କଟକ: ନେମାଳ ସତସଙ୍ଗ ବିହାରର ଅଧ୍ୟକ୍ଷ ତଥା ସତସଙ୍ଗର ସହ-ପ୍ରତି-ରିତ୍ୱିକ୍ ଶରତ ଚନ୍ଦ୍ର ଭୂୟାଁଙ୍କର ୮୮ବର୍ଷ ବୟସରେ ଶୁକ୍ରବାର ରାତିରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ତାଙ୍କର ବିୟୋଗ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ। ଶନିବାର ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଦୁଇ ପୁଅଙ୍କ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଭାବଧାରାର ପ୍ରଚାର ପ୍ରସାର ନିମନ୍ତେ ସେ ବହୁ କାର୍ଯ୍ୟ କରିଥିଲେ। ବୃତ୍ତିରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଥିବା ସ୍ବର୍ଗତଃ ଭୂୟାଁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସକ୍ରିୟ ଭାବେ ଆଧ୍ୟାତ୍ମିକ ଅନୁଷ୍ଠାନରେ ଯୋଗ ଦେଇ ସଦଭାବନା ଓ ସତକର୍ମର ପ୍ରଚାର କରୁଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ କର୍ମଠ ଓ ଚଳଚଞ୍ଚଳ ଥିଲେ।
ତାଙ୍କର ବିୟୋଗରେ ‘ସତସଙ୍ଗ’ର ସର୍ବଭାରତୀୟ ସହସମ୍ପାଦକ ତଥା ପ୍ରତି ରିତ୍ବିକ୍ ଡ. ବିନାୟକ ମହାପାତ୍ର ଶୋକ ପ୍ରକାଶ କରିଛନ୍ତି। ସ୍ୱର୍ଗତଃ ଭୂୟାଁଙ୍କ ପରିବାର ଏହି ଦାରୁଣ ବେଦନାକୁ ସହ୍ୟ କରିବାକୁ ସେ ନିବେଦନ କରିଛନ୍ତି। ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରିୟଦର୍ଶୀ ମିଶ୍ର, ସତ୍ୟବ୍ରତ ତ୍ରିପାଠୀ, କୃପାନିଧି ବିଶ୍ବାଳ, ଅଭୟ କୁମାର ପରିଡ଼ା, ଉମାକାନ୍ତ ସାହୁ, ସଞ୍ଜୀବ ନାୟକ ଓ ବୀର କିଶୋର ସାହୁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
Follow Us