ଝିଅକୁ ଦୁଷ୍କର୍ମ : ମାମଲା ପ୍ରତ୍ୟାହାର ପାଇଁ ମା’ଙ୍କୁ ଉଲଗ୍ନ କଲେ

Advertisment
ଝିଅକୁ ଦୁଷ୍କର୍ମ : ମାମଲା ପ୍ରତ୍ୟାହାର ପାଇଁ ମା’ଙ୍କୁ ଉଲଗ୍ନ କଲେ

ହୀରାକୁଦ :ଦୁଷ୍କର୍ମ ପୀଡ଼ିତା ଜଣେ ନାବାଳିକାଙ୍କ ମା’ଙ୍କୁ ମାମଲା ପ୍ରତ୍ୟାହାର ପାଇଁ ବିଚ୍‌ ରାସ୍ତାରେ ଆକ୍ରମଣ କରାଯାଇଛି। ରାସ୍ତା ମଝିରେ ସଂପୃକ୍ତ ମହିଳାଙ୍କୁ ଶାଢ଼ି ଟାଣି ଅସଦାଚରଣ କରାଯାଇଥିବା ବେଳେ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ପାଖରେ ଥିବା ଜଣେ ବ୍ୟକ୍ତିଙ୍କୁ ଘରକୁ ପଶିଯାଇ କୌଣସି ଉପାୟରେ ନିଜ ଜୀବନ ରକ୍ଷା କରିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି।

ଶୁକ୍ରବାର ଅପରାହ୍‌ଣ ୪ଟାରେ ହୀରାକୁଦ ପୁରୁଣା ବଜାର ଅଂଚଳର ଏହି ମହିଳା ଜଣକ ହାଇସ୍କୁଲରେ ପଢ଼ୁଥିବା ତାଙ୍କ ଝିଅକୁ ଆଣିବା ପାଇଁ ଗଳି ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ପିଛା କରୁଥିବା ୨ଜଣ ଯୁବକ ଅଚାନକ ଆକ୍ରମଣ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କ ଶାଢ଼ିକୁ ଟାଣି ଟାଣି ଖୋଲି ଦେଇଥିଲେ। ମହିଳା ଜଣକ ପ୍ରତିରୋଧ କରିଥିଲେ। ‘ତୋ ଝିଅ କେସ୍‌ରେ ସାକ୍ଷୀ ଦେବୁ ନାହିଁ, ନଚେତ ତୁମ ମା’ଝିଅକୁ ଜୀବନରେ ମାରି ଦେବୁ’ ବୋଲି ଧମକ ଦେଇ ଗାଳିଗୁଲଜ କରିଥିଲେ। ମହିଳା ଜଣକ ପାଟି କରିବାରୁ ସେମାନେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ମହିଳା ଜଣଙ୍କ ଚିତ୍କାର କରି ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଘରକୁ ପଶିଯାଇଥିଲେ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କୁ ପିନ୍ଧିବାକୁ ଏକ ଶାଢ଼ି ଦେଇଥିଲେ। ପରେ ପୀଡ଼ିତା ମହିଳା ଜଣକ ନିଜ ପରିବାର ଲୋକଙ୍କ ସହିତ ହୀରାକୁଦ ଥାନାକୁ ଆସି ଏତଲା ଦେଇଥିଲେ। ଆକ୍ରମଣରେ ମହିଳାଙ୍କ ହାତରେ ଆଘାତ ଲାଗିଛି। ଉଲ୍ଳେଖଯୋଗ୍ୟ ଯେ, ମହିଳାଙ୍କ ଝିଅକୁ ପାଶବିକ ଅତ୍ୟାଚାର କରିବା ଅଭିଯୋଗରେ ହୀରାକୁଦ ଥାନା ପୁଲିସ ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଏହି ଯୁବକ ଜଣକ ଏବେ ବିଚାରଧୀନ ବନ୍ଦୀ ଭାବେ ଜେଲ୍‌ରେ ରହିଛି। ଏହି ଘଟଣା ପରଠାରୁ ସନ୍ତୋଷର ଭାଇ ଓ ବାପା ତାଙ୍କୁ ଧମକ ଦେଇ ଆସୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି। ଏହି ମାମଲାକୁ ଗମ୍ଭୀରତାର ସହିତ ନିଆଯାଇଛି ବୋଲି ହୀରାକୁଦ ଥାନା ଅଧିକାରୀ ତୋଫାନ ବାଗ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe