ଭାଙ୍ଗିଯିବ ସମ୍ବଲପୁର କେନାଲ୍‌ !

ଭାଙ୍ଗିଯିବ ସମ୍ବଲପୁର କେନାଲ୍‌ !

ହୀରାକୁଦ: ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା ସମ୍ବଲପୁର ଶାଖା କେନାଲ ବଡ଼ ଧରଣ ଗାତ ସୃଷ୍ଟି ହୋଇଛି। କେତେବେଳେ ଭାଂଗିଯିବ କହିହେବ ନାହିଁ। ଆଉ ଭାଂଗିଗଲେ ବ୍ୟାପକ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମହମ୍ମଦପୁର ଗାଁ ନିକଟରେ ହୀରାକୁଦ ଜଳଭଣ୍ଡାରରୁ ବାହାରିଛି ସମ୍ବଲପୁର ଶାଖା କେନାଲ। ଏହି କେନାଲରୁ ହିଣ୍ଡାଲକୋ ପାଣି ନେଉଛି। କେନାଲ ମୁହାଣରୁ ପ୍ରାୟ ୨୦ ମିଟର ଦୂରତା ମଧ୍ୟରେ ସିମେଣ୍ଟ କଂକ୍ରିଟ ହିଡ଼ରେ ପ୍ରାୟ ୫ ଫୁଟ୍‌ ଗୋଲେଇରେ ଗାତ ହୋଇଛି। କିଛି ଦୂରେ ପୁଣି ଏକ ଗାତ ସୃଷ୍ଟି ହୋଇଛି। ଗାତ ହେବା ଯୋଗୁ କ‌େନାଲରୁ ପାଣି ବି ଝରୁଛି। କେନାଲ ଭାଂଗିଯିବାର ଯଥେଷ୍ଟ ଆଶଙ୍କା ରହଛି। ଭାଂଗିଗଲେ ଫସଲହାନି ହେବା ସହିତ ଚାଷୀମାନଙ୍କ ବ୍ୟାପକ କ୍ଷତି ସହିବାକୁ ପଡ଼ିବ। ପ୍ରାୟ ୧୫ ଦିନ ତଳେ ସେହି ଜାଗାରେ ଏକ ଛୋଟଆ ଗାତ ହୋଇଥିଲା। ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଧୀରେ ଧୀରେ ବଡ଼ ଗାତର ରୂପ ନେଇଥିଲା।

ଗତକାଲି ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଆବାହକ ଅଶୋକ ପ୍ରାଧାନ, ଜୟଦୁର୍ଗା ଆଞ୍ଚଳିକ କୃଷକ ସଂଗଠନର ସୁଜିତ ବଢ଼େଇ, ନାଟୁବିହାରୀ ବିଶ୍ବାଳ, ଦିଲୀପ ସାହୁ, ଏତୁଆ ଖଫଡ଼ିଆ, ଏମ୍‌.ଗୋବିନ୍ଦୁ, ସୂର୍ଯ୍ୟ ଓରାମ ପ୍ରମୁଖ ଚାଷୀନେତାଙ୍କ ସହିତ ବହୁ ସଂଖ୍ୟାରେ ଚାଷୀ କେନାଲ ମୁହାଣ ନିକଟରେ ପହଂଚି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କୁ ଡକାଇ ଥିଲେ। ତୁରନ୍ତ ମରାମତି କରାନଗଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଥିଲେ। ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଂଚି ସ୍ଥିତି ନିରୀକ୍ଷଣ କରିଥିଲେ। ବାଲି ବସ୍ତାଦେଇ ଅସ୍ଥାୟୀ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇଦିନ ମଧ୍ୟରେ ମରାମତି ହୋଇଯିବ। ତେବେ, କେନାଲ ପାଣି ବନ୍ଦ ହେବା ପରେ ପୁଣି ମରାମତି କରାଯିବ ବୋଲି ମୁଖ୍ୟଯନ୍ତ୍ରୀ ଇଂ. ସାହୁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଶାନ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe