ହୋଲି ଦିନ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ମୃତ୍ୟୁ ସହ ଲଢେଇ କରୁଛନ୍ତି ସନ୍ତୋଷ

Advertisment

ପଡିଆ ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ

ପଡିଆ ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ

ହୋଲି ଦିନ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ମୃତ୍ୟୁ ସହ ଲଢେଇ କରୁଛନ୍ତି ସନ୍ତୋଷ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ବ୍ଲକର ସଦର ପଞ୍ଚାୟତର ଗୁଟାଗୁଡା ଗ୍ରାମର ଜଣେ ଯୁବକକୁ ହୋଲି ଖେଳ ଦିନ କିଛି ଲୋକ ମରଣାନ୍ତକ ଆକ୍ରମଣ ଛାଡି ଦେଇଥିଲେ। ଏବେ ସେହି ଯୁବକ ମୃତ୍ୟୁ ସହ ଲଢେଇ କରୁଛି। ଏନେଇ ପଡିଆ ପୁଲିସକୁ ଏତଲା ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ନିନ୍ଦନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣା ଅନୁଯାୟୀ ଗତ ୧୯ ତାରିଖ ହୋଲି ଖେଳ ଦିନ ପଡିଆ ବ୍ଲକର ଗୁଟାଗୁଡା ଗ୍ରାମର ସନ୍ତୋଷ ନୁପୋ(୨୮)ନାମକ ଯୁବକ ତାଙ୍କ ସାଙ୍ଗ ସହ ନିଜ ଶ୍ବଶୁର ଘର ବାପନପାଲି ନିକଟସ୍ଥ ଏମପିଭି -୬୭କୁ ଯାଉଥିଲେ। ତେବେ ସନ୍ତୋଷ ମଟର ସାଇକେଲର ପଛପଟେ ବସିଥିବା ବେଳେ ତାଙ୍କ ସାଙ୍ଗ ମଟର ସାଇକେଲ ଚଲାଉଥିଲେ। ତେବେ ଏମପିଭି-୬୭ ନିକଟରେ ଜଣେ ବାଳିକା ଦୌଡି ଆସିବା ଫଳରେ ମଟର ସାଇକେଲ ସହ ଧକ୍କା ହୋଇଥିଲା। ଏଥିରେ ଉତ୍ୟକ୍ତ ଲୋକେ ଯିଏ ମଟର ସାଇକେଲ ଚଲାଉଥିଲା ତାକୁ ଛାଡି ଦେଇ ସନ୍ତୋଷକୁ ଧରି ନିର୍ଦ୍ଧୁମ ପିଟିଥିଲେ। ଏପରିକି ସନ୍ତୋଷକୁ ଗ୍ରାମବାସୀଙ୍କ କବଳରୁ ରକ୍ଷା କରିବା ପାଇଁ କେହି ନଥିଲେ। ଲୋକେ ଏତେ ରାଗିଯାଇଥିଲେ ଯେ ସନ୍ତୋଷକୁ ମାଡ ମାରି ଅଚେତ କରି ଦେଇଥିଲେ। ପରେ ପରିବାର ଲୋକେ ଏହା ଜାଣିବା ପରେ ତୁରନ୍ତ ପଡିଆମ ମେଡିକାଲ ପରେ ଭଦ୍ରାଞ୍ଚଲମ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସନ୍ତୋଷ ଗୁରୁତର ଥିବାରୁ ଭଦ୍ରାଞ୍ଚଲମ ମେଡିକାଲ ମଧ୍ୟ ହାତ ଝାଡି ଦେଇଥିଲା।

ପରିବାର ଲୋକେ ଶେଷରେ ବିଶାଖାପାଟଣମ୍ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ସବୁ ଚେଷ୍ଟା କରି ମଧ୍ୟ ଶେଷରେ ମନା କରି ଦେଇଥିଲେ। ସନ୍ତୋଷ ଆଉ ବଞ୍ଚିବା କଷ୍ଟକର ବୋଲି କହିଥିଲେ। ଏବେ ସନ୍ତୋଷର ହାତ, ଗୋଡ କିଛି କାମ କରୁନାହିଁ। ସେହି ଦିନ ଠାରୁ ଶଯ୍ୟାଶାୟୀ ହୋଇଘରେ ପଡି ରହିଛି। ସନ୍ତୋଷର ବାପା ମାଆ ଥିବା ବେଳେ ପତ୍ନୀ ଏବଂ ୫ ମାସର ଝିଅ ରହିଛି। ସନ୍ତୋଷର ଏହି ଅବସ୍ଥା ଦେଖି ପରିବାର ଲୋକେ ପ୍ରତିଦିନ କାନ୍ଦୁଛନ୍ତି। ନିଜ ଆଖି ଆଗରେ ସ୍ବାମୀ ସନ୍ତୋଷଙ୍କ ପ୍ରାଣ ଚାଲିଯିବ ବୋଲି ସନ୍ତୋଷଙ୍କ ପତ୍ନୀ ଭୋ ଭୋ ହୋଇ କାନ୍ଦୁଛନ୍ତି। ସେ କିନ୍ତୁ କିଛି କରିପାରୁ ନାହାନ୍ତି। ଅନ୍ୟଦିଗରେ ପରିବାର ଲୋକେ ସନ୍ତୋଷକୁ ଆକ୍ରମଣ କରି ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଲୋକଙ୍କ ନାମରେ ପଡିଆ ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଆଜି ପର୍ଯ୍ୟନ୍ତ ପୁଲିସ ନେଇନଥିବା ଜଣାପଡିଛି। ଏବେ ସନ୍ତୋଷ କେବଳ ମୃତ୍ୟୁକୁ ଅପେକ୍ଷା କରିଛି। କୌଣସି ମୁହର୍ତ୍ତରେ ମଧ୍ୟ ସନ୍ତୋଷର ପ୍ରାଣ ଚାଲିଯିବ। କିନ୍ତୁ ତାକୁ ନ୍ୟାୟ ମିଳିପାରିଲା ନାହିଁ। ପଡିଆ ପୁଲିସ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନେଉ ନାହାଁନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏନେଇ ଏସଡିପିଓ ସୁଭେନ୍ଦୁ ପାତ୍ରଙ୍କ ସହ ଯୋଗାଯୋଗ କରିବା ପରେ ଏନେଇ ସେ ତଦନ୍ତ କରିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe