ଏମଭି-୯ ବିଦ୍ୟାଳୟରେ ତାଲା ଠୁଙ୍କିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

Advertisment
ଏମଭି-୯ ବିଦ୍ୟାଳୟରେ ତାଲା ଠୁଙ୍କିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତର ଏମଭି-୯ ୟୁପି ସ୍କୁଲରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ତାଲା ଠୁଙ୍କିଦେଇଛନ୍ତି । ତେବେ ଏନେଇଖବର ନେବାରୁ ଜଣାପଡିଥିଲା ଯେ ଏହି ସ୍କୁଲର ପ୍ରଧାନଶିକ୍ଷକ ପ୍ରଶାନ୍ତ ସାମନ୍ତରାୟଙ୍କୁ ନିକଟସ୍ଥ ରାମାଗୁଡା ସ୍କୁଲକୁ ବଦଳି କରିଦିଆଯାଇଛି। ଶ୍ରୀ ସାମନ୍ତରାୟ ଏହି ସ୍କୁଲରେ କୁଆଡେ ଭଲ ପାଠ ପଢାଉଥିଲେ,ଭଲ ଖାଇବାକୁ ଦେଉଥିଲେ ଏବଂ ପିଲାମାନଙ୍କର ଯତ୍ନ ନେଉଥିଲେ। ତେବେ ତାଙ୍କ ସ୍ଥାନରେ ପୁଷ୍ପାଞ୍ଜଳି ପଣ୍ଡା ନାମୀକା ଜନୈକା ପ୍ରଧାନ ଶିକ୍ଷୟତ୍ରୀ ପିଲାମାନଙ୍କୁ ପାଠ ପଢାଉନଥିବା ବେଳେ ଭଲ ଖାଇବାକୁ ଦେଉନଥିବା ନେଇ ପିଲାମାନେ ଏବଂ ସେମାନଙ୍କର ଅଭିଭାବକମାନେ ସ୍କୁଲରେ ତାଲା ଠୁଙ୍କି ଦେଇଥିଲେ। ସ୍କୁଲର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସ୍କୁଲରୁ ପଦାକୁ ବାହାରିବାକୁ କହି ତାଲା ପକାଇ ଦେଇଥିଲେ।

ଯେତେବେଳ ପର୍ଯ୍ୟନ୍ତ ସ୍କୁଲକୁ ପ୍ରଧାନଶିକ୍ଷକ ପ୍ରଶାନ୍ତ ସାମନ୍ତରାୟଙ୍କୁ ଫେରାଇନଅଣାଯାଇଛି ସେତେବେଳ ପର୍ଯ୍ୟନ୍ତ ସ୍କୁଲରେ ତାଲା ଝୁଲିବ ବୋଲି ଗ୍ରାମବାସୀ କହିଥିଲେ। ଏହି ଖବର ମାଲକାନଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ଜାଣିବା ପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଂଜନ ପାଣ୍ଡେଙ୍କ ସହ ମିଶି ସ୍କୁଲକୁ ଯାଇ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ଗ୍ରାମବାସୀ ଏବଂ ପିଲାମାନେ ଗୋଟିଏ ଜିଦରେ ଅଟଳ ରହିଥିଲେ। ଆମ ସାରକୁ ଆମକୁ ଫେରାଇ ଦିଅ ବୋଲି ସ୍ଲୋଗାନ ଦେଉଥିଲେ। ଦୀର୍ଘ ସମୟ ଧରି ଶିକ୍ଷାଧିକାରୀମାନେ ବୁଝାଇବା ପରେ ମଧ୍ୟ ଲୋକେ ଏବଂ ଛାତ୍ରଛାତ୍ରୀ ବୁଝିନଥିଲେ।

ପରେ ଏକ ରିପୋର୍ଟ ତିଆର କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିବା ବିଇଓ କିଶୋର ବେହେରା ପ୍ରକାଶ କରିଛନ୍ତି। ତେବେ ପିଲାମାନଙ୍କୁ ଏବଂ ଅଭିଭାବକମାନଙ୍କୁ କିଏ ଉସୁକାଉଥିବାର ଗନ୍ଧ ବାରି ହେଉଥିବା ଜଣାପଡିଛି। କୋମଳମତି ପିଲାମାନଙ୍କୁ କାହିଁକି ଏଭଳି ମତାଇ ସ୍କୁଲରେ ତାଲା ପକାଗଲା ତାହାକୁ ନେଇ ତଦନ୍ତ କରାଯିବା ଦରକାର ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe