ଯୁଯୁମୁରା (ବିଜୟ କୁମାର ସ୍ବାଇଁ): ସପ୍ତଋଷିଙ୍କ ପୂଜାର୍ଚ୍ଚନା ପାଇଁ ପାହାଡ଼ ଉପରକୁ ଯାଇଥିବା ଜଣେ ମହିଳା ଆଜି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି। ସୁଡ଼ଙ୍ଗ ଦେଇ ଆଗକୁ ଯାଉଥିବା ବେଳେ ମହିଳା ଶ୍ରଦ୍ଧାଳୁ ଏଠାରେ ଫସିଯାଇଛନ୍ତି। ଦୀର୍ଘ ସମୟ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡାରିମାଲ ଗାଁ ଡୁମୁରିସ୍ଥିତ ସୁଡ଼ଙ୍ଗରେ ବୁଧବାର ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଫସିଥିବା ମହିଳାଙ୍କ ନାମ ସୁଜାତା ମେହେର (୩୫)।
ପଥର ଚଟାଣ ଓ ଗଛର ମୂଳ ମଧ୍ୟରେ ଫସିଲେ ଶ୍ରଦ୍ଧାଳୁ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଡୁମୁରି ପାହାଡ଼ରେ ଭଣ୍ଡାର ଘରିଏନ ଓ ସପ୍ତଋଷିଙ୍କ ପୂଜା ଅନୁଷ୍ଠିତ ହେଉଥିଲା। ଏଠାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥିଲେ। ଯୁଯୁମୁରା ଥାନା ଅନ୍ତର୍ଗତ ମେଘପାଳ ପଞ୍ଚାୟତର ମାରଙ୍ଗବାହାଲ ଗାଁର ବାସିନ୍ଦା ସୁଜାତ ମେହେର ମଧ୍ୟ ଯାଇଥିଲେ। ପୂଜାରେ ଯୋଗଦେବାକୁ ଆସିଥିବା ସୁଜାତା ମଧ୍ୟ ସେହି ସୁଡ଼ଙ୍ଗ ମାଧ୍ୟମରେ ପାରି ହେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେ ମଝିରେ ଫସିଯାଇ ବାହାରି ପାରି ନଥିଲେ। ସୁଡ଼ଙ୍ଗର ଭିତରେ ପଥର ଚଟାଣ ଓ ଗଛର ମୂଳ ମଧ୍ୟରେ ସେ ଅଟକି ଯାଇଥିଲେ।
ଆହୁରି ପଢ଼ନ୍ତୁ: Malkangiri Health: ଦୁର୍ଗମରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ମରାମତି ଅପେକ୍ଷାରେ ଆମ୍ବୁଲାନ୍ସ
ଉଦ୍ଧାର ପାଇଁ ଅଗ୍ନିଶମ ଓ ପୁଲିସ ବିଭାଗ
ଖବର ପାଇ ଘଟଣାସ୍ଥଳରେ ମାନେଶ୍ୱର ଅଗ୍ନିଶମ ବିଭାଗ ଓ ଯୁଯୁମୁରା ପୁଲିସ ଦଳ ପହଞ୍ଚି ସୁଜାତାଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ୪ ଘଣ୍ଟା ପରେ ସୁଜାତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ସୁଜାତାଙ୍କୁ ଆମ୍ବୁଲାନ୍ସସ ଦ୍ବାରା ସମ୍ବଲପୁର ଚିକିତ୍ସା ପାଇଁ ନିଆଯାଇଛି।
ଇତିହାସ କୁହେ...
ଡୁମୁରିର ଏକ ପାହାଡ଼ରେ ବହୁ ପୁରାତନ ସୁଡ଼ଙ୍ଗ ରହିଛି। ଏହି ପାହାଡ଼ରେ ସପ୍ତଋଷି ଓ ଭଣ୍ଡାରଘରିଆଣୀ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଏହି ସୁଡ଼ଙ୍ଗ ସମ୍ପର୍କରେ ଏନେକ କିମ୍ବଦନ୍ତୀ ରହିଛି। କୁହାଯାଇଥାଏ ଯେ, ସୁଡ଼ଙ୍ଗର ଗୋଟିଏ ପାର୍ଶ୍ୱରୁ ପଶି ଅନ୍ୟ ପାର୍ଶ୍ୱରୁ ବାହାରିଲେ ମନୋକାମନା ପୂରଣ ହୁଏ। ଏଥି ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶହଶହ ଶ୍ରଦ୍ଧାଳୁ ଏହି ସୁଡ଼ଙ୍ଗ ଦେଇ ଅତିକ୍ରମ କରିଥାନ୍ତି। ଡଙ୍ଗରପଡ଼ାର ନିରଂଜନ ପ୍ରଧାନ କୁହନ୍ତି, ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ବଂଶଧରମାନେ ଏଠାରେ ଦୀଘବର୍ଷ ହେଲା ପୂଜା କରିଆସୁଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଏଠାରେ ଭବ୍ୟ ପୂଜାର୍ଚ୍ଚନା ହୋଇଥାଏ। ଏଠାରେ ଭଣ୍ଡାରଘରିଆଣୀ ମା’ଙ୍କର ପୀଠ ଥିବାରୁ ସେହି ଅନୁସାରେ ଗାଁର ନାମ ଭଣ୍ଡାରିମାଳ ରଖାଯାଇଛି। ଡୁମୁରିର ପାହାଡ଼ରେ ଥିବା ସୁଡ଼ଙ୍ଗରେ ମୋ ଜାଣତରେ କେହି ଫସିନାହାଁନ୍ତି। କିନ୍ତୁ ଆଜି ପ୍ରଥମ ଥର ଜଣେ ଶ୍ରଦ୍ଧାଳୁ ସୁଡ଼ଙ୍ଗରେ ଫସିଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/05/jujumura-2025-11-05-17-02-47.jpg)