ସନ୍ଥକବିଙ୍କ ଜୟନ୍ତୀ ଆଜି: ସ୍କୁଲ୍‌ ବାରଣ୍ତାରେ ଭୀମଭୋଇଙ୍କ ଦାୟାଦ

Advertisment
ସନ୍ଥକବିଙ୍କ ଜୟନ୍ତୀ ଆଜି: ସ୍କୁଲ୍‌ ବାରଣ୍ତାରେ ଭୀମଭୋଇଙ୍କ ଦାୟାଦ

ସ୍ମୃତିପୀଠର ବିକାଶ ହୋଇପାରିଲାନି
ଘୋଷଣାରେ ସୀମିତି ପର୍ଯ୍ୟଟନସ୍ଥଳୀ ମାନ୍ୟତା
ମଞ୍ଜୁର ପାଇଁ ପଠାଯାଇଛି ୧୭କୋଟିର ମାଷ୍ଟାରପ୍ଲାନ୍‌

ରେଢ଼ାଖୋଲ, (ରଞ୍ଜିତ ଦେହୁରୀ) : ଆଜି ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ। ପ୍ରତିବର୍ଷ ଜୟନ୍ତୀ ଆସେ ଏବଂ ସନ୍ଥକବିଙ୍କ ଗୁଣଗାନ କରାଯାଏ। ତାଙ୍କର ସ୍ମୃତିଚାରଣ ସହିତ ତାଙ୍କ ନାମରେ ବିଭିନ୍ନ ଯୋଜନା କରିବାକୁ ପ୍ରସ୍ତାବ ଦିଆଯାଏ। । ଚଳିତବର୍ଷର ଜୟନ୍ତୀ ଉତ୍ସବରେ ବି ଏହାର ପୁନରାବୃତ୍ତି ଘଟିପାରେ। ବିଡ଼ମ୍ବନାର ବିଷୟ, ସବୁକିଛି କେବଳ ଘୋଷଣାରେ ସୀମିତ ରହିଛି। ନା ସ୍ମୃତିପୀଠର ବିକାଶ ହୋଇଛି ନା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ସନ୍ଥକବିଙ୍କ ଦାୟାଦ୍‌ ବୋଲି ଦାବି କରୁଥିବା କିଛି ପରିବାର ସେମିତି ସ୍କୁଲ୍‌ ବାରଣ୍ଡା‌ରେ ଦିନ କାଟୁଛନ୍ତି।

publive-image commons.wikimedia.org

ସୂଚନା ଅନୁସାରେ, କନ୍ଧରାସ୍ଥିତ ଭୀମଭୋଇଙ୍କ ସ୍ମୃତିପୀଠ ସମେତ ମଧୁପୁର ଗାଁ ଓ କାଙ୍କଣପଡ଼ା ଗ୍ରାମରେ ଥିବା ଭୀମଭୋଇ କିଂବଦନ୍ତି ସହିତ ଜଡ଼ିତ ଥିବା ପୀଠଗୁଡିକ ବର୍ଷ ବର୍ଷ ଧରି ଅବହେଳିତ ହୋଇପଡ଼ିରହିଛି। କନ୍ଧରା ଭୀମଭୋଇ ସ୍ମୃତିପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳ ଭାବେ ଘୋଷଣା କରିଛନ୍ତି। ହେଲେ; ବହୁ ସାହିତ୍ୟିକ, ଭୀମ ଭୋଇ ଭକ୍ତ, ଗବେଷକ ସମେତ ବିଭିନ୍ନ ପ୍ରକାର ପର୍ଯ୍ୟଟକ ଆସୁଛନ୍ତି। ମ‌ାତ୍ର, ସେମାନଙ୍କୁ ଆକୃଷ୍ଟ କଲାଭଳି କିଛିନାହିଁ। ରହିବା ବ୍ୟବସ୍ଥା ତ ଦୂରେ ଥାଉ, ଶୌଚାଳୟଟିଏ ମଧ୍ୟ ନାହିଁ। ପାର୍କଟିଏ ନିର୍ମାଣ ହୋଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ। ଲାଗିଥିବା ଫୁଲଗଛ ମଧ୍ୟ ମରି ହଜିଗଲାଣି। ୫ ଲକ୍ଷ ଟଙ୍କା ବ୍ୟୟରେ ଭଜନ ମଣ୍ତପ ବହୁବର୍ଷ ହେଲା ଅସଂପୂର୍ଣ୍ଣ ଅବସ୍ଥାରେ ରହିଛି। କେବଳ ସ୍ମୃତିକୂଅର କିଛି ବିକାଶ କରାଯାଇଥିଲେ ବି ଏହାର ଚାରିପାଖ ଅବହେଳିତ ଓ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏଠି ପ୍ରଶାସନ ପକ୍ଷରୁ ଭୀମ ଭୋଇଙ୍କ ଜୟନ୍ତୀ କିମ୍ବା ଅନ୍ୟ ମହିମା ଧର୍ମ ପର୍ବପର୍ବାଣିରେ ଧୂପଟିଏ ମଧ୍ୟ ଜଳେ ନାହିଁ। ହେଲେ, ସବୁକିଛିକୁ ଉଜ୍ଜୀବୀତ କରି ରଖିଛନ୍ତି ଏଠାରେ ଭୀମ ଭୋଇଙ୍କ ଭକ୍ତ ଆଶାବାଡ଼ି ଧରି ଯିବାଆସିବା କରୁଥିବା ସାଧୁ ମହେନ୍ଦ୍ର ତ୍ୟାଗୀ। ଏହିଠାରେ ଗାଁରେ ଭିକ୍ଷା କରି ଭୋଜନ କରିବା ସହିତ ପୂଜାପାଠ ନିୟମିତ କରିଥାନ୍ତି। ଏଥିପାଇଁ ତାଙ୍କୁ ସରକାରଙ୍କଠାରୁ କୌଣସି ପ୍ରୋତ୍ସାହନ ମିଳେନାହିଁ।

publive-image Facebook

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହାର ବିକାଶ ପାଇଁ ଆସୁଥିବା ଅନୁଦାନ ବର୍ଷ ବର୍ଷ ଧରି ପଡ଼ିରହୁଛି। ଖର୍ଚ୍ଚ ହୋଇପାରୁ ନାହିଁ। ଏ ସମ୍ପର୍କରେ ସମ୍ବଲପୁର ଜିଲ୍ଲା ସଂସ୍କୃତି ଓ ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନ କହିଛନ୍ତି , କନ୍ଧରାଠାରେ ଥିବା ସ୍ମୃତିପୀଠକୁ ଅଧିକ ଆକର୍ଷଣୀୟ କରିବା ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମାଷ୍ଟରପ୍ଲାନ କରାଯାଇ ମଞ୍ଜୁର ପାଇଁ ପଠାଯାଇଛି। ଏହା ମଞ୍ଜୁର ହୋଇ ଆସିଲେ ପୂର୍ତ୍ତବିଭାଗ ଅଧୀନରେ କାର୍ଯ୍ୟ ହେବ। ସେହିପରି ମଧୁପୁର ଓ କାଙ୍କଣପଡ଼ାଠାରେ ଥିବା ସ୍ମୃତିପୀଠଗୁଡ଼ିକର ଉନ୍ନତି ପାଇଁ ପ୍ରସ୍ତାବ ଆସିଲେ ବିଚାରକୁ ନିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେହିପରି କଦଳୀଗଡ଼ ପଞ୍ଚାୟତର ମଧୁପୁର ଗ୍ରାମରେ ଭୀମଭୋଇ ତାଙ୍କ ପାଳିତ ପିତାଙ୍କ ସହିତ ବାଲ୍ୟକାଳ କଟାଇଥିଲେ। ଏବେ ରହୁଥିବା ଘରର ଚିହ୍ନବର୍ଣ୍ଣ ନାହିଁ। ସେହିଠାରେ ଗ୍ରାମବାସୀଙ୍କ ସହାୟତାରେ ଏକ ଟାଇଲ ଛପର ଘର ଓ ଏକ ପିଣ୍ତି ନିର୍ମାଣ ହୋଇଛି। ଏଠାରେ ଗ୍ରାମବାସୀଙ୍କ ସହାୟତାରେ ସାଧୁସନ୍ଥମାନେ ନିୟମିତ ପୂଜାପାଠ କରିଥା’ନ୍ତି।ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ତିଏ ପାଇପାରିଲୁ ନାହିଁ ବୋଲି କହିଛନ୍ତି ଏକାଦଶୀ ଜାନୀ ଓ ନୀଲୁ ଜାନୀ, ଭୀମଭୋଇଙ୍କ ବଂଶଧର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe