ସମ୍ବଲପୁର : ଶେଷ ‌ସୋ’ ଥିଲା ହାଉସ୍‌ଫୁଲ୍‌

Advertisment
ସମ୍ବଲପୁର : ଶେଷ ‌ସୋ’ ଥିଲା ହାଉସ୍‌ଫୁଲ୍‌

Justdial

ସମ୍ବଲପୁର : ମାର୍ଚ୍ଚ ୧୩ରେ ସମ୍ବଲପୁର ଜିଲ୍ଲାର ଏକ ମାତ୍ର କାର୍ଯ୍ୟକ୍ଷମ ମଲ୍‌ଟିପ୍ଲେକ୍ସ (ଆଇଲେକ୍ସ)ରେ ଶେଷ ସୋ ଦେଖିବାକୁ ମିଳିଥିଲା। ସେଦିନ ସବ୍ୟସାଚୀ ମହାପାତ୍ରଙ୍କ ସମ୍ବଲପୁରୀ/କୋଶଲୀ ସିନେମା ‘ଶଲାବୁଢ଼ାର୍‌ ବଦ୍‌ଲା ସମ୍ବଲପୁରରେ ରିଲିଜ୍ ହୋଇଥିଲା। ଉକ୍ତ ପ୍ରିମିୟର୍‌ ସୋଟି ହାଉସ୍‌ ଫୁଲ୍ ଯାଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ଲୋକେ ଛିଡ଼ା ହୋଇ ସିନେମା ଦେଖିଲେ। ଟିକଟ୍‌ ଓ ସିଟ୍‌ ପାଇଁ ଝଗଡ଼ା ବି ହୋଇଥିଲା। କିନ୍ତୁ ଶଲାବୁଢ଼ାର୍‌ ବଦ୍‌ଲାର ଦ୍ବିତୀୟ ସୋ ଚାଲି ପାରିଲା ନାହିଁ। ସେହି ଦିନ ହିଁ ଜିଲ୍ଲା ପ୍ରଶାସନ ସହରର ସମସ୍ତ ଥିଏଟର୍‌, ମଲ୍‌ଟିପ୍ଲେକ୍ସ, ସପିଂ ମଲ୍ ଆଦି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା ଯାହା ତତ୍କାଳ ଲାଗୁ ହୋଇଥିଲା। ସେହି ଦିନଠାରୁ ଆଜିକୁ ସାଢ଼େ ଚାରି ମାସରୁ ଅଧିକ ହେଲା ବନ୍ଦ ପଡ଼ିଛି ସିଟି ସେଣ୍ଟର୍ ମଲ୍‌ରେ ଥିବା ସମ୍ବଲପୁରର ଏକମାତ୍ର ମଲ୍‌ଟିପ୍ଲେକ୍ସ ‘ଆଇଲେକ୍ସ। ଅନିଶ୍ଚିିତତା ମଧ୍ୟକୁ ଠେଲି ହୋଇ ଯାଇଛି ଏହି ମଲ୍‌ଟିପ୍ଲେକ୍ସରେ କାର୍ଯ୍ୟ କରୁଥିବା ପ୍ରାୟ ୩୦ ଜଣ କର୍ମଚାରୀଙ୍କ ଜୀବିକା। ସମ୍ବଲପୁର ସହରରେ ପୂର୍ବରୁ ୩ଟି ସିନେମା ହଲ୍‌ ଥିଲା। ଗେଇଟି ଟକିଜ୍, ଲକ୍ଷ୍ମୀ ଟକିଜ୍ ଓ ଅଶୋକା ଟକିଜ୍। ଧୀରେଧୀରେ ସବୁ ଗୁଡ଼ିକ ହଲ୍ ବନ୍ଦ ହୋଇ ଯାଇଥିଲା। ଗେଇଟି ଟକିଜ୍‌ ଭାଙ୍ଗି ସେଠାରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଓ ସପିଂ କମ୍ପ୍ଲେକ୍ସ ଛିଡ଼ା ହୋଇଛି। ଅଶୋକା ‌ଟକିଜ୍ କୋଠାକୁ ବି ଭାଙ୍ଗି ଦିଅଗଲାଣି। ଲକ୍ଷ୍ମୀ ଟକିଜ୍‌ର କୋଠାଟି ରହିଥିଲେ ବି ‌ତା ପରଦାରୁ କେବେଠୁ ଆଲୁଅ ଲିଭି ସାରିଲାଣି। ସେହିପରି ସମ୍ବଲପୁର ସହର ବାହାରେ କୁଚିଣ୍ଡାରେ ଥିବା ଏକ ମାତ୍ର ସିନେମା ହଲ୍ ବି ବହୁ ଦିନରୁ ବନ୍ଦ ହୋଇ ଗଲାଣି।

୨୦୧୨ରେ ସହରର ଫାର୍ମ ରୋଡ୍‌ରେ ଜିଲ୍ଲାର ପ୍ରଥମ ମଲ୍‌ ସିଟି ସେଣ୍ଟର୍ ମଲ୍ ଆରମ୍ଭ ହେବା ସହ ୪ଟି ସ୍କ୍ରିନ୍‌ ବିଶିଷ୍ଟ ମଲ୍‌ଟିପ୍ଲେକ୍ସ ଉଦ୍‌ଘାଟିତ ହେଲା। ଆଇଲେକ୍ସ ସିନେମା ଦେଖିବାର ଏକମାତ୍ର ବିକଳ୍ପ ହୋଇଥିବାରୁ ଉଚ୍ଚ ଟିକଟ୍‌ ଦର ସତ୍ତ୍ବେ ଲୋକେ ଏଠାକୁ ସିନେମା ଦେଖିବାକୁ ଆସୁଥିଲେ। ଏହି ମଲ୍‌ଟିପ୍ଲେକ୍ସରେ ଦୈନିକ ସର୍ବନିମ୍ନ ୩୫ ହଜାରରୁ ଆରମ୍ଭ କରି ଭଲ ଓ ହିଟ୍‌ ସ‌ିନେମା ଲାଗିଥିଲେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ବ ଆଦାୟ ହେଉଥିଲା। ଏହାପରେ ପୁଣି ତାଭିତରେ ଥିବା ଖାଦ୍ୟ କାଉଣ୍ଟର୍‌ରୁ ଅଲଗା ଉପାର୍ଜନ ହେଉଥିଲା। ଏଠାରେ ଆଇଲେକ୍ସର ସିଧାସଳଖ କର୍ମଚାରୀ ପ୍ରାୟ ୧୦ ଜଣ ଥିବା ବେଳେ ହାଉସ୍‌କିପିଂ, ସିକ୍ୟୁରିଟି ଗାର୍ଡ ଓ ଫୁଡ୍‌କାଉଣ୍ଟରକୁ ମିଶାଇ ୩୦ରୁ ୩୫ କର୍ମଚାରୀ ଥିଲେ। ଏବେ ସେମାନେ ‘ନୋ ୱାର୍କ ନୋ ପେ ବ୍ୟବସ୍ଥାରେ ଅଛନ୍ତି। କିଛି କର୍ମଚାରୀ ବି କାମ ଛାଡ଼ି ଅନ୍ୟତ୍ର ଆୟ ସଂଧାନରେ ଗଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe