ରଜ ଭିଡ଼, ଅନ୍ଧାରରେ ଶାରଳା ପୀଠ ବଜାର, ଅଣଓସାରିଆ ବେଢାରେ ଯାତ୍ରୀ ହନ୍ତସନ୍ତ

Advertisment
ରଜ ଭିଡ଼, ଅନ୍ଧାରରେ ଶାରଳା ପୀଠ ବଜାର, ଅଣଓସାରିଆ ବେଢାରେ ଯାତ୍ରୀ ହନ୍ତସନ୍ତ

Sambad

ତିର୍ତ୍ତୋଲ: ମା’ ଶାରଳାଙ୍କ ପୀଠରେ ଶ୍ରଦ୍ଧାଳୁ ହନ୍ତସନ୍ତ। ରଜ ଅବସରରେ ମା’ଙ୍କ ପୀଠରେ ୩ଦିନ ଧରି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କିନ୍ତୁ ପୀଠର ବଜାର ଅନ୍ଧାରରେ ଥିବାରୁ ସପରିବାର ଯାଇଥିବା ଶ୍ରଦ୍ଧାଳୁମାନେ ସମସ୍ୟା ଭୋଗିଥିଲେ। ସୂଚନାଅନୁସାରେ ମନ୍ଦିର ପରିସରରେ ଥିବା ୨ଟି ଯାକ ହାଇମାଷ୍ଟ୍‌ ଲାଇଟ୍‌ ଅଚଳ ହୋଇଯାଇଥିଲା। ଏହାର କଣ୍ଟ୍ରୋଲ୍‌ ପ୍ୟାନେଲରୁ କିଛି ଉଠା-ଦୋକାନୀ ଚୋରାରେ ବିଦ୍ୟୁତ୍‌ ସଂଯୋଗ କରିଥିବାରୁ ତାହା ପୋଡ଼ି ଯାଇଥିଲା। ରଜ ସଂକ୍ରାନ୍ତିରେ ମନ୍ଦିର ପରିସରରେ ଅସମ୍ଭବ ଭିଡ଼ ଲାଗି ରହିଥିବାରୁ କେତେକ ଯାତ୍ରୀ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସେହିପରି ମନ୍ଦିର ପରିସର ଅଣଓସାରିଆ ଥିବାରୁ ଶ୍ରଦ୍ଧାଳୁମାନଙ୍କ ଯାତାୟାତ ସମୟରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ଅନ୍ତତଃ ୭୫ ମିଟର ପ୍ରଶସ୍ତ କରିବାକୁ ଦାବି ହେଉଛି। ଭୋଗ ଓ ଅନ୍ୟାନ୍ୟ ଦୋକାନ ଘର, ରୋଷ ଘର ସ୍ଥାନାନ୍ତର ପ୍ରସ୍ତାବ ଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅନ୍ୟପଟେ ମନ୍ଦିରକୁ ସଂଯୋଗ କରୁଥିବା ୩ ପାର୍ଶ୍ୱ ରାସ୍ତା ଅଣଓସାରିଆ ଥିବାରୁ ଯାନବାହନ ଯାତାୟାତରେ ନାନା ସମସ୍ୟା ଦେଖା ଦେଇଥିଲା।

ବସନ୍ତ ବଗିଚା ଫାଣ୍ଡି ପାଖରେ ଯାନବାହନ ଅଟକ ରଖିବା ପାଇଁ ବ୍ୟବସ୍ଥା କରାଯାଇ ଥିଲେ ମଧ୍ୟ କିଛି ଗାଡ଼ି ମନ୍ଦିର ରାସ୍ତାରେ ଭିଡ଼ ଜମାଇଥିଲେ। ଫଳରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍‌ ରହିଥିଲା। ଶାରଳା ମନ୍ଦିର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ୪୨କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି। ମନ୍ଦିର ପରିସର ଓ ମନ୍ଦିର ସଂଲଗ୍ନ ରାସ୍ତାକୁ ତୁରନ୍ତ ପ୍ରଶସ୍ତ କରିବା, ମନ୍ଦିର ଭିତରେ ଓ ବାହାର ବଜାର ବ୍ୟବସ୍ଥା ଉପରେ ମନ୍ଦିର ପ୍ରଶାସନର ନିୟନ୍ତ୍ରଣ ପାଇଁ ପଦକ୍ଷେପ, ମନ୍ଦିର ପରିସରରେ ସ୍ବଚ୍ଛତା, ଅସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି। ଜିଲ୍ଲାପାଳ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ଜନତା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe