ସମ୍ବଲପୁର: ୫ ବର୍ଷ ପରେ ସ୍ତ୍ରୀକୁ ପେରିପାଇଛନ୍ତି ସ୍ବାମୀ। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ୍ରେ ଏହି ଦୃଶ୍ୟ ଗୁରୁବାର ଦେଖିବାକୁ ମିଳିଛି। ୨୦୨୩ ମେ’ ମାସରେ ବରଗଡ଼ ରେଳ ଷ୍ଟେସନ୍ରୁ କିଛି ସ୍ବେଚ୍ଛାସେବୀ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଉକ୍ତ ମହିଳାଙ୍କ ୨ ଗୋଡ଼ ନଥିଲା। ତାଙ୍କୁ ଉଦ୍ଧାର କରିବା ପରେ କନ୍ଧମାଳ ଜିଲ୍ଲା ସୁକାନନ୍ଦାର ଏକ ଚ୍ୟାରିଟି ହୋମ୍ରେ ତାଙ୍କୁ ଥଇଥାନ କରାଯାଇଥିଲା। ମହିଳା ଜଣକ ସୁସ୍ଥ ହେବା ପରେ ତାଙ୍କ ପରିଚୟ କହିଥିଲେ। ମହିଳା ଜଣକ ହେଉଛନ୍ତି ବିଳାସପୁରର ଶତରୂପା ଲହରା।
ପରିଚୟ ଜଣାପଡ଼ିବା ପରେ ମହିଳାଙ୍କ ସ୍ବାମୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କ ସ୍ବାମୀ ନିରଜ ଲହରା ଗୁରୁବାର ମହିଳାଙ୍କୁ ଘରକୁ ଫେରାଇ ନେଇଛନ୍ତି। ପରିଚୟ ଅନୁଷ୍ଠାନର ସ୍ବେଚ୍ଛାସେବୀ ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ତାଙ୍କ ସ୍ବାମୀଙ୍କୁ ଯୋଗାଯୋଗ କରିବାରେ ସହଯୋଗ କରିଥିଲା। ମହିଳାଙ୍କୁ ସମ୍ବଲପୁର ଅଣାଯାଇଥିବା ବେଳେ ନିରଜଙ୍କୁ ମଧ୍ୟ ସମ୍ବଲପୁର ଡକାଯାଇଥିଲା। ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଶତରୂପାଙ୍କୁ ହସ୍ତାନ୍ତର କରାଯାଇଥିଲା। ନିରଜଙ୍କ କହିବା ଅନୁଯାୟୀ ଶତରୂପା ୫ ବର୍ଷ ହେଲା ନିଖୋଜ ଥିଲେ। ଟ୍ରେନ୍ ଧକ୍କାରେ ତାଙ୍କର ୨ ଗୋଡ଼ କଟିଯାଇଥିଲା। ତା ପରେ ସେ ଘରୁ କେଉଁଆଡ଼େ ଚାଲିଯାଇଥିଲେ।
Follow Us