ବନ୍ଧୁକ ମୁନରେ ଲୁଟ୍‌: ଦୁର୍ବୃତ୍ତକୁ ଧରିବାରେ ପୁଲିସ୍ ଅସଫଳ

ପାରିବାରିକ କଳହକୁ କେନ୍ଦ୍ର କରି ବଡ଼ଭାଇର ଗୁଳିମାଡ଼ରେ ସାନର ଜୀବନ ଗଲା

Image Courtesy of India Today

ସମ୍ବଲପୁର/ରେଙ୍ଗାଲି: ସମ୍ବଲପୁର ଜିଲ୍ଲାରେ ବନ୍ଧୁକ ମୁନରେ ଆଉ ଏକ ଲୁଟ୍‌ ହୋଇଛି। କିଛିଦିନ ତଳେ କ୍ଷେତରାଜପୁର ଥାନା ଅଞ୍ଚଳରେ ଗୁଳି ଫୁଟାଇ ଲୁଟ୍‌ ଉଦ୍ୟମ ହୋଇଥିଲା। ଦୁର୍ବୃତ୍ତକୁ ଧରିବାରେ ସମ୍ବଲପୁର ପୁଲିସ ଏଯାଏ ସଫଳ ହୋଇ ନଥିବାବେଳେ ଶନିବାର ରେଙ୍ଗାଲି ବସ୍‌ଷ୍ଟାଣ୍ଡ ନିକଟରେ ୩ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏସ୍‌ବିଆଇର ଗ୍ରାହକ ସେବାକେନ୍ଦ୍ରରୁ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି।
ରେଙ୍ଗାଲି ଚାଉଳ ଡିପୋ ଅଞ୍ଚଳର ମାନସ ମାହାଣା ବସ୍‌ଷ୍ଟାଣ୍ଡ ନିକଟରେ ଏସ୍‌ବିଆଇ ଗ୍ରାହକ ସେବାକେନ୍ଦ୍ର ଖୋଲିଛନ୍ତି। ଶନିବାର ମାନସ ଘରୁ ୫୦ ହଜାର ଟଙ୍କା ଆଣି ସେବାକେନ୍ଦ୍ର ଖୋଲିଥିଲେ। କିଛି ଗ୍ରାହକ ଆସି ଟଙ୍କା ଉଠାଇଥିଲେ। ସକାଳ ୧୦ଟାରେ ଏକ ବାଇକ୍‌ରେ ୩ ଦୁର୍ବୃତ୍ତ ସେବାକେନ୍ଦ୍ର ପାଖରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରଥମେ ଟଙ୍କା ଉଠାଇ ହେବ କି ବୋଲି ମାନସଙ୍କୁ ପଚାରିଥିଲା। ମାନସ ହଁ କରିବା ପରେ ଆଧାରକାର୍ଡ ଆଣି ନଥିବା କହିଥିଲା। ବିନା ଆଧାରକାର୍ଡରେ ଟଙ୍କା ଉଠାଇ ହେବ ନାହିଁ ବୋଲି ମାନସ କହିବାରୁ ବ୍ୟକ୍ତି ଜଣକ ଖୋଜାଖୋଜି କରିଥିଲେ। ସେବାକେନ୍ଦ୍ର ଭିତରେ ଏକାଧିକ ମହିଳା ଥିବାରୁ ଦୁର୍ବୃତ୍ତ ଚତୁରତାର ସହ ଅନ୍‌ଲାଇନ୍‌ରେ ଆଧାରକାର୍ଡ କାଢ଼ିବାକୁ ଚେଷ୍ଟା କରୁଛି ବୋଲି କହି ସମୟ ଗଡ଼ାଇଥିଲା। ମହିଳାମାନେ କେନ୍ଦ୍ରରୁ ବାହାରିବା ପରେ ବାହାରେ ଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ବନ୍ଧୁକ ଦେଖାଇ ଭିତରକୁ ପଶିଥିଲା। ତୁରନ୍ତ ଅନ୍ୟ ଦୁର୍ବୃତ୍ତ ଜଣକ ମଧ୍ୟ ବନ୍ଧୁକ ବାହାର କରି ପାଟି ବନ୍ଦ କରି ସବୁ ଟଙ୍କା ଦେବାକୁ କହିଥିଲା। ଭୟରେ ମାନସ ପାଖରେ ଥିବା ୪୮ ହଜାରରୁ ଅଧିକ ଟଙ୍କା ସେମାନଙ୍କୁ ଦେଇ ଦେଇଥିଲେ। ଏହି କେନ୍ଦ୍ର ଭିତରୁ ସଂପୃକ୍ତ ୨ ଦୁର୍ବୃତ୍ତ ବାହାରିଥିବାବେଳେ ବାହାରେ ଥିବା ଅନ୍ୟ ଜଣେ ବାଇକ୍‌ ଷ୍ଟାର୍ଟ କରି ରଖିଥିଲା। ଉକ୍ତ ନମ୍ବର ବିହୀନ ପଲସର ବାଇକ୍‌ରେ ୩ ଜଣ ଫେରାର ହୋଇଯାଇଥିଲେ। ସେମାନେ ହେଲ୍‌ମେଟ୍‌ ଲଗାଇବା ସହ ଗାମୁଛା ଢାଙ୍କି ହୋଇଥିବାରୁ ସେମାନଙ୍କୁ ଚିହ୍ନିବା ପୁଲିସ ପାଇଁ କଷ୍ଟକର ହୋଇଛି। ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। ତେବେ, ଜଣେ ଦୁର୍ବୃତ୍ତ ତାର ଗାମୁଛା ସେବାକେନ୍ଦ୍ରରେ ଛାଡ଼ି ଦେଇଥିବାରୁ ପୁଲିସ ତାହା ଜବତ କରିଛି। ସେମାନେ ଲୁଟ୍‌ କରିବା ପୂର୍ବରୁ ରେକି କରିଥିବା ପୁଲିସ ଅନୁମାନ କରୁଛି। ସେବାକେନ୍ଦ୍ରକୁ ମାନସଙ୍କ ଆସିବା, ଆଖପାଖରେ ଥିବା ଦୋକାନ ଏବଂ କେତେବେଳେ ସେବାକେନ୍ଦ୍ରରେ ଅଧିକ ଟଙ୍କା ରହୁଛି ସେସବୁ ଉପରେ ସେମାନେ ତଥ୍ୟ ସଂଗ୍ରହ କରିଥିବା କହାଯାଉଛି। ଏ ନେଇ ମାନସ ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ପାଇବା ପରେ ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe