ଶାନ୍ତିଶୃଙ୍ଖଳା ସହ ସରିଲା ହନୁମାନ ଜୟନ୍ତୀ

ଶାନ୍ତିଶୃଙ୍ଖଳା ସହ ସରିଲା ହନୁମାନ ଜୟନ୍ତୀ

ସମ୍ବଲପୁର: ଚଳିତ ବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ ହୋଇଛି। ଗତକାଲି ଠାରୁ ସହର ସାରା ହନୁମାନ ଝଣ୍ଡା ଲାଗିଥିବା ବେଳେ ସକାଳୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ରରେ ହନୁମାନ ଚାଲିଶା, ଭଜନ ଆଦି ଗୁଂଜରିତ ହେଉଥିଲା। ପୂର୍ବ ବର୍ଷଗୁଡ଼ିକ ଭଳି ସହରରେ ଭକ୍ତିମୟ ପରିବେଶ‌େ ସୃଷ୍ଟି ହୋଇଥିଲା। ଅନ୍ୟ ବର୍ଷ ଭଳି ଏଥର ବାହାରିନଥିଲା ଶୋଭାଯାତ୍ରା। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୁଲିସ-ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇନଥିଲା। ତେବେ, ସହରର ପଡ଼ା ପଡ଼ାରେ ପାଳିତ ହୋଇଥିବା ହନୁମାନ ଜୟନ୍ତୀ। ମନ୍ଦିରଗୁଡ଼ିକରେ ଅନ୍ୟ ବର୍ଷଭଳି ସଜାଯାଇଥିବା ବେଳେ ପଣା ମଧ୍ୟ ବଣ୍ଟା ଯାଇଥିଲା। ଲୋକେ ବହୁ ସଂଖ୍ୟାରେ ନିଜ ନିଜ ଅଂଚଳର ମନ୍ଦିରକୁ ଆସି ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟାରେ ବ୍ରୁକ୍‌ସ ହିଲ୍‌ ହନୁମାନ ମନ୍ଦିର ପରିସରରେ ମହାଆଳତି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

publive-image

ହନୁମାନ ଜୟନ୍ତୀ ସମନ୍ବୟ ସମିତିର ସଭାପତି ସୁଧୀର ବହିଦାରଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କ ସହିତ ମହାଆଳତି କରିଥିଲେ। ହନୁମାନଙ୍କ ଗଦା ମଧ୍ୟ ପ୍ରଦର୍ଶନ କରିଥିଲେ। ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ମହାଆଳତିରେ ସାମିଲ ହୋଇଥିଲେ। ହନୁମାନ ଜୟନ୍ତୀ ସମନ୍ବୟ ସମିତିର ଉପଦେଷ୍ଟା ପ୍ରଦୀପ ବହିଦାର, ସତ୍ୟ ନାରାୟଣ ପଣ୍ଡା, ଗିରୀଶ ପଟେଲ, କର୍ଣ୍ଣେଲ ପ୍ରଭାତ ପଣ୍ଡା, ରାଜୀବ ଶତପଥୀ, ସରୋଜ ଘଡ଼େଇ, ସମୀର ବାବୁ, ଅନ୍ନପୂର୍ଣ୍ଣା ବାରିକ, ଅନିଲ ବେହେରା ପ୍ରମୁଖ ଆଳତିରେ ସାମିଲ ହୋଇଥି‌ଲେ। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା।

ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ଗତ ଶନିବାର ଠାରୁ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ୨୫ ଜଣ ଅତିରିକ୍ତ ଏସ୍‌ପି ଓ ଡିଏସପିଙ୍କୁ ତଦାରଖରେ ଏସବୁ କାର୍ଯ୍ୟକ୍ରମ ଚାଲିଥିଲା। ପୁଲିସ ଆଇଜି ହିମାଂଶୁ ଲାଲ, ଏସ୍‌ପି ମୁକେଶ ଭାମୁ ସନ୍ଧ୍ୟାରେ ବ୍ରୁକ୍‌ସ ହିଲ ହନୁମାନ ମନ୍ଦିରରେ ପହଂଚି ଥିବା ବେଳେ ସେମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିକୋଣରୁ ଟାଉନ୍‌ ଥାନା ଓ ଧନୁପାଲି ଥାନା ଅଞ୍ଚଳରେ ୨ଟି ଡ୍ରୋନ୍‌ ବି ଉଡ଼ାଯାଇଥିଲା। ଦଂଗା ନିୟନ୍ତ୍ରଣକାରୀ ଗାଡ଼ି ସହରରେ ବୁଲା ଯାଇଥିଲା। କେବଳ ସେତିକି ନୁହେଁ, ବୋତଲ, ଜାର ଆଦି ଧରି କେହି କିଣିବାକୁ ଆସିଲେ ସେମାନଙ୍କୁ ପେଟ୍ରୋଲ ନଦେବା ପାଇଁ ପେଟ୍ରୋଲ ପମ୍ପ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପେଟ୍ରୋଲ ପମ୍ପମାଲିକମାନେ ବି ଏହାର କଡ଼ାକଡି ଭାବେ ଲାଗୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe