ ଏକ ଘରୋଇ ଯାତ୍ରୀବାହୀ ବସ୍‌ରେ ହେଲପର୍‌ କାମ କରନ୍ତି। ରସାନନ୍ଦଙ୍କର ତାଙ୍କ ପତ୍ନୀଙ୍କ ସହ ପୂର୍ବରୁ ମନାନ୍ତର ଥିଲା। ଏହି କାରଣରୁ ୨ ମାସ ପୂର୍ବରୁ ସେ ତାଙ୍କ ପତ୍ନୀ ଓ ୩ ବର୍ଷର ପୁଅକୁ ନେଇ ତାଙ୍କ ବାପଘର ଗାଁ ଲରମ୍ଭା ଛନ୍ଦପାଲିରେ ଛାଡ଼ି ଆସିଥିଲେ। ସେବେଠାରୁ ସେ ଏକା ଥିବାବେଳେ ପତ୍ନୀଙ୍କୁ ବୁଝାଇସୁଝାଇ ନେଇ ଆସିବାକୁ ବଡ଼ ଭାଇଙ୍କୁ ଅନୁରୋଧ କରୁଥିଲେ। ବଡ଼ ଭାଇ ଘାସିରାମ ଏ ସଂପର୍କରେ ଥାନାରେ ବି ପୂର୍ବରୁ ସୂଚନା ଦେଇଥିଲେ।

ଏସବୁ ଭିତରେ ବୁଧବାର ସକାଳେ ବଡ଼ଭାଇଙ୍କ ଘର ନିକଟରେ ସାନଭାଇର ଶବ ପଡ଼ିଥିବା ସମସ୍ତଙ୍କୁ ସ୍ତବ୍‌ଧ କରିଥିଲା। ଏହି ସମୟରେ ବଡ଼ଭାଇ ଘାସିରାମ, ତାଙ୍କ ପତ୍ନୀ ବୃନ୍ଦାବତୀ ଓ ଦୁଇ ପିଲା ଗାଁରୁ ଫେରାର ହୋଇ ଯାଇଥିବା ଦେଖିବାକୁ ମିଳିଥିଲା। ମୃତ ରସାନନ୍ଦର ମୁଣ୍ଡରେ ଆଘାତ ଲାଗିବା ସହ ମୁହଁ କ୍ଷତାକ୍ତ ହୋଇ ଯାଇଥିଲା। ନିକଟରେ ଗୋଟିଏ ମୋବାଇଲ, କିଛି ଭଙ୍ଗା ଚୁଡ଼ି, ଗୋଟିଏ ବାଡ଼ି ଓ ୨ଟି ରକ୍ତଲଗା ପଥର ଖଣ୍ଡ ପଡ଼ିଥିଲା। ତେଣୁ ରାତିରେ ତାଙ୍କୁ ବାଡ଼ି ଓ ପଥରରେ ଆକ୍ରମଣ କରା ଯାଇଥିବା ଓ ରାତିରେ କୌଣସି ବନ୍ୟଜନ୍ତୁ ଆସି ମୁହଁକୁ କ୍ଷତାକ୍ତ କରି ଦେଇଥିବା ପୁଲିସ୍‌ ସଂଦେହ କରୁଛି। ବୁଧବାର ଅପରାହ୍‌ଣରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳ ଯାଞ୍ଚ କରିଥିଲେ। ସଂଧ୍ୟାରେ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠା ଯାଇଥିଲା।

ମଝିଆଁ ଭାଇ ରସିଆଙ୍କ ଅଭିଯୋଗ ଆଧାରରେ ପୁଲିସ୍ ବଡ଼ଭାଇ ଘାସିରାମଙ୍କ ମୋବାଇଲ ଟ୍ରାକ୍‌ କରି ସେ ଧମା ଥାନା ଅନ୍ତର୍ଗତ ସୁବନପୁର ଗାଁ ସ୍କୁଲ୍ ନିକଟରେ ଥିବା ଜାଣିବାକୁ ପାଇଥିଲା। ଏ ସଂପର୍କରେ ଧମା ଥାନାକୁ ସୂଚନା ଦିଆଯିବା ପରେ ଧମା ପୁଲିସ ଯାଇ ଘାସିରାମକୁ ଧରି ଯୁଯୁମୁରା ପୁଲିସକୁ ହସ୍ତାନ୍ତର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe