୫-ଟି’କୁ ଉପହାସ, ଭଙ୍ଗା ଘରେ ପାଠପଢ଼ା

Advertisment

ଛାତରୁ ଖସୁଛି ପ୍ଲା‌ଷ୍ଟର୍‌, ଶ୍ରେଣୀଗୃହରେ ଚାଉଳ ବସ୍ତା, ପରିସରରେ ଗାଁ ଲୋକ ରଖୁଛନ୍ତି ଗାଡ଼ି

ଛାତରୁ ଖସୁଛି ପ୍ଲା‌ଷ୍ଟର୍‌, ଶ୍ରେଣୀଗୃହରେ ଚାଉଳ ବସ୍ତା, ପରିସରରେ ଗାଁ ଲୋକ ରଖୁଛନ୍ତି ଗାଡ଼ି

୫-ଟି’କୁ ଉପହାସ, ଭଙ୍ଗା ଘରେ ପାଠପଢ଼ା

Sambad

ରାଜକନିକା: ରାଜ୍ୟ ସରକାର ଶିକ୍ଷାର ଉନ୍ନତି ଲାଗି ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଭିତ୍ତିଭୂମି ବିକାଶ ପାଇଁ ୫-ଟି ଯୋଜନାରେ ରୂପାନ୍ତରଣ କାମ ହାତକୁ ନିଆଯାଉଛି। ହେଲେ, ରାଜକନିକା ବ୍ଲକ୍‌ ଉଜାଙ୍ଗରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୧୯୫୦ ମସିହା‌ରେ ସ୍ଥାପିତ ଉଜାଙ୍ଗ ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର କୋଠା ଏବେ ବିପଦସଙ୍କୁଳ ଅବସ୍ଥାକୁ ଚାଲି ଆସିଛି। ଏହାକୁ ବିପଦସଙ୍କୁଳ ଘୋଷଣା କରିବାକୁ ସ୍କୁଲ୍‌ କର୍ତ୍ତୃପକ୍ଷ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲେଖିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଖାଲି ସେତିକି ନୁହେଁ ଶ୍ରେଣୀଗୃହ ଭିତ‌ରେ ଚାଉଳ ବସ୍ତା ରଖାଯାଇଥିବା ବେଳେ ପାଚେରି ନ ଥିବାରୁ ଗାଁ ଲୋକ ସେମାନଙ୍କ ଭଙ୍ଗା ଗାଡ଼ି ସ୍କୁଲ୍‌ ପରିସରରେ ରଖିଥିବା ଦେଖିବାକୁ ମିଳିଛି। ସ୍କୁଲ୍‌ର ଏଭଳି ଅବସ୍ଥା ଦେଖିଲେ ଏହା ଯେ ୫-ଟି ଯୋଜନାକୁ ଉପହାସ କରୁଛି ତାହା ବୁଝିହେବ। ସୂଚନା ଅନୁସାରେ, ଏହି ସ୍କୁଲ୍‌ରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୨୪ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।

ଏହି ଛାତ୍ରଛାତ୍ରୀଙ୍କ ଲାଗି ରହିଛି ଦୁଇଟି ଶ୍ରେଣୀଗୃହ। ତାହା ପୁଣି ବିପଦସଙ୍କୁଳ। ପ୍ରଥମରେ ୩ ଜଣ, ଦ୍ୱିତୀୟରେ ୩, ତୃତୀୟରେ ଜଣେ, ଚତୁର୍ଥରେ ପାଞ୍ଚ, ପଞ୍ଚମରେ ୪, ଷଷ୍ଠରେ ୬ ଓ ସପ୍ତମରେ ୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ମୋଟ ୨୪ଜଣ ଛାତ୍ରଛାତ୍ରୀଙ୍କ ଲାଗି ରହିଛନ୍ତି ଦୁଇ ଜଣ ଶିକ୍ଷୟିତ୍ରୀ। ଏହି ଦୁଇଟି ଶ୍ରେଣୀଗୃହର ଛାତ ଫାଟି ପ୍ଲାଷ୍ଟର ଖସିଲାଣି। ଯାହାକୁ ନେଇ ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ଭୟ କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି l ଏହାଛଡ଼ା ସ୍କୁଲର ଚାରିପଟେ ପାଚେରି ବି ନାହିଁ। ଅବାଧରେ ଗୋରୁ ସ୍କୁଲ ପରିସରକୁ ପଶି ଯାଉଛନ୍ତି। ଏପରିକି ଗାଁର ଲୋକମାନେ ସ୍କୁଲ ପରିସରରେ ଭଙ୍ଗା ଗାଡ଼ି ମଧ୍ୟ ରଖିଥିବା ଦେଖିବାକୁ ମିଳିଛି l ସେହିପରି ସ୍କୁଲରେ ଶୌଚାଳୟଟିଏ ବି ନାହିଁ। ଚାରିପଟେ ଗଛଲତା ମାଡ଼ି ଗଲାଣି। ଡେକ୍ସବେଞ୍ଚ ନଥିବାରୁ ପିଲାମାନେ ତଳେ ବସି ପଢୁଛନ୍ତି l ଯେଉଁ ଗୃହରେ ବସି ପାଠ ପଢୁଛନ୍ତି ସେହିରେ ଅଳିଆ ଜମା ହୋଇଥିବା ବେଳେ ଚାଉଳ ବସ୍ତା ଗଦା ହୋଇ ରହିଛି। ଏହି ସ୍କୁଲ ଛାତରୁ ପ୍ଲାଷ୍ଟର ଖସୁଥିବାରୁ ପ୍ରଧାନଶିକ୍ଷୟିତ୍ରୀ ଦିପ୍ତୀରେଖା ସାମଲ ଏହାକୁ ବିପଦସଙ୍କୁଳ ଘୋଷଣା କରିବାକୁ ଏକାଧିକ ଥର ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe