Representational image
ସମ୍ବଲପୁର, (ରତ୍ନାକର ଭୋଇ) : ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶିତ ସଂରକ୍ଷଣ ଚିଠା ପ୍ରସ୍ତାବ ଅନୁସାରେ ଏଥର ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ପଦ ମହିଳାଙ୍କ ସଂରକ୍ଷିତ ରହିଛି। ଏଥି ସହିତ ଏକ ପ୍ରକାର ସବୁକିଛି ଓଲଟପାଲଟ ହୋଇଯାଇଛି। ପୂର୍ବରୁ ପ୍ରକାଶିତ ତାଲିକାରେ ଜିଲ୍ଲା ପରିଷଦ ସଭାପତି ଅଣସଂରକ୍ଷିତ ରହିଥିଲା। ଆଶାୟୀମାନେ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇ ନାହିଁ। ତଥାପି, ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ବଲପୁର ଜିଲ୍ଲା ପରିଷଦ ଅକ୍ତିଆର ସମ୍ମାନର ପ୍ରଶ୍ନ ହୋଇଥିବାରୁ ଭଭୟ ଦଳ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ସ୍ବରୂପ ଯୋଗ୍ୟ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ଏଥର ଉଭୟ ଦଳ ମଧ୍ୟରେ ଟକ୍କର ଜୋରଦାର ହେବା ଥୟ ବୋଲି ଚର୍ଚ୍ଚା ହେଉଛି।
ଜିଲ୍ଲା ପରିଷଦ ଗଠନ ପରେ ପ୍ରଥମ ସଭାପତି ପଦ ବିଜେପି ଖାତାକୁ ଯାଇଥିଲା। ଜିଲ୍ଲା ପରିଷଦ ସଭାପତି ପଦ ସଂରକ୍ଷିତ ଥିବା ବେଳେ ବିଜେପିର ବୃନ୍ଦାବନ ମାଝୀ ପ୍ରଥମ ସଭାପତି ଭାବେ ଇତିହାସ ରଚିଥିଲେ। ତେବେ ଦ୍ବିତୀୟ ଓ ତୃତୀୟ ଥର କିନ୍ତୁ କଂଗ୍ରେସ ଜିଲ୍ଲା ପରିଷଦ ଅକ୍ତିଆର କରିନେଇଥିଲା। ତୃତୀୟର ଜିଲ୍ଲା ପରିଷଦ ସଭାପତି ଆସନ ଅଣସଂରକ୍ଷିତ ରହିଥିବା ସତ୍ତ୍ବେ କଂଗ୍ରେସର ଆଦିବାସୀ ନେତା ଶୋଭାରାମ ପ୍ରଧାନ ଜିଲ୍ଲା ପରିଷଦ ସଭାପତି ଆସନ ଦଖଲ କରିଥିଲେ। ଚତୁର୍ଥ ଜିଲ୍ଲା ପରିଷଦ ବିଜେଡି ଖାତାକୁ ଯାଇଥିଲା। ଶୋଭାଗିନୀ ନାଏକ ଜିଲ୍ଲା ପରିଷଦ ସଭାପତି ହୋଇଥିଲେ। ଗତ ନିର୍ବାଚନ ବେଳେ ବିଜେପି ପୁଣି ଜିଲ୍ଲା ପରିଷଦ ଦଖଲ କରିଥିଲା। ଦଳୀୟ ଗୋଷ୍ଠୀ କନ୍ଦଳ ମଧ୍ୟରେ ବିଜେପିର ରାଧେଶ୍ୟାମ ବାରିକ ଜିଲ୍ଲା ପରିଷଦ ସଭାପତି ନିର୍ବାଚିତ ହୋଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରଥମ ତାଲିକାରେ ସଭାପତି ପଦ ଅଣସଂରକ୍ଷିତ ରଖାଯାଇଥିଲା। ହାଇକୋର୍ଟଙ୍କ ଆଦେଶ ପରେ ନୂଆକରି ପ୍ରକାଶିତ ଚିଠା ପ୍ରସ୍ତାବରେ ଜିଲ୍ଲା ପରିଷଦ ସଭାପତି ଏଥର ମହିଳା ବର୍ଗର ପ୍ରାର୍ଥୀଙ୍କ ସଂରକ୍ଷିତ ରହିଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇ ନାହିଁ।
ତଥ୍ୟାଭିଜ୍ଞ ମହଲର ସୂଚନା ଅନୁସାରେ, ଏହାକୁ ନେଇ ଦୁଇ ତିନ ଥର ବିଚାର ମନ୍ଥନ ହୋଇଛି। ହେଲେ ଆଜି ସନ୍ଧ୍ୟା ସୁଦ୍ଧା ତାଲିକା ପ୍ରକାଶ ନାହିଁ। ତଥାପି, ମହିଳାଙ୍କ ପାଇଁ ଏହି ଆସନ ସଂରକ୍ଷିତ ରହିବା ନିଶ୍ଚିତ ବୋଲି କହାଯାଉଛି। ଏପଟେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି ପକ୍ଷରୁ ଯୋଗ୍ୟ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି। ଉଭୟ ଦଳ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳର ପ୍ରଭାବ ରହିଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିଛନ୍ତି। କେବଳ ସେତିକି ନୁହେଁ, ନିଜେ ଜିତିବାର କ୍ଷମତା ରହିଥିବା କିମ୍ବା ପ୍ରାର୍ଥୀଙ୍କୁ ଜିତେଇବାରେ ସହାୟକ ହେଉଥିବା ନେତା ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନିଜ ନିଜ ଦଳରେ ସାମିଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ନିକଟରେ ଯୁବ କଂଗ୍ରେସର ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ବରୁଣ ଦେହୁରୀଙ୍କୁ ବିଜେଡିରେ ସାମିଲ କରାଯାଇଛି। ବରୁଣଙ୍କ ବିଶେଷକରି ଯୁଯୁମୁରା ବ୍ଲକ ଅଂଚଳରେ ବେଶ୍ ପ୍ରଭାବ ରହିଛି। ତେଣୁ, ବରୁଣ ଏବଂ ତାଙ୍କ ସମର୍ଥକମାନଙ୍କ ପାଇଁ ବିଜେଡି ପକ୍ଷରୁ ଯୁଯୁମୁରାରେ ବିଶାଳ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଅପରପକ୍ଷରେ ବିଜେପି ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଂଗକୁ ନେଇ ନିୟମିତ କାର୍ଯ୍ୟକ୍ରମ ଆୟୋଜନ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଲୋକଙ୍କ ଅଧିକ ନିକଟତର ହେବାକୁ ପ୍ରୟାସ କରୁଛି। ଅନ୍ୟତମ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ କ୍ଷେତ୍ରରେ କିନ୍ତୁ ଜିଲ୍ଲାରେ ସେଭଳି ତତ୍ପରତା ପ୍ରକାଶ ପାଇ ନାହିଁ। ଆଗରୁ ସମ୍ବଲପୁର ଜିଲ୍ଲା କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ସମ୍ବଲପୁର ଜିଲ୍ଲାରେ ଦୁଇ ଦୁଇ ଥର ଜିଲ୍ଲା ପରିଷଦ ଗଠନ କରିଥିଲା। କଂଗ୍ରେସର ସଂଗଠନ ଥିଲେ ବି ଏହାକୁ ପୂର୍ବଭଳି ସୁଦୃଢ଼ କରି ଜିଲ୍ଲା ପରିଷଦ ଦଖଲ ପାଇଁ ସେଭଳି ପ୍ରସ୍ତୁତି ହେଉ ନାହିଁ।
Follow Us