କଂସ ବଧ ସହ ସରିଲା ସମ୍ବଲପୁରୀ ଧନୁଯାତ୍ରା

କଂସ ବଧ ସହ ସରିଲା ସମ୍ବଲପୁରୀ ଧନୁଯାତ୍ରା

ସମ୍ବଲପୁର: କଂସ ବଧ ସହ ମଥୁରା ନଗରୀ(ସମ୍ବଲପୁର)ରେ କଂସରାଜର ଅନ୍ତ ଘଟିଛି। ଉଗ୍ରସେନଙ୍କ ରାଜ୍ୟାଭିଷେକ ପରେ ଶାନ୍ତି ପ୍ରତିଷ୍ଠା ହୋଇଛି। ଏଥିସହିତ ଗତ ପାଞ୍ଚ ଦିନ ଧରି ଚାଲିଥିବା ସମ୍ବଲପୁରୀ ଧନୁଯାତ୍ରା ଶେଷ ହୋଇଛି। ନିଛକ ସମ୍ବଲପୁରୀ ସଂଳାପ, କଳାକାରଙ୍କ ଜୀବନ୍ତ ଅଭିନୟ ଗତ ପାଞ୍ଚ ଦିନ ସମ୍ବଲପୁରବାସୀଙ୍କୁ ବାନ୍ଧି ରଖିଥିଲା। ଶେଷ ଦିନରେ ଅକ୍ରୁର ଗୋପପୁରକୁ ଯାଇ କୃଷ୍ଣ ଓ ବଳରାମଙ୍କୁ ଧନୁଯାତ୍ରା ଦେଖାଇବା ପାଇଁ ସାଙ୍ଗରେ ନେଇ ମଥୁରାନଗରୀ ଅଭିମୁଖେ ଯାତ୍ରା କରିଛନ୍ତି। କୃଷ୍ଣ-ବଳରାମଙ୍କ ପ୍ରସ୍ଥାନ ସମୟରେ ନନ୍ଦରାଜା, ଯଶୋଦା ରାଣୀ, ଗୋପୀ ଓ ଗୋପପୁରବାସୀଙ୍କ ବିଦାୟକାଳୀନ ଛାତିଥରା କ୍ରନ୍ଦନରେ ଉପସ୍ଥିତ ଦର୍ଶକ ମଧ୍ୟ କୋହ ସମ୍ଭାଳି ପାରିନାହାନ୍ତି। କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗୋପପୁର ଦାଣ୍ଡ। କୃଷ୍ଣ ବଳରାମଙ୍କ ଶୋଭାଯାତ୍ରାରେ ପଟୁଆପାଲିର ଦୁଲଦୁଲି ବାଜା, ସେହ୍ନପାଲିର ସମ୍ପ୍ରଦା, ବ୍ରହ୍ମପୁରାର ଶଙ୍ଖ, ଚାଉଁରପୁରର ଘଣ୍ଟ ବାଦ୍ୟ ସହ ଗୋପପୁର କମିଟି ସଭାପତି ଆଦିତ୍ୟ ପ୍ରସାଦ ନାୟକ, ସାଧାରଣ ସମ୍ପାଦକ ଗଣେଶ ମହତ୍ତମ ଓ କମିଟିର ସମସ୍ତ କର୍ମକର୍ତ୍ତା ଓ ଜନସାଧାରଣ ସାମିଲ ହୋଇଥିଲେ। ଗୋପପୁର(ଚାଉଁରପୁର)ରୁ ବାହାରି ଡୁଙ୍ଗୁରିପଡ଼ା, ଯାମପାଲି, ନୂଆଝାଙ୍କରପାଲି ଓ ପେଟ୍ରୋଲ ପମ୍ପଛକ ଦେଇ ମଥୁରା ଅଭିମୁଖେ ଯାତ୍ରା କରିଥିଲେ। ମୁକ୍ତାକାଶ ରଙ୍ଗମଞ୍ଚରେ କୃଷ୍ଣ ଓ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି।

ମଥୁରା ନଗରୀରେ ଦୁଇ ଭାଇଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞା‌ପନ କରାଯାଇଛି। ସେପଟେ ମହାରାଜା କଂସ ଗୁପ୍ତଚରଠାରୁ ଦୁଇ ଭାଇଙ୍କ ଅଲୌକିକ ଶକ୍ତି ବିଷୟ ଜାଣି ପାରିଛନ୍ତି। ଦୈବୀବାଣୀ ସ୍ମରଣ କରି ବିଚଳିତ ହୋଇପଡ଼ିଛନ୍ତି। ଏଭଳି ସମୟରେ ମହାମନ୍ତ୍ରୀ ଶକ୍ରାଜିତ, ସେନାପତି ହଂସଧ୍ବଜ, ଚାଣୁର ମୁଷ୍ଟିକ ଓ ମଲ୍ଲବୀର ନିଜ ବଳର ପରାକ୍ରମ ବଖାଣି ଆଶ୍ବାସନା ଦେଇଛନ୍ତି। ମହାରାଜ ଆଦେଶ ଦେବାମାତ୍ରେ କୃଷ୍ଣ ବଳରାମଙ୍କୁ ବଧ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଏହା ମହରାଜ କଂସଙ୍କୁ କିଛି କ୍ଷଣ ପାଇଁ ଆଶ୍ବସ୍ତ କରିଛି। ଚିନ୍ତାମୁକ୍ତ ରହିବା ପାଇଁ ସୁରାପାନ କରି ନୃତ୍ୟଗୀତରେ ନିଜକୁ ହଜେଇ ଦେବାକୁ ଚେଷ୍ଟା କରିଛନ୍ତି। କୃଷ୍ଣ ବଳରାମଙ୍କୁ ଦେଖି କଂସଙ୍କ ସମ୍ଭାଳି ପାରି ନାହାନ୍ତି। ମଞ୍ଚରୁ ପଡ଼ି ନିଧନ ହୋଇଛି। ପ୍ରାରମ୍ଭରେ ମହାରାଜ କଂସଙ୍କ ଦରବାରରେ ରାଜ ଅତିଥି ଭାବେ ସମ୍ବଲପୁରର ବରିଷ୍ଠ ବୁଦ୍ଧିଜୀବୀ ଅରବିନ୍ଦ ମହାପାତ୍ର ରାଜଅତିଥି ଭାବେ ଯୋଗଦେଇ ମା’ ସମଲେଶ୍ବରୀଙ୍କଠାରେ ପ୍ରଦୀପ ପ୍ରଜ୍ଜଳନ କରି ଆରମ୍ଭ କରିଥିଲେ। ସମ୍ବଲପୁରୀ ଧନୁଯାତ୍ରାର ସଫଳତା ସମାଜ ପାଇଁ ଏକ ନୂଆବାର୍ତ୍ତା ବୋଲି କହିଥିଲେ। କମିଟି ସଭାପତି ସଞ୍ଜୟ ବାବୁ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଫୁଲ୍ଲ ହୋତା, ସାଧାରଣ ସଂପାଦକ ଗୁଣରଞ୍ଜନ ସାଲିମା, କୋଷାଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଲ ଓ ରାମଦାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଡା.ରାଜାରାମ ଷଡଙ୍ଗୀ, ତର୍ପଣ ପ୍ରଧାନ ଓ ଲଲିତ ମୋହନ ବେବର୍ତ୍ତା ସଂଯୋଜନାରେ କୃଷ୍ଣ ବାଗଙ୍କ ମହକ ଅନୁ୍ଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe