ମା’ ଶାରଳାଙ୍କ ପୀଠରେ ଅବ୍ୟବସ୍ଥା: ଭୁଶୁଡ଼ିବ ପ୍ରାଶାସନିକ ଅଫିସ୍, ଫାଣ୍ଡି ଓ ରତ୍ନଭଣ୍ଡାର କୋଠା!

Advertisment
ମା’ ଶାରଳାଙ୍କ ପୀଠରେ ଅବ୍ୟବସ୍ଥା: ଭୁଶୁଡ଼ିବ ପ୍ରାଶାସନିକ ଅଫିସ୍, ଫାଣ୍ଡି ଓ ରତ୍ନଭଣ୍ଡାର କୋଠା!

Sambad

ତିର୍ତୋଲ: ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳ ବାଣୀକ୍ଷେତ୍ର ଝଙ୍କଡ଼ପୀଠ କନକପୁର ସ୍ଥିତ ମା’ ଶାରଳା ମନ୍ଦିରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ଦିଗରେ ମୁଖ୍ୟମନ୍ତ୍ରୀ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ କୋଟିଏ ଟଙ୍କାର ଅନୁଦାନ ଦେଇଥିଲେ। ସେହି ଟଙ୍କାରେ କ’ଣସବୁ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି ତାହା ଭିନ୍ନ ପ୍ରସଙ୍ଗ। କିନ୍ତୁ ଏଠାରେ କେତେକ ଆଖିଦୃଶିଆ ଅବ୍ୟବସ୍ଥା ପ୍ରତି ପ୍ରଶାସନ ନଜରଅନ୍ଦାଜ କରି ଆସୁଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମନ୍ଦିରର ସୌନ୍ଦର୍ଯ୍ୟକରଣର ଅବ୍ୟବସ୍ଥା କଥା ବିଚାରକୁ ନେଲେ ସାମ୍ନାକୁ ଆସିଥାଏ ମନ୍ଦିର ପ୍ରବେଶ ପଥରେ ଶୋଭାବର୍ଦ୍ଧନ(!) କରୁଥିବା ଜରାଜୀର୍ଣ୍ଣ ପ୍ରଶାସନିକ କାର୍ଯ୍ୟାଳୟ କୋଠା। ଏହି କୋଠାଟି ଜରାଜୀର୍ଣ୍ଣ ଓ ବିପଦସଂକୁଳ ଭାବେ ରହିଛି। ବର୍ଷା ହେଲେ ପାଣି ଗଳୁଛି। କୋଠା ଫାଟି ପଲସ୍ତରା ଛାଡ଼ି ଗଲାଣି। ସେହି ବିପଦପୂର୍ଣ୍ଣ କୋଠାରେ ମନ୍ଦିର ପ୍ରଶାସନିକ କାମ ଚାଲୁଛି। କର୍ମଚାରୀ ଓ ସେବାୟତମାନେ କାରବାର ହେଉଛନ୍ତି। ଏପରିକି ଡାହାଣ ପାର୍ଶ୍ବରେ କାମ କରୁଥିବା ପୁଲିସ୍‌ ଫାଣ୍ଡି କୋଠାଟି ମଧ୍ୟ ସେହି କୋଠାର ଅଂଶ ବିଶେଷ। ସମ୍ପୂର୍ଣ୍ଣ ଭାବେ ଏହି କୋଠା ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବିପଦର କାରଣ ହୋଇଛି। କୌଣସି ମୁହୂର୍ତରେ କୋଠା ଭୁଶୁଡ଼ି ଅଘଟଣ ହେଲେ ଦାୟୀ କିଏ ହେବେ ? ଏପରିକି ମା’ଙ୍କ ସୁନାରୁପା ଅଳଙ୍କାର ଗଚ୍ଛିତ ରତ୍ନଭଣ୍ଡାରଟି ଏହି କୋଠାର ଅଂଶବିଶେଷ। ତାହା ମଧ୍ୟ ସମ୍ପୂର୍ଣ୍ଣ ଅସୁରକ୍ଷିତ। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିୁଥିବା ପର୍ଯ୍ୟଟକମାନେ କୋଠାର ଫାଟକୁ ଦେଖି କେବଳ ଭୟ କରୁନାହାନ୍ତି ବରଂ କୋଠାର କୁତ୍ସିତ ଦୃଶ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ପଛାଉ ନାହାନ୍ତି।

ଏପର୍ଯ୍ୟନ୍ତ ମନ୍ଦିରର ସମ୍ମୁଖଭାଗର ସୌନ୍ଦର୍ଯ୍ୟକରଣ ପ୍ରତି ଧ୍ୟାନ ଦିଆଗଲା ନାହିଁ। ଟ୍ରାଫିକ୍‌ ସମସ୍ୟା ଦୂର ପାଇଁ ଦୈନିକ ମନ୍ଦିରକୁ ଆସୁଥିବା ଶତାଧିକ ଯାନବାହନ ପାର୍କିଂ ପାଇଁ ମାର୍କେଟ୍‌ କମ୍ପ୍ଲେକ୍ସ ପାଖରେ ସ୍ଥାନ ନିରୂପଣ କରାଯାଇଥିଲେ ହେଁ ପୂର୍ବଭଳି ବଜାର ପ୍ରାଙ୍ଗଣରେ ଯାନବାହନଗୁଡ଼ିକୁ ପାର୍କିଂ କରାଯାଉଛି। ଏଣେ ମନ୍ଦିରକୁ ସଂଯୋଗ କରୁଥିବା ଅଣଓସାରିଆ ଶାରଳାରୋଡ୍‌ ଭାୟା ତେନ୍ତୁଳିପଦା କନକପୁର ରାସ୍ତାର ପ୍ରଶସ୍ତୀକରଣ ପ୍ରତି ଧ୍ୟାନ ଦିଆଯାଉ ନାହିଁ। କୌଣସି ଟ୍ରକ୍ କିମ୍ବା ବସ୍ ସେହି ରାସ୍ତାରେ ଯାତାୟାତ କଲେ ଅଧିକାଂଶ ସମୟ ରାସ୍ତା ଜାମ୍‌ ହୋଇ ଯାତାୟାତରେ ସମସ୍ୟା ଉପୁଜେ। ତେଣୁ ପର୍ଯ୍ୟଟକମାନେ ନେଇ ଆସିୁଥିବା ବସ୍‌ଗୁଡ଼ିକ ମନ୍ଦିର ପର୍ଯ୍ୟନ୍ତ ଯାତାୟାତ ଆଦୌ ସୁଗମ ହୋଇ ନଥାଏ। ପ୍ରତିବର୍ଷ ଏହି ରାସ୍ତା ନାମକୁମାତ୍ର ମରାମତି ନାମରେ କେବଳ ଅର୍ଥ ହରିଲୁଟ୍‌ ସାବ୍ୟସ୍ତ ହୋଇଥାଏ। ରାସ୍ତାର ଉଭୟ ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ କରାଯାଉ ନାହିଁ କିମ୍ବା ପୂର୍ବରୁ ରାସ୍ତା ପ୍ରଶସ୍ତୀକରଣ ଏପରିକି ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ ପ୍ରସ୍ତାବରେ ଦୁଇ ଥାକିଆ କରାଯିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଏଠାରେ ଥିବା ଚନ୍ଦନ ପୋଖରୀ ପାଣି ଦୁର୍ଗନ୍ଧରେ ଫାଟି ପଡ଼ୁଛି। ତାର ପୁନରୁଦ୍ଧାର କରାଯାଉ ନାହିଁ। ଏଦିଗ‌ରେ ନା ଅଛି ପ୍ରଶାସନର ଆନ୍ତରିକତା ନା ଅଛି ରାଜନୈତିକ ଇଚ୍ଛାଶକ୍ତି। ବିଡ଼ମ୍ବନା ହେଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ତଥା ୫-ଟି ସଚିବଙ୍କ ମାର୍ଗଦର୍ଶନକୁ କାର୍ଯ୍ୟକାରୀ କରିବା ଦିଗରେ ସେଭଳି କୌଣସି ଦୂରଦୃଷ୍ଟି ସଂପନ୍ନ ଅଧିକାରୀ ଯତ୍ନବାନ ହୋଇ ନଥିବାରୁ ଏହି ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ଅବସ୍ଥାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe