ଜେଲ୍‌ରୁ ବାହାରିଲା ପୁଅ, ଏପଟେ ପୁଲିସିଆ ବାପା ନିଲମ୍ବିତ

ଜେଲ୍‌ରୁ ବାହାରିଲା ପୁଅ, ଏପଟେ ପୁଲିସିଆ ବାପା ନିଲମ୍ବିତ

Pragativadi

ସମ୍ବଲପୁର: ପୁଅ ଜେଲ୍‌ରୁ ବାହାରିବାର ୩ ଦିନ ପରେ ପୁଲିସିଆ ବାପା ନିଲମ୍ବିତ ହେବା ଘଟଣା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କୁଚିଣ୍ଡା କୋର୍ଟ ହାବିଲଦାର ସୁନୀଲ କରଙ୍କୁ ସମ୍ବଲପୁର ଏସ୍‌ପି ଚାକିରିରୁ ନିଲମ୍ବନ କରିଛନ୍ତି। ସୁନୀଲଙ୍କୁ କେଉଁ କାରଣରୁ ନିଲମ୍ବନ କରାଯାଇଛି ତାହା ଜଣାପଡ଼ିନାହିଁ। ଉଲ୍ଳେଖଯୋଗ୍ୟ ଯେ, ଗତ ୨୦୨୩ ନଭେମ୍ବର ୩୦ ତାରିଖରେ ରାତ୍ରିରେ ଗୋରୁଚାଲାଣ କରୁଥିବା କେତେକ ବ୍ୟକ୍ତିଙ୍କୁ ମାଡ଼ପିଟ କରିବା ଏବଂ ସେମାନଙ୍କ ବଲେରୋ ଗାଡ଼ି ପୋଡ଼ି ଘଟଣାରେ ସୁନୀଲଙ୍କ ଏକମାତ୍ର ପୁଅ‌ ‌ସୌରଭ କର ସଂପୃକ୍ତ ରହିଥିଲେ। ଗତ ଡିସେମ୍ବରରେ ମହୁଲପାଲି ଥାନା ପୁଲିସ କେସ୍ ନମ୍ବର ୧୬୩, ଆଇପିସିର ଧାରା ୪୩୫, ୩୯୫, ୩୪ରେ କୁଚିଣ୍ଡା ନିବାସୀ ସୌରଭ କର ଓ ତାଙ୍କ ଅନ୍ୟ ସହଯୋଗୀ ସଂଜିତ ରାୟ, ଆତିଶ ଅଗ୍ରୱାଲ, ଲଇଗୁରାର ରାଜକ୍ରିଷ୍ଣ ନାଏକ, ଶାନ୍ତନୁ ରୋହିଦାସ ଓ ଦୀପକ କିସାନଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲେ।

ଝରିଆବାହାଲ ଗୋରୁବଜାରରୁ ୪୦ଟି ଗାଈ ବଳଦ କିଣି କେନ୍ଦୁଝର ନେଉଥିବା ଏକ ଗୋରୁବେପାରୀ ଦଳ ଉପରେ ଲାଙ୍ଗବାହାଲ ଛକ ଠାରେ ଆକ୍ରମଣ ହୋଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ ଗୋରୁବେପାରୀଙ୍କୁ ନିସ୍ତୁକ ମାଡ଼ ଦିଆଯାଇଥିଲା। ସେମାନଙ୍କୁ ଗଛରେ ବାନ୍ଧି ଦେବା ପରେ ସେମାନେ ବ୍ୟବହାର କରିଥିବା ବଲେରୋ ଗାଡ଼ିକୁ ନେଇ ରାଜବନ୍ଧ ଯିବା ରାସ୍ତା ପତରାଜଙ୍ଗଲରେ ପୋଡ଼ି ଦିଆଯାଇଥିଲା। ଏପରିକି ସେମାନଙ୍କ ପାଖରୁ ୫୦ ହଜାର ଟଙ୍କା ଲୁଟି ନେଇଥିବା ମହୁଲପାଲି ଥାନାରେ ଅଭିଯୋଗ ହୋଇଥିଲା।

ଗତ ଜାନୁଆରି ୧୨ ତାରିଖ ଗିରଫ ଅଭିଯୁକ୍ତମାନେ ଜେଲରୁ ଜାମିନରେ ବାହାରିଥିଲେ। ସେମାନେ ଜେଲରୁ ଜାମିନରେ ବାହାରିବା ପରେ ସେମାନଙ୍କୁ ନେଇ କୁଚିଣ୍ଡାରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା। ହାବିଲଦାର ସୁନୀଲ କରଙ୍କ ପୁଅ ସୌରଭ କୁଚିଣ୍ଡା ଡାକ୍ତରଖାନାରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe