କେନ୍ଦୁଝର: ଘରକୁ ଘର ବୁଲୁଛନ୍ତି, ସମର୍ଥକ ମାନେ ବି ସାଙ୍ଗରେ ଅଛନ୍ତି। ହାତରେ ଧରିଛନ୍ତି ଖାତା କଲମ । ଗୋଟିଏ ପରେ ଗୋଟିଏ ଘରକୁ ଯାଇ ଭେଟୁଛନ୍ତି ଗୃହକର୍ତାଙ୍କୁ । ଏହା କେଉଁ ନିର୍ବାଚନ ପ୍ରଚାର ନୁହଁ। ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ପ୍ରୟାସ କରିଛନ୍ତି ସରପଞ୍ଚ ରବୀନ୍ଦ୍ର କୁମାର ଜେନା ଓ ସାଙ୍ଗରେ ଅଛନ୍ତି ସମିତି ସଭ୍ୟ ବାବନ ସେଠୀ।
କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ବଡ଼ରମ୍ପାସ ପଞ୍ଚାୟତ। ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ରବୀନ୍ଦ୍ର କୁମାର ଜେନା। ସେତେବେଳେ ସମସ୍ତଙ୍କୁ ସେମାନଙ୍କ ସମସ୍ୟା ବୁଝିବେ ବୋଲି ଦେଇଥିଲେ ପ୍ରତିଶ୍ରୁତି। ଏହି ପ୍ରତିଶ୍ରୁତି ପୂରଣ କରିବାକୁ ଏବେ ଆରମ୍ଭ କରିଛନ୍ତି ପ୍ରୟାସ । ହାତରେ ଖାତା କଲମ ଧରି ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ଲେଖୁଛନ୍ତି।
କିଏ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ କହୁଛି ତ ଆଉ କିଏ ରାସନ କାର୍ଡରେ ନାଁ ସଂଯୋଗ ପାଇଁ ଅନୁରୋଧ କରୁଛି । ସେହିପରି କିଏ ପାଇଖାନା ପାଇଁ ତ ଆଉ କିଏ ଭତ୍ତା ଓ ଗାଁ ରାସ୍ତା ମରାମତି ପାଇଁ କହୁଛନ୍ତି। ସରପଞ୍ଚ ଓ ସମିତି ସଭ୍ୟ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ଯାହା ତାଙ୍କଦ୍ୱାରା ସମ୍ଭବ କରିବେ, ଆଉ ଯାହା ତାଙ୍କ ଦ୍ୱାରା ହେବନି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ସରପଞ୍ଚଙ୍କ ଏପରି ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରୁଛନ୍ତି ।
Follow Us