ଗୁଣପୁରରେ ନଦୀବାଲିର ଅଭାବ, ନିର୍ମାଣକାର୍ଯ୍ୟ ବାଧାପ୍ରାପ୍ତ

Advertisment

ଅଟକିଛି ଜନଶୁଣାଣି, ବଂଶଧାରାରୁ ଉଠୁନି ବାଲି

ଅଟକିଛି ଜନଶୁଣାଣି, ବଂଶଧାରାରୁ ଉଠୁନି ବାଲି

ଗୁଣପୁରରେ ନଦୀବାଲିର ଅଭାବ, ନିର୍ମାଣକାର୍ଯ୍ୟ ବାଧାପ୍ରାପ୍ତ

Sambad

ରାୟଗଡ଼ା: ଲିଜ୍ ସରିଛି। ଦର ଧାର୍ଯ୍ୟ ବି ହୋଇଛି। କିନ୍ତୁ ଜନଶୁଣାଣି ଅଟକି ଥିବାରୁ ନଦୀପଠାରୁ ଉଠି ପାରୁନି ବାଲି। ଲିଜଧାରୀ ସରକାରଙ୍କ ଅନୁମତିକୁ ଚାହିଁ ରହିଥିବାରୁ ଗୁଣୁପୁରରେ ନଦୀବାଲିର ଅଭାବ ଦେଖା ଦେଇଛି। ଫଳରେ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଯେଉଁ ସୈରାତରୁ ବାଲି ମିଳୁଛି ତାହା ଅମୂଲ ମୂଲ୍ୟ ସଦୃଶ୍ୟ ହୋଇଛି। ଗୁଣୁପୁର ତହସିଲ ଅଧୀନରେ ରହିଛି ୫ ବାଲି ସୈରାତ। ସମସ୍ତ ସୈରାତ ଗୁଣପୁର-୧, ଗୁଣପୁର-୨, ପେଙ୍ଗୁଡ଼ା, ଜଲତାର, ତୁରକାନିଗୁଡ଼ା ବଂଶଧାରା ନଦୀ ଅବବାହିକାରେ ଅଛି। ଏଥି ମଧ୍ୟରୁ ପେଙ୍ଗୁଡ଼ା, ଜଲତାର ସୈରାତରୁ ବାଲି ଉଠାଇବା ପାଇଁ ପ୍ରଶାସନିକ ଅନୁମତି ମିଳିଛି।

ଗୁଣପୁର-୧, ଗୁଣପୁର-୨ ସମେତ ତୁରକାନିଗୁଡା ସୈରାତର ଲିଜ୍ ପ୍ରକ୍ରିୟା ସରିଥିଲେ ମଧ୍ୟ ଜନଶୁଣାଣି ହୋଇନଥିବାରୁ ବାଲି ଉଠାଇବା ପାଇଁ ଅନୁମତି ମିଳିନି। ୨୦୨୦ ମସିହାରୁ ୩ ସୈରାତର ଲିଜ୍ ହୋଇ ସାରିଥିଲେ ମଧ୍ୟ କରୋନା କଟକଣା ଯୋଗୁ ଜନଶୁଣାଣି କାର୍ଯ୍ୟକ୍ରମ ବିଳମ୍ବ ହୋଇ ଚାଲିଥିବାରୁ ନଦୀପଠାରୁ ବାଲି ଉଠିପାରୁନି। ଅନୁମତି ଥିବା ଦୁଇ ସୈରାତ ମଧ୍ୟରୁ ଜଲତାରରେ ଆବଶ୍ୟକ ବାଲି ନଥିବା ବେଳେ ପେଙ୍ଗୁଡ଼ା ଘାଟରୁ ହିଁ ବାଲି ଉଠାଣ ହେଉଛି। ଫଳରେ ଗୁଣପୁରରେ ନଦୀବାଲିର ଅଭାବ ଦେଖାଦେବା ସହ ଦର ଆକାଶଛୁଆଁ ହୋଇଛି। ଦେଢ଼ ବର୍ଷ ତଳେ ଗୁଣପୁରରେ ବାଲି ଟ୍ରାକ୍ଟର ୬୦୦ ଟଙ୍କା ଥିଲା। ଏବେ ତାହା ୧୭୦୦ ଟଙ୍କାକୁ ବୃଦ୍ଧି ପାଇଛି। ଜନଶୁଣାଣି ଅପେକ୍ଷାରେ ଥିବା ୩ ଘାଟକୁ ସବୁଜ ସଙ୍କେତ ମିଳୁନଥିବାରୁ ବାଲି ପାଇଁ ଗୁଣୁପୁରବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷରେ ପେଙ୍ଗୁଡ଼ା ଘାଟରୁ ଉଠୁଥିବା ବାଲିର ୮୦ ପ୍ରତିଶତ ଆନ୍ଧ୍ରକୁ ଚାଲାଣ ହେଉଛି। ଲିଜଧାରୀ ବାର୍ଷିକ ଏହି ଘାଟରୁ ୬୨୦୩୪ କ୍ୟୁବିକ୍ ମିଟର ବାଲି ଉଠାଇବାକୁ ଚୁକ୍ତି କରିଛି। ଯାହାର ରାଜସ୍ବ ବାବଦକୁ ତହସିଲକୁ ମିଳୁଛି ୨୮ ଲକ୍ଷ ୩୪ ହଜାର ୧୮୫ ଟଙ୍କା। ସିଏମ୍ ପିଛା ୩୫ ଟଙ୍କା ଓ ଅତିରିକ୍ତ ଚାର୍ଜ ୨ ଟଙ୍କା ଦେବା ପାଇଁ ଚୁକ୍ତି ହୋଇଥିଲେ ମଧ୍ୟ ଲିଜଧାରୀ ଗୁଣୁପୁର ବଦଳରେ ଆନ୍ଧ୍ରକୁ ହିଁ ଅଧିକ ବାଲି ଚାଲାଣ ଦିଗରେ ଫୋକସ୍ କରୁଛନ୍ତି। ସେହିପରି ଗୁଣପୁର-୧ ସୈରାତ ସିଏମ ପିଛା ୩୫ ଟଙ୍କା, ଅତିରିକ୍ତ ଦେୟ ୧୫ ଟଙ୍କା, ଗୁଣପୁର -୨ ସୈରାତ ସିଏମ୍ ପିଛା ୩୫ ଟଙ୍କା, ଅତିରିକ୍ତ ଦେୟ ୨୫୦ ଟଙ୍କା, ତୁରକାନିଗୁଡ଼ା ସୈରାତ ସିଏମ୍ ପିଛା ୩୫ ଟଙ୍କା, ଅତିରିକ୍ତ ଦେୟ ସର୍ବାଧିକ ୫୧୬ ଟଙ୍କା ଦେବା ପାଇଁ ଲିଜଧାରୀ ପ୍ରଶାସନ ସହ ଚୁକ୍ତି କରିଛି।

ଗୁଣପୁର ବଂଶଧାରା ନଦୀ ବାଲିର ଚାହିଦା ଆନ୍ଧ୍ରରେ ଭଲ ରହିଥିବାରୁ ଲିଜଧାରୀ ଉଚ୍ଚା ଦରରେ ଲିଜ୍ ଡାକି ଆନ୍ଧ୍ରକୁ ବାଲି ପଠାଇବାକୁ ଯୋଜନା କରିଛନ୍ତି। ଯାହାର ପ୍ରଭାବ ଗୁଣୁପୁର ବାସୀଙ୍କ ଉପରେ ପଡିଛି। ବାଲି ଦରବୃଦ୍ଧି ସାଙ୍ଗକୁ ଜନଶୁଣାଣି ପାଇଁ ୩ ସୈରାତ ଆରମ୍ଭ ହୋଇ ପାରୁନଥିବା ଯୋଗୁ ଗୁଣୁପୁର ସହର ଓ ଆଖପାଖରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ସ୍ବତନ୍ତ୍ର ବାଲି ଦର ନିର୍ଧାରିତ କରିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନି। ବାଲି ଟ୍ରାକ୍ଟର ୧୭୦୦ରୁ ୧୮୦୦ ଟଙ୍କାରେ ବିକ୍ରି ହେଉଥିବାରୁ ଆବାସ ଯୋଜନା ହିତାଧିକାରୀ ସମେତ ଘର ନିର୍ମାଣ କରୁଥିବା ଅନ୍ୟ ମଧ୍ୟବିତ୍ତ ପରିବାର ବାଲି କିଣିବା ସମୟରେ ଶୋଷଣର ଶିକାର ହେଉଛନ୍ତି। ପଡୋଶୀ ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳ ପାଇଁ ପ୍ରଶାସନ କମ ଦରରେ ବାଲି ଦର ଧାର୍ଯ୍ୟ କରିଥିବାରୁ ଗୁଣୁପୁର ପାଇଁ ମଧ୍ୟ ଦର ଧାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe