ବାହା ମଣ୍ଡପରେ ବୁଲିଲା କଳା କନା: ବହୁ ପରିମାଣର ନଗଦ ଟଙ୍କା ଓ ଅଳଙ୍କାର ଚୋରି

Advertisment
ବାହା ମଣ୍ଡପରେ ବୁଲିଲା କଳା କନା: ବହୁ ପରିମାଣର ନଗଦ ଟଙ୍କା ଓ ଅଳଙ୍କାର ଚୋରି

ସମ୍ବଲପୁର: ଭାଲୁପାଲିର ରୟାଲ ରିଟ୍ରିଟ୍‌ ମଣ୍ଡପରେ ଏକ ବାହାଘର ଅବସରରେ ଚୋରମାନେ କଳା କନା ବୁଲାଇ କନ୍ୟା ପକ୍ଷର ବହୁ ଲକ୍ଷ ଟଙ୍କାର ନଗଦ ଅର୍ଥ, ଅଳଙ୍କାର, ମୋବାଇଲ ଫୋନ, ଏଟିଏମ କାର୍ଡ ଓ କ୍ୟାଟରିଂ କର୍ମଚାରିଙ୍କ ଟଙ୍କା ଓ ମୋବାଇଲ ଚୋରି କରି ନେଇଛନ୍ତି। ଚୋରମାନେ ଏକ ବାହାଘର ସ୍ଥଳକୁ ଟାରଗେଟ କରି ମୋଟା ଅଙ୍କର ସାମଗ୍ରୀ ଚୋରି କରିବାରେ ସଫଳ ହେବା ସାରା ସହରରେ ଚର୍ଚ୍ଚା ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ମୁଦିପଡ଼ା ନିବାସୀ ରଂଜନ କୁମାର ପଣ୍ଡାଙ୍କ କନ୍ୟା ବାହାଘର ମଙ୍ଗଳବାର ସଂଧ୍ୟାରେ ରୟାଲ ରିଟ୍ରିଟରେ ଅନୁଷ୍ଠିତ ହୋଇଥିଲା। ଏହି ସଂଭ୍ରାନ୍ତ ବାହାଘରରେ ବହୁ ସଂଖ୍ୟାରେ ଅତିଥି ଯୋଗ ଦେଇ ଉପହାରଭାବେ ଅନେକ ଗୁଡ଼ିଏ ଲଫାପାରେ ନଗଦ ଅର୍ଥ, ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ କନ୍ୟାକୁ ପ୍ରଦାନ କରିଥିଲେ। ନିକଟ ସଂପର୍କୀୟମାନେ ସ୍ୱର୍ଣ୍ଣ ଅଳଙ୍କାର କନ୍ୟାକୁ ପ୍ରଦାନ କରିଥିଲେ।

ରାତିରେ ବାହାଘର ଆରମ୍ଭ ହେବା ପରେ ପରିବାର ଲୋକ ସମସ୍ତ ଉପହାର ସାମଗ୍ରୀକୁ ଗୋଟିଏ କୋଠରିରେ ଭର୍ତ୍ତି କରି ବାହାର ପଟୁ ତାଲା ଲଗାଇ ବାହା ବେଦି ନିକଟକୁ ଚାଲି ଆସିଥିଲେ। ନିକଟ କୋଠରିଟି କ୍ୟାଟ୍‌ରିଂ ସଂସ୍ଥାର ମହିଳା େଓ୍ଵଟରମାନଙ୍କୁ ଦିଆ ଯାଇଥିଲା ଓ ତହିଁରେ ସେମାନେ ନିଜ ବ୍ୟକ୍ତିଗତ ସାମଗ୍ରୀ ରଖି ତାଲା ଦେଇ ବାହାରେ କାମରେ ଲାଗିଥିଲେ। ରାତି ପ୍ରାୟ ୧୨ଟା ବେଳେ ଜଣେ ମହିଳା କର୍ମଚାରୀ ନିଜ କୋଠରିକୁ ଯାଇ ଦେଖିଲା ବେଳକୁ ସାମଗ୍ରୀ ଗୁଡ଼ିକ ବିକ୍ଷିପ୍ତଭାବେ ପଡ଼ିଥିଲା ଓ କୋଠରିର ଝର୍କା ଖୋଲା ଥିଲା। ସେ ବାହାରକୁ ଆସି ସମସ୍ତଙ୍କୁ ଡାକି ଥିଲେ। କନ୍ୟା ଘର ଲୋକ ଯାଇ ନିକଟସ୍ଥ ନିଜ କୋଠରି ଦେଖିଲା ବେଳକୁ ସେହି କୋଠରିର ମଧ୍ୟ ଝରକା ଖୋଲି ସବୁ ଉପହାର ସାମଗ୍ରୀ (ଟଙ୍କା ଓ ଅଳଙ୍କାର) ଗାୟବ ହୋଇ ଯାଇଥିଲା।

ଏନେଇ କନ୍ୟା ପିତା ଶ୍ରୀ ପଣ୍ଡା ବୁଧବାର ଅଇଁଠାପାଲି ଥାନାରେ ଏତଲା ଦେଇଛନ୍ତି। କନ୍ୟା ପକ୍ଷର ପ୍ରାୟ ୨୦ ଭରି ସୁନା ଓ ୧୫ ଭରି ରୂପା ଅଳଙ୍କାର, ୩ ଲକ୍ଷ ଟଙ୍କାର ନଗଦ ଅର୍ଥ, ୨ଟି ଆଣ୍ଡ୍ରଏଡ ମୋବାଇଲ ଫୋନ, ଗୋଟିଏ ଏଟିଏମ୍‌ କାର୍ଡ, କିଛି ବ୍ୟକ୍ତିଗତ ମନି ପର୍ସର ଟଙ୍କା, କ୍ୟାଟରିଂ କର୍ମଚାରୀଙ୍କ କୋଠରିରୁ ୨ଟି ଆଣ୍ଡ୍ରଏଡ ମୋବାଇଲ ଓ ପ୍ରାୟ ୩୭ ହଜାର ଟଙ୍କାର ନଗଦ ଅର୍ଥ ଚୋରି ହୋଇ ଯାଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ମାମଲାର ଅନୁସଂଧାନ ଜାରି ରହିଛି ବୋଲି ଅଇଁଠାପାଲି ପୁଲିସ ପକ୍ଷରୁ କୁହାଯାଇଛି।
କନ୍ୟା ପକ୍ଷ ପାଲଟୁଛନ୍ତି ସଫ୍‌ଟ ଟାର୍ଗେଟ୍‌
ବାହାଘର ସମୟରେ କନ୍ୟା ପକ୍ଷ ଏବେ ଚୋରଙ୍କ ସହଜ ଲକ୍ଷ୍ୟ ପାଲଟିଛନ୍ତି। ବିଭିନ୍ନ ମଣ୍ଡପରେ ବିବାହ ବେଳେ କନ୍ୟା ପିତାମାତା ଓ ନିକଟ ସଂପର୍କୀୟମାନେ ବ୍ୟସ୍ତ ରହୁଥିଲାବେଳେ ଯୋଜନାବଦ୍ଧଭାବେ ସେମାନଙ୍କ ମୂଲ୍ୟବାନ ସାମଗ୍ରୀକୁ ଚୋରି କରି ନେଉଛନ୍ତି ଦୁର୍ବୃତ୍ତମାନେ। ରୟାଲ ରିଟ୍ରିଟ୍‌ ସମେତ ଆଉ କେତେକ ମଣ୍ଡପରେ ଏଭଳି ଚୋରି ହୋଇଥିବା ନଜିର ରହିଛି। ସମ୍ବଲପୁର ସହରରେ ଏଥି ପାଇଁ ବେଶ କେତେଟି ର‍୍ୟାକେଟ ସକ୍ରିୟ ରହିଛି। ସେହିପରି ବରଯାତ୍ରୀ ଆସୁଥିବା ବେଳେ କମ ବୟସର ପିଲାମାନେ ସେଥିରେ ମିଶି ଯାଇ ବାଟ ବରଣ ସମୟରେ କନ୍ୟା ପିତା, ମାମୁଁ ଓ ଅତି ନିକଟ ସଂପର୍କୀୟଙ୍କଠାରୁ ସୁଯୋଗ ଦେଖି ପକେଟମାର କରି ନେଉଛନ୍ତି। ସେମାନେ କୌଶଳକ୍ରମେ ମନିପର୍ସ, ମୋବାଇଲ ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଉଛନ୍ତି। ଏଭଳି ଅନେକ ଅଭିଯୋଗ ହୋଇଛି। କେତେକ କ୍ଷେତ୍ରରେ ଚୋରମାନେ ଧରା ବି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe