ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟର ବିକଳ ଚିତ୍ର

Advertisment

ଅନ୍‌ଲାଇନ୍‌ରେ ପ୍ରାଥମିକ ଶିକ୍ଷାର ମୂଳଦୁଆ, ଘରେ ରହି ପଢ଼ୁଛନ୍ତି ପ୍ରଥମ, ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ

ଅନ୍‌ଲାଇନ୍‌ରେ ପ୍ରାଥମିକ ଶିକ୍ଷାର ମୂଳଦୁଆ, ଘରେ ରହି ପଢ଼ୁଛନ୍ତି ପ୍ରଥମ, ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ

ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟର ବିକଳ ଚିତ୍ର

Sambad

ଜଗତସିଂହପୁର ଟାଉନ୍: ଦିନେ କି ଦୁଇ ଦିନ ନୁହେଁ। ମାସ ମାସ ଧରି ପ୍ରାଥମିକ ଶିକ୍ଷାର ମୂଳଦୁଆ ପଡ଼ୁଛି ଅନ୍‌ଲାଇନ୍‌ରେ। ପାଠ ପଢ଼ା ସହ ଅଭ୍ୟସ୍ତ ନ ଥିବା ନୂଆ କରି ସ୍କୁଲ ଆରମ୍ଭ କରୁଥିବା କୁନି ପିଲା ମୋବାଇଲ, ଲାପଟପରେ ପଢ଼ୁଛନ୍ତି। କେବଳ ଗୋଟିଏ ଦିନ ଶନିବାର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ପିଲାଙ୍କର ଦେଖାସାକ୍ଷାତ ହେଉଛି। ଏହି ଦିନ ଅଫ୍‌ଲାଇନରେ ପାଠପଢ଼ା ହେଉଛି। ଏ ହେଉଛି ଜଗତସିଂହପୁର ତରିକୁନ୍ଦ ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲୁଥିବା କେନ୍ଦ୍ରୀୟ ବିଦ୍ୟାଳୟର ବିକଳ ଚିତ୍ର।
ସୂଚନା ଅନୁସାରେ, ଜଗତସିଂହପୁର ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ହେବା ପରେ ୨୦୧୭ ପାଠ୍ୟକ୍ରମ ବର୍ଷରୁ ତରିକୁନ୍ଦ ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲୁଛି। ସ୍କୁଲ ଆରମ୍ଭ ହେବା ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ହେଲା। ଏହା ପରେ ପ୍ରତିବର୍ଷ ଗୋଟିଏ ଲେଖାଏଁ ବ୍ୟାଚ୍‌ ବଢ଼ି ବଢ଼ି ଚାଲିଲା। ସୀମିତ ସଂଖ୍ୟକ ଘର ମିଳିଥିବାରୁ ସବୁ କ୍ଲାସ ଚାଲିବା ସମ୍ଭବପର ହୋଇପାରିଲା ନାହିଁ। ତେଣୁ ପ୍ରଥମ, ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଢ଼ିବା ପାଇଁ ନିଷ୍ପତ୍ତି ନିଆଗଲା। ଗୋଟିଏ ଦିନ ଶନିବାର ଅଫଲାଇନ୍ କ୍ଲାସର ବ୍ୟବସ୍ଥା କରାଗଲା। ଯାହାକୁ ନେଇ କେତେକ ମହଲରୁ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା। ଜଣେ ଶିକ୍ଷାବିତଙ୍କ ସୂଚନା ଅନୁସାରେ, ପ୍ରଥମ ଶ୍ରେଣୀରୁ ସ୍କୁଲରେ ପିଲାର ମୂଳଦୁଆ ପଡ଼େ।

ପିଲା ଯେତେ ସ୍କୁଲ ଯିବ ଓ ସିଧାସଳଖ କ୍ଲାସରେ ପାଠ ଆହରଣ କରିବ ତା ପାଇଁ ସେତେ ଭଲ। ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ନିୟମିତ ସାକ୍ଷାତ ଆଲୋଚନା ମଧ୍ୟ ପିଲାର ମୂଳଦୁଆ ସୁଦୃଢ଼ କରିବ। କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେହିପରି କେତେକ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିସନ ମିଳି ଥିବାରୁ ସେମାନେ ମୁହଁ ଖୋଲି କିଛି କହିପାରୁ ନାହାନ୍ତି। ଏଠାରେ ପ୍ରଶ୍ନ ଉଠୁଛି କ୍ଲାସ ଆରମ୍ଭ କରୁଥିବା ପ୍ରଥମ, ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପାଠପଢ଼ାରୁ କେତେ ଜ୍ଞାନ ଆହରଣ କରିପାରିବେ? ଦୁଇ ବର୍ଷ ଅନ୍‌ଲାଇନ୍‌ରେ ପଢ଼ିବା ପରେ ତୃତୀୟ ଶ୍ରେଣୀରେ କେମିତି ନିଜର ଜ୍ଞାନ ଓ ଦକ୍ଷତା ବଢ଼ାଇ ପାରିବେ? ଦୀର୍ଘ ଦିନ ଧରି ଏ ଦିଗରେ କାହିଁକି ପଦକ୍ଷେପ ଗ୍ରହଣ କରାଯାଉ ନ ଥିଲା? ଅନ୍ୟ ସ୍କୁଲ ପିଲାଙ୍କ ତୁଳନାରେ ଏହି ସ୍କୁଲ ପିଲା ନିଜ ଦକ୍ଷତାକୁ କେତେ ପ୍ରତିପାଦନ କରିପାରିବେ? ଅନ୍ୟପକ୍ଷରେ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ବିନୀ ପ୍ରଧାନ କହିଛନ୍ତି ଖୁବଶୀଘ୍ର ପ୍ରଥମ, ଦ୍ବିତୀୟ ଶ୍ରେଣୀ ପିଲାଙ୍କର ଅଫଲାଇନ୍ ପାଠ ପଢ଼ା ଆରମ୍ଭ ହେବ। ଘର ତିଆରି ସରିଛି ଦୁଇ, ତିନି ଦିନ ମଧ୍ୟରେ ପାଠ ପଢ଼ା ହେବ। ଉଲ୍ଲେଖଯୋଗ୍ୟ, ୨୦୧୭ରୁ ୨୦୨୨ ଶେଷ ଭାଗ ପ୍ରାୟ ସାଢ଼େ ୫ ବର୍ଷ ହେଲା କେନ୍ଦ୍ରୀୟ ବିଦ୍ୟାଳୟ ତରିକୁନ୍ଦ ହାଇସ୍କୁଲରେ ଚାଲିଛି। କୋଭିଡ୍ ଦୁଇ ବର୍ଷ ଅନଲାଇନରେ ପାଠ ପଢ଼ା ଚାଲିଛି। ସେହିପରି ସାନ ଲହଙ୍ଗା ଠାରେ ତିଆରି ହେଉଥିବା ନୂତନ କେନ୍ଦ୍ରୀୟ ବିଦ୍ୟାଳୟ କୋଠାରେ ଆସନ୍ତା ବର୍ଷ ଠାରୁ ପାଠ ପଢ଼ା ହୋଇପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe