ବ୍ୟକ୍ତିଗତ ମାଲିକାନାରେ ବିଦ୍ୟାଳୟ ଜମି; ଖର୍ଚ୍ଚ ହୋଇପାରୁନି ଅନୁଦାନ

ବ୍ୟକ୍ତିଗତ ମାଲିକାନାରେ ବିଦ୍ୟାଳୟ ଜମି; ଖର୍ଚ୍ଚ ହୋଇପାରୁନି ଅନୁଦାନ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଶିରିଗିଡ଼ା ପଞ୍ଚାୟତ ଶିରିଗିଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୪୯ରେ ସ୍ଥାପିତ ହୋଇଥିଲା। ବିଦ୍ୟାଳୟ ନାମରେ ଜମିପଟା ନଥିବାରୁ କୌଣସି ଉନ୍ନୟନ କାମ ହୋଇପାରୁ ନଥିବା ଜଣାପଡ଼ିଛି। ୭୫ ବର୍ଷ ତଳେ ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ଉକ୍ତ ଜମିଟି କାହାର ସେ ସମ୍ପର୍କରେ କିଛି ଜଣାପଡ଼ି ନଥିଲା। ବର୍ତ୍ତମାନ ବିଦ୍ୟାଳୟର ଜମିଟି ଗ୍ରାମର ଭାଗବତ ବିଶ୍ବାଳ ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ ଥିବା ଜଣାପଡ଼ିଛି। ବିଦ୍ୟାଳୟର ଶ୍ରେଣୀଗୃହ ମରାମତି, ନୂତନ ଗୃହ ନିର୍ମାଣ ସରକାରୀ ଅନୁଦାନ ଆସିଥିଲେ ମଧ୍ୟ ଜମି ମାଲିକଙ୍କ ବିରୋଧ ଯୋଗୁଁ କାମ ହୋଇପାରୁ ନଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶୁକଦେବ କିସାନ କହିଛନ୍ତି। ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସ୍ୱଳ୍ପବ୍ୟୟ ଛାତ୍ରାବାସ ରହିଛି। ଏଠାରେ ୪୦ଜଣ ଛାତ୍ରଛାତ୍ରୀ ରହୁଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ଛାତ୍ରାବାସ ଅବସ୍ଥା ଶୋଚନୀୟ ହୋଇଛି।

ବର୍ଷା ହେଲେ ପାଣି ଗଳିଥିବାରୁ ଅନ୍ତେବାସୀମାନେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଚଳିତବର୍ଷ ଛାତ୍ରାବାସ ମରାମତି କରାନଗଲେ ଆସନ୍ତାବର୍ଷ ଏଠାରେ ଛାତ୍ରଛାତ୍ରୀଙ୍କୁ ରଖିବା ପାଇଁ ନାମ ପଞ୍ଜୀକରଣ କରାଯିବ ନାହିଁ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମିନ ଚରଣ ନାୟକ କହିଛନ୍ତି। ବିଦ୍ୟାଳୟରେ ୧୨୯ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ୪ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଅଛନ୍ତି। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ହୋଇପାରୁ ନଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍କୁଲ ପରିଚାଳନା କମିଟି ସଭାପତି ଶୁକଦେବ କିସାନ କହିଛନ୍ତି। ବ୍ଲକ୍‌ ପ୍ରଶାସନ ଓ ଶିକ୍ଷା ବିଭାଗକୁ ନେଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦାକ୍ଷେପ ନିଆଯାଉନି। ପ୍ରଶାସନ ବିଦ୍ୟାଳୟର ସମସ୍ୟା ପ୍ରତି ଗୁରୁତ୍ବ ଦେଇ ତାହାର ସମାଧାନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe