ମେରୁ ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ, ସମସ୍ତ ମନ୍ଦିରରେ ୧୪୪ ଧାରା ଜାରି

Advertisment
ମେରୁ ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ, ସମସ୍ତ ମନ୍ଦିରରେ ୧୪୪ ଧାରା ଜାରି

ଖୋର୍ଦ୍ଧା: ଆସନ୍ତାକାଲି ମେରୁ ବା ବିଷୁବ ସଂକ୍ରାନ୍ତି। ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ସମସ୍ତ ଦେବାଳୟ ଓ ମନ୍ଦିର ଇଲାକାରେ ୧୨ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଆଜି ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ ସୂଚିତ କରାଯାଇଛି ଯେ ଆସନ୍ତାକାଲି ବିଭିନ୍ନ ମନ୍ଦିର ଓ ଦେବାଳୟରେ ଜନ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ଉକ୍ତ କୌଣସି ଦେବାଳୟ କିମ୍ବା ମନ୍ଦିରରେ ଭିଡ଼ ଯେଭଳି ନହେବ ସେନେଇ ଦୃଷ୍ଟି ରଖିବାକୁ ସ୍ଥାନୀୟ ପ୍ରଶାସନ ଓ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୧୪୪ ଧାରା ଜାରି କରାଯାଇଥିବା ମନ୍ଦିର ଗୁଡ଼ିକ ମଧ୍ୟରେ ବେଗୁନିଆ ଥାନା ଅଧୀନସ୍ଥ ୧୪ଟି ପ୍ରମୁଖ ଦେବାଳୟ, ଜଙ୍କିଆ ଥାନା ଅଧୀନସ୍ଥ ୧୦ଟି ପ୍ରମୁଖ ମନ୍ଦିର, ବାଘମାରୀ ଥାନା ଅଧୀନସ୍ଥ ୧୪ଟି ପ୍ରମୁଖ ମନ୍ଦିର, ଖୋର୍ଦ୍ଧା ଟାଉନ୍ ଥାନା ଅଧୀନସ୍ଥ ୭ଟି ପ୍ରମୁଖ ମନ୍ଦିର ସହ ଅନ୍ୟ ସମସ୍ତ ଦେବାଳୟ ଓ ମନ୍ଦିରରେ ୧୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ପୂଜା ଆଦି ନିମନ୍ତେ ଭିଡ଼ ନକରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

publive-image

ଏଥିନିମନ୍ତେ ଖୋର୍ଦ୍ଧା ଟାଉନ୍ ଥାନା, ବେଗୁନିଆ, ଜଙ୍କିଆ ଓ ବାଘମାରୀ ଥାନା ଇଲାକାରେ ମାଜିଷ୍ଟ୍ରେଟ୍ ଭାବେ ତରୁଣ କୁମାର ମହାପାତ୍ରଙ୍କ ସହ ସମ୍ପୃକ୍ତ ଥାନାର ଅଧିକାରୀଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ଦିଆଯାଇଛି । କୋଭିଡ୧୯ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କୌଣସି ଦେବାଳୟ ଓ ମନ୍ଦିରରେ ଏହି ଭିଡ଼ ନକରିବାକୁ ଜନ ସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ସେହିଭଳି ଆସନ୍ତାକାଲି ଠାରୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ କିମ୍ବା ପରେ ଔଷଧ ଦୋକାନ ବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ବଜାର ଖୋଲିଲେ ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ନିର୍ଦ୍ଧାରିତ ସମୟରେ ବଜାର କିମ୍ବା ଦୋକାନକୁ ବିନା ମାସ୍କରେ ଆସନ୍ତି କିମ୍ବା ବିନା ମାସ୍କରେ ଥିବା ବ୍ୟକ୍ତିଙ୍କୁ ଦୋକାନୀ ସାମଗ୍ରୀ ବିକ୍ରି କରନ୍ତି ତେବେ ସମ୍ପୃକ୍ତ ଦୋକାନୀ ଓ ଗ୍ରାହକଙ୍କ ବିରୋଧରେ ଆଇନାନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe