ବୈଶିଙ୍ଗା: ସ୍ଵଚ୍ଛତା ନାରେ ଚାଲିଛି ହରିଲୁଟ। କେବଳ କାନ୍ଥବାଡ଼ରେ ସ୍ଵଚ୍ଛତାର ଚିତ୍ର ଆଙ୍କି ମୁକସାକ୍ଷୀ ସାଜିଛନ୍ତି ସରକାର। ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ବୈଶିଙ୍ଗା ଡାକ୍ତରଖାନାକୁ ସଂଯୋଗ କରୁଥିବା ବଜାରର ମୁଖ୍ୟ ରାସ୍ତା ପାର୍ଶ୍ୱସ୍ଥ ପୋତା ପଡିଥିବା ଡ୍ରେନ ଗୁଡିକ ଦେଖି ସ୍ଥାନୀୟ ବ୍ୟବସାୟୀଙ୍କ ସମେତ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ପୂର୍ତ୍ତବିଭାଗର ଠିକା ସଂସ୍ଥା କେତେ ଯେ ତତ୍ପର ତାହା ଜଳଜଳ ହୋଇ ଦେଖାଯାଉଛି।
ବୈଶିଙ୍ଗା ଅଞ୍ଚଳର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା ହେଉଛି ପୂର୍ତ୍ତବିଭାଗ ଅଧୀନ ଏମଡିଆର-୭୦ ଅନ୍ତର୍ଗତ ବୈଶିଙ୍ଗା-ମାଣତ୍ରୀ ରାସ୍ତା । ଏହି ପଥ ଦେଇ ଦୈନିକ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଜନସାଧାରଣ ସମେତ ଗୁରୁତର ରୋଗୀ ଓ ଆମ୍ବୁଲାନ୍ସ ବୈଶିଙ୍ଗା ଡାକ୍ତରଖାନାକୁ ଯାଇଥାନ୍ତି। ପୂର୍ବରୁ ବଜାରର ପାଣି ଏହି ରାସ୍ତା ପାର୍ଶ୍ୱ ଦେଇ ଯାଇଥିବା ଡ୍ରେନ୍ରେ ନିଷ୍କାସିତ ହେଉଥିଲା।
ହେଲେ ବଜାରର କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟବସୟୀ ନିଜର ଦୋକାନ ଗୃହ ନିର୍ମାଣ ସମୟରେ ଡ୍ରେନ୍ ପୋତି ଦେବା ସହିତ ଡ୍ରେନ ଉପରେ ପାହାଚ ନିର୍ମାଣ କରିଦେଇଛନ୍ତି। ବଜାରର ନର୍ଦ୍ଦମା ପାଣି ଡାକ୍ତରଖାନା ମୁଖ୍ୟ ରାସ୍ତା ପାଖରୁ ବାହାରି ମୁଖ୍ୟ ରାସ୍ତା ଉପରେ ଜମି ରହୁଛି ।
ମାସ ମାସ ଧରି ପାଣି ଜମି ଏକାଧିକ ଛୋଟବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏମିତିକି ଗୋଟିଏ ଗୋଟିଏ ଜାଗାରେ ଆଣ୍ଠୁଏ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଗଲାଣି। ଫଳରେ ବ୍ୟସ୍ତବହୁଳ ଏହି ରାସ୍ତାରେ ଯାତାୟାତରେ ସର୍ବଦା ସମସ୍ୟା ସୃଷ୍ଟି ହେଉଛି।
ଡାକ୍ତରଖାନାକୁ ମୁଖ୍ୟ ରାସ୍ତା ହୋଇଥିବାରୁ ଅଧିକାଂଶ ସମୟରେ ତରବରିଆ ଭାବେ ଯାତ୍ରୀ ସେହି ରାସ୍ତାରେ ଯାଉଥିବା ସମୟରେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାବେଳେ ବେଳେବେଳେ ଦ୍ରୁତଗତିରେ ଯାଉଥିବା ଯାନର ଚକା ଗର୍ତ୍ତରେ ପଡି ଗର୍ତ୍ତରେ ଥିବା ନର୍ଦ୍ଦମା ପାଣି ସ୍ଥାନୀୟ ବ୍ୟବସାୟୀଙ୍କ ଦୋକାନ ଗୃହ ସମେତ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ମୁହଁରେ ପଡୁଛି।
ଅଧିକ ପଢ଼ନ୍ତୁ: ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା: ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ ସ୍ବତନ୍ତ୍ର ନୀତି ଆଣିବେ
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଡ୍ରେନ ଦୀର୍ଘବର୍ଷ ହେବ ସଫା ନ ହେବା, ତଥା କିଛି ସ୍ଵାର୍ଥ୍ୟପର ବ୍ୟବସାୟୀଙ୍କ ଦ୍ୱାରା ଡ୍ରେନ ପୋତା ହୋଇଯିବା ଯୋଗୁ ବହୁ ସମସ୍ୟା ସୃଷ୍ଟି ହେଉଛି।
ଏହାର ପ୍ରତିକାର କରିବାକୁ ଅଞ୍ଚଳବାସୀ ଅନେକ ଥର ପୂର୍ତ୍ତବିଭାଗ, ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ଗୁହାରି କରିଥିଲେ ମଧ୍ୟ ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ସ୍ଥାନୀୟ ବାସିନ୍ଦା ସମେତ ବ୍ୟବସାୟୀମାନେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ସପ୍ତାହେ ମଧ୍ୟରେ ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ: ବିଜେଡି ବିଧାୟକ ଗୌତମବୁଦ୍ଧ