କମୁନି ମାଟି ମାଫିଆଙ୍କ ଦୌରାତ୍ମ୍ୟ: ଜୋର୍‌ ଜବରଦସ୍ତ ଜମି ‌ଖୋଳୁଛନ୍ତି, ପ୍ରତିବାଦ କଲେ ମିଳୁଛି ହତ୍ୟା‌ ଧମକ

Advertisment
କମୁନି ମାଟି ମାଫିଆଙ୍କ ଦୌରାତ୍ମ୍ୟ: ଜୋର୍‌ ଜବରଦସ୍ତ ଜମି ‌ଖୋଳୁଛନ୍ତି, ପ୍ରତିବାଦ କଲେ ମିଳୁଛି ହତ୍ୟା‌ ଧମକ

Sambad

ଜଗତସିଂହପୁର: ପୁଲିସର ବାରମ୍ବାର ଚଢ଼ଉ ଓ ତହସିଲଦାରଙ୍କ ପଇଁତରାକୁ ଖାତିର ନାହିଁ। ଏମିତିକି କିଛି ଦିନ ତଳେ ଏହି ଅଞ୍ଚଳରେ ମାଟି ମାଫିଆମାନଙ୍କୁ ପୁଲିସ ଗିରଫ କରିଛି। ଫଳରେ ଅଞ୍ଚଳରେ ଆଉ ମାଟି ଚୋରି ହେବ ନାହିଁ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଅବସ୍ଥା ଯାହାକୁ ସେଇଆ। ଏମିତିକି ଜଣେ ଜମି ମାଲିକଙ୍କ ଅଗୋଚରରେ ମାଫିଆମାନେ ମାଟି ତାଡ଼ି ନେଇଛନ୍ତି। ସେଠାରେ ପୋଖରୀ ଭଳି ଖୋଳାଯାଇଥିବା ଦେଖି ଜମି ମାଲିକ ଘଟଣା ସମ୍ପର୍କରେ ପଚାରିବାରୁ, ତାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଉଛି। ଏ ନେଇ ଜମି ମାଲିକ ବିକାଶ କୁମାର ପଟ୍ଟନାୟକ ପାରାଦୀପ ଲକ୍ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବିକାଶଙ୍କ ଅଭିଯୋଗ ମୁତାବକ, ବାଲିଡିଆ ଗାଁରେ ତାଙ୍କର ଖାତା ନଂ-୪୧ ଓ ପ୍ଲଟ୍ ନଂ- ୫୮ରେ ୩ ଏକର ୫୪ ଡିସିମିଲ୍‌ ଚାଷ ଜମି ରହିଛି। ଏହି ଜମିରୁ ମାଟି ମାଫିଆମାନେ ବିକାଶଙ୍କ ଅ ଗୋଚରରେ ମାଟି ଖୋଳି ନେଇଛନ୍ତି। ସେଠାରେ ଏକ ପୋଖରୀ ସଦୃଶ ଖାଲ ସୃଷ୍ଟି ହୋଇଛି। ଭୁବନେଶ୍ବରରେ ରହୁଥିବା ବିକାଶ ଏ ସମ୍ପର୍କ‌ରେ କିଛି ବି ଟେର୍ ପାଇନଥିଲେ। ପରେ ଏ ନେଇ ସେ ଜମି ଖୋଳିଥିବା ଜଣେ ଯୁବକଙ୍କୁ ପଚରାଉଚରା କରିଥିଲେ। ମାତ୍ର ଏହି ଯୁବକ ତାଙ୍କୁ ଓଲଟା ଗାଳିଗୁଲଜ କରିବା ସହ ପୁଲିସ ନିକଟରେ ଅଭିଯୋଗ କଲେ ଗାଁରେ ପୂରାଇ ଦେବିନି ବୋଲି ଧମକ ଦେଇଥିଲେ।

ଏଥିରେ ଭୟଭୀତ ହୋଇ ବିକାଶ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏ ନେଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଖରା ଦିନ ଆରମ୍ଭ ହେଉହେଉ ନୂଆଗଡ଼ରେ ଆଖିବୁଜା ମାଟି ଖୋଳି ପ୍ରତ୍ୟେକ ରାତିରେ ଶହ ଶହ ଟ୍ରିପ୍ ବୁହା ଚାଲିଥିଲା। ସ୍ଥାନୀୟ ଲୋକଙ୍କ ଜମିକୁ ରାତି ଅଧିଆ ତାଡ଼ି ଦେବାରୁ ଲୋକେ ଏ ନେଇ ଅଭିଯୋଗ କରିଥିଲେ। ଏହାପରେ ସ୍ଥାନ ପରିବର୍ତ୍ତନ କରି ମାଫିଆମାନେ ହାତୀ କଣ୍ଟା ପଛପଟ ଗହୀରରୁ ମାଟି ଖୋଳିଥିଲେ। ସେଠାରେ ରାଜସ୍ୱ ନିରୀକ୍ଷକ ଚଢ଼ଉ କରି ଏକ ଜେସିବିକୁ ଧରି ଥାନାରେ ଜିମା ଦେବା ପରେ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ମାଟି ଚୋରି ଘଟଣାରେ ପୁଲିସ ଜଣେ ହାଇୱା ଡ୍ରାଇଭର୍‌ ରାଜକିଶୋର ରାଏଙ୍କୁ ଗିରଫ କରିବା ପରେ ପରେ ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିଲା। ଏହାପରେ ମାଟି ବେପାରରେ ସମ୍ପୃକ୍ତ ଥିବା ଅନ୍ୟମାନେ ଫେରାର୍‌ ହୋଇଯାଇଥିଲେ। ଚଳିତ ବର୍ଷ ଯେଉଁମାନଙ୍କ ବିଲରୁ ମାଟି ଖୋଳାଯାଇଛି, ସେମାନଙ୍କୁ ତହସିଲ ପକ୍ଷରୁ ନୋଟିସ୍ ଜାରି କରାଯିବ ବୋଲି ଶୁଣିବାକୁ ମିଳିଥିଲା। ବର୍ତ୍ତମାନ ପୁଣି ଥରେ ଏହି ମାଫିଆମାନେ ସକ୍ରିୟ ହୋଇପଡ଼ିଥିବା ଅନୁମାନ କରାଯାଉଛି। ସେମ‌ାନେ ପୁଲିସ ଓ ପ୍ରଶାସନକୁ ଚ୍ୟାଲେଞ୍ଜ୍‌ କରି ବାରମ୍ବାର ଏମିତି କାରନାମା କରି ଚାଲିଛନ୍ତି। ଏମାନଙ୍କ ଉପରେ ଅଙ୍କୁଶ ଲଗା ନଗଲେ ଆଗାମୀ ଦିନରେ ସାଧାରଣ ଲୋକଙ୍କ ଚଳିବା ମୁସ୍କିଲ ହୋଇପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe