ଯୁବକଙ୍କୁ ପିଟିପିଟି ମାରିଦେଲେ ସୁରକ୍ଷାକର୍ମୀ: ନିର୍ମମ ଭାବେ ପିଟୁଥିବାର ଭିଡ଼ିଓ ଭାଇରାଲ

ଯୁବକଙ୍କୁ ପିଟିପିଟି ମାରିଦେଲେ ସୁରକ୍ଷାକର୍ମୀ: ନିର୍ମମ ଭାବେ ପିଟୁଥିବାର ଭିଡ଼ିଓ ଭାଇରାଲ

ରାଉରକେଲା: ଆରଏସପି ପରିସରକୁ ପଶିଥିବା ନିଶାଶକ୍ତ ଯୁବକଙ୍କୁ ଘରୋଇ କମ୍ପାନିର ସୁରକ୍ଷା କର୍ମୀ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଅପମୃତ୍ୟୁ ମାମଲା ରୁଜୁ କରି ଟାଙ୍ଗରପାଲ୍ଲୀ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏବେ ପଦାକୁ ଆସିଥିବା ଭାଇରାଲ ଭିଡିଓ ତଦନ୍ତକାରୀ ପୁଲିସ, କାରଖାନା ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ ଏବଂ ଘରୋଇ କମ୍ପାନି ଏଲଆଣ୍ଡଟିର ସୁରକ୍ଷାକର୍ମୀଙ୍କୁ କାଠଗଡାରେ ଛିଡା କରାଇଛି। ଭିଡିଓ ଟି ଭାଇରାଲ ହେବାପରେ ମାମଲାକୁ ଅପମୃତ୍ୟୁ ଆଖ୍ୟା ଦେଇ ରଫାଦଫା ଉଦ୍ୟମ କରୁଥିବା ଆରଏସପି ନିୟୁ ହଟଷ୍ଟ୍ରିପ ମିଲରେ କାର୍ଯ୍ୟରତ ଠିକାସଂସ୍ଥା ଏଲ.ଆଣ୍ଡ.ଟି କର୍ତୃପକ୍ଷ ସବୁଠାରୁ ବେଶୀ ବିଚଳିତ ଥିବା ଏବଂ ମୃତକ ପରିବାର କୁ ପ୍ରଲୋଭନ ଦେଖାଇ ପ୍ରବଳ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

publive-image

ସହର ଉପକଣ୍ଠ ଦେଓଗାଁ, ଦେହୁରୀ ବସ୍ତିରେ ରହୁଥିବା ସଚିନ ଗୋପ (୨୪) ଗତକାଲି ସନ୍ଧ୍ୟାରେ କାରଖାନାର ପାଚେରୀ ବାହାରେ ମୁର୍ମୁଷ ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ସରକାରୀ ହସ୍ପିଟାଲ ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏନେଇ ଟାଙ୍ଗରପାଲ୍ଲୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଏହି ଭିଡିଓ ଟି ପଦାକୁ ଆସିଛି|

ସେପଟେ ସଚିନ ନିଶାଶକ୍ତ ଅବସ୍ଥାରେ କାରଖାନା ପରିସରକୁ ପଶିଥିବା ବେଳେ ସୁରକ୍ଷାକର୍ମୀ ଧରିନେଇ କାରଖାନା ସୁରକ୍ଷା ଦାୟିତ୍ୱରେ ଥିବା ସି.ଆଇ.ଏସ.ଏଫ ଯବାନଙ୍କ ଉପସ୍ଥିତିରେ ପିଟିପିଟି ମାରିଦେବା ପରେ ପାଚେରୀ ବାହାରକୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ସଚିନଙ୍କ ସମ୍ପର୍କୀୟ।

ମୃତ ସଚିନଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପକ୍ଷରୁ ଉଦ୍ୟମ ହେଉଥିବା ବେଳେ ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ତାଙ୍କୁ ବାରଣ କରି ବଳପୂର୍ବକ ନେଇଯିବା ସମଗ୍ର ଘଟଣାବଳୀକୁ ରହସ୍ୟ ଘେରକୁ ନେଇଯାଇଛି। ଏନେଇ ପୁଲିସ କିମ୍ବା କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ, ଏଭଳି ଏକ ସମ୍ବେଦନଶୀଳ ମାମଲାର ନିରପେକ୍ଷ ତଦନ୍ତ ହେଲେ ସବୁ କିଛି ସ୍ପଷ୍ଟ ହେବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe