ବ୍ରହ୍ମପୁର: ଆଉ ଜଣେ କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିଛନ୍ତି। ଉକ୍ତ କରୋନା ଯୋଦ୍ଧା ଜଣକ ହେଲେ ଛତ୍ରପୁରର ପୁଲିସ ଏସ୍ଡିପିଓ ଗୌତମ କିସାନ୍ । ସେ କରୋନା ସଂକ୍ରମିତ ହୋଇ ସୁସ୍ଥ ହେବାପରେ ଆଜି ଅନ୍ୟମାନଙ୍କୁ ସୁସ୍ଥ କରିବା ଲାଗି ପ୍ଲାଜମା ଦାନ କରିଛନ୍ତି।
ଛତ୍ରପୁରର ଏସ୍ଡିପିଓ ଗୌତମ କିସାନ କିଛିଦିନ ତେଳେ ମହାମାରୀ କରୋନାରେ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲ୍ରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ପରେ ତାଙ୍କର ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠା ଯାଇଥିଲା। ଏହି ପରୀକ୍ଷା ରିପୋର୍ଟ ତାଙ୍କର ନେଗେଟିଭ୍ ଆସିଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଗୌତମ କିସାନ୍ଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା।
ତେବେ କରୋନାକୁ ମାତ ଦେଇ ଆରୋଗ୍ୟ ହେବା ପରେ ଏସ୍ଡିପିଓ ଗୌତମ କିସାନ ରାଜ୍ୟ ସରକାରଙ୍କ ଅନୁରୋଧ ମୁତାବକ ଅନ୍ୟ କରୋନା ରୋଗୀଙ୍କୁ ନିଜ ପ୍ଲାଜମା ଦାନ କରିବାକୁ ସ୍ଥିର କରିଥିଲେ। ଏହାପରେ ସେ କଟକ ଏସ୍ସିବି ମେଡିକାଲ କଲେଜରେ ପହଞ୍ଚି କୋଭିଡ-୧୯ ରୋଗୀଙ୍କ ପାଇଁ ନିଜ ପ୍ଲାଜମା ଦାନ କରିଛନ୍ତି।
ଏସ୍ଡିପିଓ ଗୌତମ କିସାନଙ୍କ ଏଭଳି ମହତ କାମକୁ ପ୍ରଶଂସା କରିବା ସହିତ ଗଞ୍ଜମ ଏସ୍ପି ଟୁଇଟ କରି ଏହାର ସୂଚନା ଦେଇଛନ୍ତି।
Follow Us