Image Courtesy of India Today
ସମ୍ବଲପୁର: ସମ୍ବଲପୁର ସହର ଉପକଣ୍ଠସ୍ଥ ଓଡ଼ିଶା କଲେଜ ଅଫ୍ ହୋମିଓପାଥି ଆଣ୍ଡ ରିସର୍ଚ (ହୋମିଓପାଥି କଲେଜ)ରେ ପୁଣି ରାଂଗି ଅଭିଯୋଗ ଆସିଛି। ଏକଦା ଯେଉଁ ଛାତ୍ରୀମାନେ ରାଗିଂର ଶିକାର ହୋଇଥିଲେ ଏବେ ସେମାନଙ୍କ ବିରୋଧରେ ଆସିଛି ସଂଗିନ ଅଭିଯୋଗ। ତେବେ, କଥା ଏତିକିରେ ସରିନାହିଁ। ରାଗିଂ କରିଥିବା ଛାତ୍ରୀମାନେ ପୁଣି କଲେଜ ଅଧ୍ୟକ୍ଷଙ୍କ ସମେତ ୩ ଜଣ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଶାସନ ଥାନା ପୁଲିସ ୨ଟି ଅଲଗା ଅଲଗା ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଗତ ଏପ୍ରିଲ ୨୦୨୧ ମସିହାରେ ପ୍ରଥମ ବର୍ଷର ୩ ଜଣ ଛାତ୍ରୀ ସେମାନଙ୍କୁ ଛାତ୍ରୀନିବାସରେ ରାଗିଂ କରାଯାଉଥିବା ଅଭିଯୋଗ ଆଣିଥିଲେ। ଦିଲ୍ଲୀ ଆଣ୍ଟିରାଗିଂ ସେଲ୍ରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ହୋଇଥିଲା। ତଦନ୍ତ ପରେ ରାଗିଂ କରିଥିବା ଛାତ୍ରୀମାନଙ୍କୁ ଜୋରିମାନା କରାଯାଇଥିଲା। ସେହି ସମୟରେ ଯେଉଁମାନେ ରାଗିଂର ଶିକାର ହୋଇଥିଲେ ସେମାନେ ବର୍ତ୍ତମାନ ଚତୁର୍ଥ ବର୍ଷର ଛାତ୍ରୀ। ସେହି ଛାତ୍ରୀମାନେ ଗତ ଜୁନ୍ ମାସରେ ଜଣେ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି। ଦ୍ବିତୀୟ ଶ୍ରେଣୀ ଛାତ୍ରୀ ଜଣକ ଛାତ୍ରୀନିବାସ ପରିସରରେ ଥିବା ଫୁଲଗଛରେ ପାଣି ନଦେବାରୁ ବିବାଦ ସୃଷ୍ଟି ହୋଇଥିଲା। କମ୍ ଉଚ୍ଚତାର ସେହି ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହିତ ‘ବାଲ୍ଟିଏ ପାଣିରେ ବୁଡ଼ାଇ ମାରିଦେବୁ’ ବୋଲି କହିବା ସହିତ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ। ଜୀବନ ପ୍ରତି ବିପଦ ଥିବା ନେଇ ସେହି ଛାତ୍ରୀ ଜଣକ ଦିଲ୍ଲୀର ଆଣ୍ଟିରାଗିଂ ସେଲ୍କୁ ମେଲ୍ ଜରିଆରେ ୪ ଜଣ ଛାତୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କଲେଜ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସଂପୃକ୍ତ ୪ ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ ଘଟଣାର କିଛିକାଂଶରେ ସତ୍ୟତା ଥିବା କହିଥିବା ବେଳେ ଅନ୍ୟ ୩ ଜଣ ଛାତ୍ରୀ କିନ୍ତୁ ଅସ୍ବୀକାର କରିଥିଲେ। ଏଭଳି ସ୍ଥିତିରେ ଗତ ଜୁନ୍ ୨୮ ତାରିଖ ଦିନ କଲେଜ ଅଧ୍ୟକ୍ଷ ଡାକ୍ତର ଦୀପ୍ତିକାନ୍ତ ସିଂ ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ଶାସନ ଥାନାରେ ସେହି ୩ ଜଣ ଛାତ୍ରୀଙ୍କ ବିରୋଧରେ ଏତଲା ଦେଇଥିଲେ। ପୁଲିସ ଟିମ୍ ଗତ ୨ ତାରିଖ ଦିନ କଲେଜରେ ପହଂଚି ତଦନ୍ତ ଆରମ୍ଭ କରିଥିଲା।
ତେବେ ଗତ ୪ ତାରିଖ ଦିନ ସଂପୃକ୍ତ ୩ ଜଣ ଛାତ୍ରୀ ପାଲଟା ଶାସନ ଥାନାରେ ଅଭିଯୋଗ କରିଥିଲେ। କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ରାଜେନ୍ଦ୍ର ସିଂ(ବର୍ତ୍ତମାନ ଅତିଥି ଶିକ୍ଷକ), ଛାତ୍ରୀନିବାସର ଉପ-ଅଧୀକ୍ଷକ ନିବେଦିତା ଶତପଥୀ ସେମାନଙ୍କୁ ମାନସିକ ନିର୍ଯାତନା ଦେବା ସହିତ ପରୀକ୍ଷାରେ ଫେଲ୍ କରିଥିବା ଧମକ ଦେଉଥିବା ସମୟରେ କଲେଜ ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରିବା ପରିବର୍ତ୍ତେ ସେମାନଙ୍କୁ (ଡାକ୍ତର ସିଂହ ଓ ଡାକ୍ତର ଶତପଥୀ)ସୁରକ୍ଷା ଦେଉଥିବା ଅଭିଯୋଗ କରିଥିଲେ। ଯେହେତୁ, ସେମାନେ ଡାକ୍ତର ରାଜେନ୍ଦ୍ର ସିଂହ ଅଧ୍ୟକ୍ଷ ଥିବା ସମୟରେ ସେମାନଙ୍କ ଉପରେ ହୋଇଥିବା ନିର୍ଯାତନା ସଂକ୍ରାନ୍ତରେ ଅଭିଯୋଗ ଆଣିଥିଲେ, ଅବସର ପରେ ଅତିଥି ଶିକ୍ଷକ ଭାବେ ଡାକ୍ତର ସିଂହ ଯୋଗ ଦେବା ପରେ ପୂର୍ବ ଘଟଣାର ପ୍ରତିଶୋଧ ନେବା ପାଇଁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ଗତକାଲି ୩ ଛାତ୍ରୀଙ୍କୁ ଛାତ୍ରୀନିବାସରୁ ବିଦା ହେବା ପାଇଁ କଲେଜ କର୍ତ୍ତୃପକ୍ଷ ନୋଟିସ୍ ଦେଇଥିଲେ। ଏହା ଜଣାପଡ଼ିବା ପରେ ଛାତ୍ରୀମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କେନ୍ଦ୍ରମନ୍ତ୍ରୀ ତୁରନ୍ତ ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ପୁଲିସ ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଅପରପକ୍ଷରେ ପୁଲିସ ଚାପରେ ସଂପୃକ୍ତ ଛାତ୍ରୀମାନଙ୍କୁ ଛାତ୍ରୀନିବାସରୁ ବିଦା କରାଯିବା ସଂକ୍ରାନ୍ତ ନୋଟିସକୁ କଲେଜ କର୍ତ୍ତୃପକ୍ଷ ପ୍ରତ୍ୟାହାର କରିନେଇଛନ୍ତି।
Follow Us