ଡିଜେ ବ୍ୟବହାର ବନ୍ଦ ପାଇଁ ବରିଷ୍ଠ ନାଗରିକ ମଞ୍ଚର ବିକ୍ଷୋଭ

ଡିଜେ ବ୍ୟବହାର ବନ୍ଦ ପାଇଁ ବରିଷ୍ଠ ନାଗରିକ ମଞ୍ଚର ବିକ୍ଷୋଭ

ଖୋର୍ଦ୍ଧା: ଶୋଭାଯାତ୍ରା, ମଣ୍ଡପ ଆଦିରେ ପ୍ରାଣଘାତୀ ଡିଜେ (ଡିସ୍କ ଜକି)ଶବ୍ଦକୁ ସଂପୂର୍ଣ୍ଣ ବନ୍ଦ କରିବା ଓ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ଦାବିରେ ଆଜି ଖୋର୍ଦ୍ଧା ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ ଖୋର୍ଦ୍ଧା ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଆଜି ପୂର୍ବାହ୍‌ଣରେ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ ହାତରେ ବ୍ୟାନର ଆଦି ଧରି ଖୋର୍ଦ୍ଧା ଟାଉନ ଥାନା ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଅତିରିକ୍ତ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ମଞ୍ଚର ସମ୍ପାଦକ ରାମଶଙ୍କର ରାମ କହିଛନ୍ତି ଯେ ବିକଟାଳ ଶବ୍ଦ ସୃଷ୍ଟିକାରୀ ଡିଜେ ଶବ୍ଦ ଦ୍ବାରା, ଛୋଟ ଶିଶୁ, ବୃଦ୍ଧବୃଦ୍ଧା, ରୋଗୀଙ୍କ ଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। କେବଳ ଏହାନୁହେଁ ଦୀର୍ଘ ସମୟର ବ୍ୟବହାରରେ ଏହାଦ୍ବାରା ସାଧାରଣ ସୁସ୍ଥ ଲୋକ ମଧ୍ୟ ପ୍ରଭାବିତ ହୋଇଥାନ୍ତି। ଏଭଳି ଶବ୍ଦକୁ ବନ୍ଦ କରିବାକୁ ଶବ୍ଦ ପ୍ରଦୂଷଣ ଆଇନ-୨୦୦୦, ପରିବେଶ ସୁରକ୍ଷା ଆଇନ-୧୯୮୬,ଓଡ଼ିଶା ଆତସବାଜୀ ଓ ଡାକବାଜୀ ନିୟନ୍ତ୍ରଣ ଆଇନ -୧୯୫୮ ରହିଛି। ଆଇପିସି​ର ଧାରା ୨୬୮ ଓ ୨୯୦ରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଯେଉଁମାନେ ଡିଜେ ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ ପୁଲିସ ପ୍ରଶାସନ ପଦକ୍ଷେପ ନନେଇ ନିରବ ରହିବା ଠିକ୍‌ ନୁହେଁ।

ସେହିଭଳି ସଭାପତି ସତ୍ୟବାଦୀ ବଳିଆରସିଂହ କହିଛନ୍ତି ଯେ ଶବ୍ଦର ମାତ୍ରା ଜନବସତି ଅଞ୍ଚଳରେ ୫୫ ଡେସିବଲ ଓ ରାତ୍ରୀରେ ୪୫ ଡେସିବଲ ରହିବା ଆବଶ୍ୟକ। କିନ୍ତୁ ଡିଜେରେ ଏହାଠାରୁ ଦୁଇ ତିନିଗୁଣ ଅଧିକ ଶବ୍ଦ ନିର୍ଗତ ହୋଇଥାଏ। ଏହାଦ୍ବାରା ମଣିଷର କର୍ଣ୍ଣ, ନାସା ଓ ଗଳା ସହ ହୃଦୟ ଓ ସ୍ନାୟୁତନ୍ତ୍ରରେ ଗୁରୁତର କୁପ୍ରଭାବ ପଡ଼ିଥାଏ। ଏହାକୁ ନିୟନ୍ତ୍ରଣ କରିବାକୁ​ ଦେଶ ଓ ରାଜ୍ୟରେ ଏକାଧିକ ଆଇନ ରହିଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ। ଥାନାରେ ଦାବିପତ୍ର ପ୍ରଦାନ ପରେ ମଞ୍ଚର ସଦସ୍ୟମାନେ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାପାଳଙ୍କୁ ଭେଟି ଅନୁରୂପ ଭାବେ ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୀମସେନ ପ୍ରଧାନ, ବୈକୁଣ୍ଠ ମହାପାତ୍ର, ବସନ୍ତୁ କୁମାର ଦାଶ, ରବୀନ୍ଦ୍ର କୁମାର ସାହୁ, ଫ୍ରଫୁଲ୍ଲ କୁମାର ସାମନ୍ତରାୟ, ନବକିଶୋର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ରାଜେନ୍ଦ୍ର କୁମାର ନରେନ୍ଦ୍ର, ଅଖିଳଚନ୍ଦ୍ର ପ୍ରଧାନ, ଦିଲୀପ ପଟ୍ଟନାୟକ, ନାରାୟଣ ଦୋରା, ପ୍ରହଲ୍ଲାଦ ପ୍ରଧାନ, ମଧୁସୂଦନ ସାହୁ, ତ୍ରିଲୋଚନ ମହାପାତ୍ର, ସାରଦା ପଟ୍ଟନାୟକ, ବିଜୟ କୁମାର ପଣ୍ଡା, ଶରତ ଚନ୍ଦ୍ର ପ୍ରଧାନଙ୍କ ସମେତ ପ୍ରାୟ ୫୦ରୁ ଉର୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe